ନକଲି ଔଷଧର ଚେର ଖୋଜୁଛି ଡ୍ରଗ ବିଭାଗ ; ୬ଟି ସ୍ଥାନରେ ଚଢ଼ଉ

ସମ୍ବଲପୁର : କରୋନା ସମୟରେ ସାରା ରାଜ୍ୟରେ ନକଲି ଔଷଧ ଧରା ପଡିବାର ଏକ ବର୍ଷ ପରେ ପୁର୍ନବାର ନକଲି ଔଷଧ କଳାବଜାରୀମାନେ ସକ୍ରିୟ ହୋଇ ଉଠିବାର ଖବର ମିଳିବା ପରେ ଡ୍ରଗ ବିଭାଗ ସକ୍ରିୟ ହୋଇପଡିଛି । ସମ୍ବଲପୁର ଠାରେ ଗତ ୮ ତାରିଖରେ ଔଷଧ ମିଳିବା ପରେ ସେଗୁଡିକୁ ବଜାରକୁ ବିକ୍ରି ପାଇଁ ଛଡା ନ ଯାଇ ଗଚ୍ଛିତ ରଖାଯାଇ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଲାବ୍ରୋଟାରୀକୁ ପଠାଯାଇଛି । ନକଲି ଔଷଧ ମିଳିବା ପରେ ଅନ୍ୟ କୌଣିସ ବ୍ରାଣ୍ଡ କିମ୍ବା ଅନ୍ୟ ରୋଗ ପାଇଁ ମିଳୁଥିବା ସନ୍ଦେହରେ ଡ୍ରଗ ବିଭାଗର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁର ଠାରେ ବିଭିନ୍ନ ଔଷଧ ହୋଲସେଲ ଏଜେନ୍ସିଗୁଡିକରେ ଚଢ଼ଉ କରି ଯାଞ୍ଚ କରୁଛନ୍ତି ।

ଏହି ସ୍ୱତନ୍ତ୍ର ଦଳରେ ଭୁବନେଶ୍ୱରରୁ ଆସିଥିବା ଡିଆଇ ଡ୍ରଗ ନିୟନ୍ତ୍ରକ (ପ୍ରଶାସନିକ) ଅଧିକାରୀ ବିଦ୍ୟୁତ କୁମାର ଦାଶ, ଏଡିସି ଜ୍ୟୋତି ରଞ୍ଜନ ପଣ୍ଡା, ସମ୍ବଲପୁର ଜୋନ ଏଡିସି ମୁକେଶ କୁମାର ଧରୁଆ ଓ ସମ୍ବଲପୁର ରେଞ୍ଜ ଡ୍ରଗ ନିୟନ୍ତ୍ରକ ସତ୍ୟନାରାୟଣ ମଲ୍ଲିକ ସାମିଲ ରହିଛନ୍ତି । ଏହି ଦଳ ଶନିବାର ସମ୍ବଲପୁରରେ ଗୋଟିଏ ହୋଲସେଲ ଏଜେନ୍ସିରେ ଚଢ଼ଉ କରିଥିବା ବେଳେ ରବିବାର ୨ଟି ହୋଲସେଲ ଏଜେନ୍ସି ଓ ୩ଟି ରିଟେଲ ଦୋକାନଗୁଡିକରେ ଚଢ଼ଉ କରି ଯାଞ୍ଚ କରିଛନ୍ତି । ତଦନ୍ତ ସମୟରେ ଦଳକୁ ନିତ୍ୟ ବ୍ୟବହାର୍ଯ୍ୟ ଜୀବନ ରକ୍ଷାକାରୀ ୩୦ ପ୍ରକାର ସନ୍ଦିଗ୍ଧ ଔଷଧ ମିଳିବାରୁ ସେଗୁଡିକୁ ସିଜ କରି ଦିଆଯାଇଛି ଏବଂ ନମୁନା ସଂଗ୍ରହ କରାଯାଇ ଗବେଷଣାଗାରକୁ ଯାଞ୍ଚ ପାଇଁ ପଠାଯିବ ।

କଟକ, ଭୁବନେଶ୍ୱର ଠାରୁ ନକଲି ଔଷଧ ମିଳିବା ପରେ ତାର ଚେର ସମ୍ବଲପୁର ସମେତ ପଶ୍ଚିମ ଓଡିଶାକୁ ଲମ୍ବିଥିବାରୁ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ଓ ଚଢ଼ଉ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାଗୁଡିକରେ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଅପରପକ୍ଷରେ ପୁନର୍ବାର ନକଲି / ସନ୍ଦିଗ୍ଧ ନିତ୍ୟ ବ୍ୟବହାର୍ଯ୍ୟ ଜୀବନ ରକ୍ଷାକାରୀ ଔଷଧଗୁଡିକ ବଜାରକୁ ଆସିବାର ଖବର ମିଳିବା ପରେ ଔଷଧ ବିକ୍ରେତାମାନଙ୍କ ସମେତ ଜନତାଙ୍କ ମଧ୍ୟରେ ଭୟର ସଞ୍ଚାର ହୋଇଛି । ନକଲି ଔଷଧ ବେପାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ଜୁନ ମାସରେ ସାରା ରାଜ୍ୟ ସମେତ ସମ୍ବଲପୁର ଠାରେ ମଧ୍ୟ କ୍ରମାଗତ ନକଲି ଔଷଧ ଜବତ ହେବା ପରେ ଭୟରେ ଅସାଧୁ ବ୍ୟବସାୟୀମାନେ ନକଲି ଔଷଧ ଏଣେ ତେଣେ ଫିଙ୍ଗି ଦେଇଥିବାର ମଧ୍ୟ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *