ରାଉରକେଲା : ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ବ୍ୟାପକ ଜମି କେଳେଙ୍କାରୀର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସରକାରୀ ନୀତି ନିୟମକୁ ବେଖାତିର କରି ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ କୋଟି କୋଟିର ମୂଲ୍ୟବାନ ସରକାରୀ ଜମିକୁ ଶାଗମାଛ ଦରରେ ବିକ୍ରି କରି ଦିଆଯାଇଛି, କିଛି କ୍ଷେତ୍ରରେ ବିକ୍ରି କରିବାର ଉଦ୍ୟମ ହେଉଛି । ଅବଶ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଓ ଅଦାଲତଙ୍କ ଛାଟ ବାଜିବା ପରେ ପ୍ରଶାସନ କେତେକ ମାମଲାରେ ଓହରିବାକୁ ବାଧ୍ୟ ହୋଇଛନ୍ତି । ଏବେ ସହରର ସବୁଠାରୁ ସଂଭ୍ରାନ୍ତ ଓ ଦାମୀ ଇଲାକା ଭାବେ ପରିଚିତ ସିଭିଲ ଟାଉନ୍ସିପ୍ର ୧ ଏକର ବହୁମୂଲ୍ୟ ଜମିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର (ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ସେଣ୍ଟର) ନାଁରେ ଆଧୁନିକ ମେଟାଲିକ୍ସ କାରଖାନା ପ୍ରାୟ ୧୨ ବର୍ଷ ତଳେ ୧ ଏକର ଜମି ସରକାରଙ୍କ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍ଏସି) ଠାରୁ ନେଇଥିଲା । ତା’ ପୁଣି ଶାଗମାଛ ମୂଲ୍ୟରେ । ଏଲ୍ଏସି ନିୟମ ଅନୁଯାୟୀ, ଜମି ନେବାର ୩ ବର୍ଷ ମଧ୍ୟରେ ସମ୍ପୃକ୍ତ ଜାଗାରେ ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନିର୍ମାଣ ହେବା ବାଧ୍ୟତାମୂଳକ ଥିଲା । କିନ୍ତୁ ଆଜି ଯାଏ ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନିର୍ମାଣ ପାଇଁ ଖଣ୍ଡିଏ ଇଟା ମଧ୍ୟ ପଡିନାହିଁ । କେବଳ ଜାଗା ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କରି କାମ ସାରି ଦେଇଛନ୍ତି କାରଖାନା କର୍ତ୍ତୃପକ୍ଷ । ବର୍ତ୍ତମାନ ସମ୍ପୃକ୍ତ ଜାଗାର ଡେସିମିଲ୍ ପ୍ରତି ସରକାରୀ ମୂଲ୍ୟ ରହିଛି ପାଖାପାଖି ୨୨ ଲକ୍ଷ । ଅର୍ଥାତ୍ ୧ ଏକର ଜମିର ମୂଲ୍ୟ ୨୨ କୋଟି । ଏହାର ବେସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ। ଏ ସଂକ୍ରାନ୍ତରେ ଏଲ୍ଏସି ଅଧିକାରୀ ଅବଗତ ଅଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଜମି କିପରି ଫେରିବ, ଏଥିପାଇଁ କୌଣସି ପ୍ରକ୍ରିୟା ହେଉ ନାହିଁ । ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ।

ଉଲ୍ଲେଖନୀୟ ଯେ କୁଆରମୁଣ୍ଡା ସ୍ଥିତ ଆଧୁନିକ ମେଟାଲିକ୍ସ କାରଖାନା ଇତି ମଧ୍ୟରେ ୨ ଥର ବିକ୍ରି ହୋଇସାରିଲାଣି । ସୁନ୍ଦରଗଡରୁ ଏହି ସଂସ୍ଥା ୪ ବର୍ଷ ପୂର୍ବରୁ ଚାଲିଗଲାଣି । ଏହି ମୂଲ୍ୟବାନ ଜମିକୁ ଏଲ୍ଏସି ନିଜ ଖାତାକୁ ଆଣିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ । ଆହୁରି ଉଦ୍ବେଗଜନକ କଥା ହେଉଛି, ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନାଁରେ କାରଖାନା କର୍ତ୍ତୃପକ୍ଷ ହାତେଇଥିବା ମୂଲ୍ୟବାନ ଜମି ଏବେ ବ୍ୟାଙ୍କରେ ବନ୍ଧା ପଡିଛି । ଏହି ଜମିକୁ ବନ୍ଧାପକାଇ କାରଖାନା କର୍ତ୍ତୃପକ୍ଷ ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ କାରଖାନାରେ ବିନିଯୋଗ କରିଥିଲେ । କିନ୍ତୁ ପରିଚାଳନାଗତ ତ୍ରୁଟି ଅବା ବିଭିନ୍ନ କାରଣରୁ କାରଖାନା ବନ୍ଦ ହୋଇଗଲା । ମାଲିକ କାରଖାନାରେ ତାଲା ମାରି ଚାଲିଗଲେ । କାରଖାନା ନିଲାମ ହୋଇ ଅନ୍ୟ ସଂସ୍ଥା ହାତକୁ ଚାଲି ଗଲାଣି ।
ଏବେ ରାଉରକେଲା ଓ କୁଆରମୁଣ୍ଡାରେ ମୂଳ କାରଖାନା ମାଲିକଙ୍କର କୌଣସି ଚିହ୍ନବର୍ଣ୍ଣ ନଥିବାବେଳେ ଏହି ମୂଲ୍ୟବାନ ଜମିକୁ ଏଲ୍ଏସି କେମିତି ଛାଡି ଦେଇଛନ୍ତି, ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଜମିକୁ କାରଖାନାର ନୂଆ ମାଲିକଙ୍କ ହାତକୁ ଟେକି ଦେବାକୁ ଏବଂ ମାଲିକାନା ପାଇବା ପରେ ନୂଆ ମାଲିକ ଏହାକୁ ଆଉ କାହାକୁ ବିକ୍ରି କରିଦେଇ ବା ସର୍ତ ବିପରୀତ ଅନ୍ୟ କୌଣସି କାମରେ ବିନିଯୋଗ କରି ମୋଟା ଅଙ୍କ ପକେଟରେ ଭର୍ତି କରିବାଲାଗି ଯୋଜନା କରୁଥିବାର ଅଭିଯୋଗ ହେଉଛି । ଅଭିଯୋଗ ହେଉଛି ଯେ ଏହି ପ୍ରକ୍ରିୟାରେ କିଛି ସରକାରୀ ବାବୁ କାରଖାନାର ବର୍ତ୍ତମାନ କର୍ତ୍ତୃପକ୍ଷଙ୍କ ସହିତ ଅନୈତିକ ବୁଝାମଣା କରି ଖୁବ୍ ଉତ୍ସାହର ସହିତ ସହଯୋଗ କରୁଛନ୍ତି । ୫୦ କୋଟିର ଏହି ଜମିର ଅନୈତିକ ବିକ୍ରିବଟା ପ୍ରସଙ୍ଗରେ ପ୍ରଶାସନ ଦୃଷ୍ଟିଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।
