ମୃତ୍ୟୁର ୨ ବର୍ଷ ପରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଘୋଷଣା ହେଉଛି ନାଁ

ବ୍ରହ୍ମପୁର : ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ୨୦୨୦ ଫେବୃଆରୀରେ ପ୍ରାଣ ହରାଇଥିବା ବ୍ରହ୍ମପୁରର ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା ହୋଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି ।

ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଘୋଷଣା କରିଛନ୍ତି । ତେବେ ଏହି ତାଲିକାରେ ଥିବା ଏକ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୨୦ ଫେବୃୟାରୀ ୧୨ ତାରିଖରେ ମିନାକ୍ଷୀ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଫେବୃୟାରୀ ୨୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହି ସମୟରେ ମିନାକ୍ଷୀ ଥିଲେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା । ଏକ ମିଥ୍ୟା ମାମଲାରେ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିବା ସେ ଅଭିଯୋଗ ଆଣିଥିଲେ । ତେବେ ମୃତ୍ୟୁର ୨ ବର୍ଷ ପରେ ତାଙ୍କ ନାମ ଘୋଷଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

Leave a Reply

Your email address will not be published. Required fields are marked *