ଟଙ୍କା ଖର୍ଚ୍ଚ ହୋଇଛି, କାମର ଚିହ୍ନବର୍ଣ୍ଣ ନାହିଁ : ୨୦ ବସ୍ତିରେ ‘ଖର୍ଚ୍ଚ ହୋଇଛି ୨.୬୮କୋଟି’ ହିସାବ ଦେବାକୁ କୁନ୍ଥକୁନ୍ଥ !

ରାଉରକେଲା : ସହରରେ ବସ୍ତିର ରୂପରେଖ ବଦଳିବ, କଲୋନି ଭଳି ସମସ୍ତ ବସ୍ତିବାସିନ୍ଦାଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ । ଏଥିପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପଞ୍ଚଦଶ ଅର୍ଥ କମିଶନ ଓ ଜାଗା ମିସନ ଫାଣ୍ଠିରୁ ପାଣି ବୋହିଲା ପରି ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା । କେଉଁଠି କାମ ଚାଲିଛି ଓ ଅନ୍ୟ କେଉଁଠି ଶେଷ ହୋଇଛି । ହେଲେ ଆଶ୍ଚର୍ଯ୍ୟ କଥା, କାଗଜପତ୍ରରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, ତାର ୫୦% ଅର୍ଥ ଖର୍ଚ୍ଚ ହୋଇନଥିବା ବସ୍ତିର ବାସ୍ତବ ଚିତ୍ରରୁ ଜଳ ଜଳ ହୋଇ ଦିଶୁଛି ।

ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଆର୍‌ଏମ୍‌ସି ଅନ୍ତର୍ଗତ ୱାର୍ଡ ନଂ ୪ର ଗାଡ଼ାଟୋଲା, ୱାର୍ଡ ନଂ – ୯ ମନଟୋଲା, ୱାର୍ଡ ନଂ -୧୮ର ଓରାମପଡା ଓ ୱାର୍ଡ ନଂ -୮( ନୂଆ) ତଳବାଲିଯୋଡି ବସ୍ତିକୁ ଉଦାହରଣ ଭାବେ ନିଆଯାଇପା‌ରେ । ଗାଡ଼ାଟୋଲା, ମାଲଗୋଦାମ ଓ ଓରାମପଡ଼ା ବସ୍ତିରେ ଆଲୋକୀକରଣରେ ୭ ଲକ୍ଷ ୩୧ ହଜାର ୪୫୫ ଟଙ୍କା ଖର୍ଚ୍ଚ ହୋଇଛି । ଗାଡ଼ାଟୋଲାର ରିଂ ରୋଡ ପାର୍ଶ୍ବରେ ବିଜୁଳିବତି ଲାଗିଥିଲାବେଳେ ହାଇଟେକ୍‌ ହସ୍ପିଟାଲ ପାର୍ଶ୍ବ ସମ୍ପୂର୍ଣ୍ଣ ଅନ୍ଧାର । ଏହାର ପ୍ରତିବାଦରେ ବସ୍ତିବାସିନ୍ଦା ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଛନ୍ତି । ଫଳ କିନ୍ତୁ ଶୂନ । ତଳବାଲିଯୋଡି ବସ୍ତିରେ ବି ସେହି ସମାନସ୍ଥିତି । ମାତ୍ର ୪୦୦ ମିଟର ଅଣ ଓସାରିଆ କଂକ୍ରିଟ ରାସ୍ତାରେ ୧୫ ଲକ୍ଷ ୬୫ ହଜାର ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । ଏମିତି ଭାବେ ୨୦ଟି ବସ୍ତିରେ ମୋଟ୍‌ ୨ କୋଟି ୬୮ ଲକ୍ଷ ୬୬ ହଜାର ୧୫୨ ଟଙ୍କା ଖର୍ଚ୍ଚ ହୋଇଛି । ପଞ୍ଚଦଶ ଅର୍ଥ କମିସନ ପାଣ୍ଠିରେ ୯ଟି ଓ ଜାଗା ମିସନ ପାଣ୍ଠିରେ ୧୧ଟି ବସ୍ତିର ବିକାଶମୂଳକ କାର୍ଯ୍ୟ ‌ହୋଇଛି । ଠିକା ସଂସ୍ଥା ଓ ଆର୍‌ଏମ୍‌ସିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସଲାସୁତୁରାରେ ଏସବୁ କାମ କରାଯାଇଛି ବୋଲି ଅଭିଯୋଗ ହେଉଛି । ସ୍ବାଭାବିକ ଭାବେ, କେଉଁ ବସ୍ତିରେ କି କି କାମ ‌ହୋଇଛି, କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାର ତଥ୍ୟ ବିଭାଗୀୟ ଅଧିକାରୀ ଦେଉନାହାନ୍ତି । ବିଭାଗୀୟ ଉଚ୍ଚ ଅଧିକାରୀ ଶେଷ ହୋଇଥିବା କାମ ଓ ଚାଲିଥିବାର କାମର ତଦନ୍ତ କଲେ ଦୁର୍ନୀତିଖୋର ଅଧିକାରୀ ଓ ଠିକାସଂସ୍ଥାର ଅସଲ ମୁଖା ଖୋଲାଯାଇପାରନ୍ତା ।

Leave a Reply

Your email address will not be published. Required fields are marked *