ଫେଲ ମାରିଛି ଆଳୁ ମିଶନ, ବଜାରରେ ଆଳୁଦର ୨୮ ରୁ ୩୦ ଟଙ୍କାରେ ପହଞ୍ଚିଛି

ଭୁବନେଶ୍ୱର : ରାଜ୍ୟରେ ଘନେଇଲାଣି ଆଳୁ ସଙ୍କଟ । ରାଜ୍ୟ ସରକାରଙ୍କ ତମାମ ବାହାସ୍ଫୋଟ, ବିଧାନସଭାରେ ଆଳୁ ମିଶନ ସଫଳ ହୋଇଥିବା ନେଇ ତତ୍କାଳୀନ କୃଷିମନ୍ତ୍ରୀ ଅରୁଣ ସାହୁ ଛାତି ପିଟିବା ପରେ ମଧ୍ୟ ଆଳୁ ମିଶନ କିନ୍ତୁ ବାସ୍ତବରେ ଫେଲ୍ ହୋଇଛି । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ତିନି ଟଙ୍କା ବଢ଼ିଛି ଆଳୁଦର । ଏପ୍ରିଲରେ ମଧ୍ୟ ଆଳୁ କେଜି ୪ ରୁ ୫ ଟଙ୍କା ଦର ବଢ଼ିଥିଲା । ବର୍ତ୍ତମାନ ବଜାରରେ ଆଳୁଦର ୨୮ ରୁ ୩୦ ଟଙ୍କାରେ ପହଞ୍ଚିଛି । ରାଜ୍ୟ ପାଇଁ ଦୈନିକ ୪ ହଜାର ଟନ ଆଳୁ ଦରକାର ପଡୁଥିବା ବେଳେ ବାର୍ଷିକ ୧୪ ଲକ୍ଷ ଟନର ଆବଶ୍ୟକତା ରହିଛି ।

ହେଲେ ରାଜ୍ୟରେ ୮୦ ହଜାର ଟନ ଆଳୁ ଅମଳ ହେଉଛି । ବାକି ୧୩ ଲକ୍ଷ ୨୦ ହଜାର ଟନ ଆଳୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ ଆମଦାନୀ କରିବାକୁ ପଡୁଛି । ବର୍ତ୍ତମାନ ଆସାମ, ୟୁପିରୁ ଆଳୁ ଆମଦାନୀ ବନ୍ଦ ଥିବାବେଳେ ପଶ୍ଚିମବଙ୍ଗ  ହିଁ ଭରସା । ସେଥିପାଇଁ ପଶ୍ଚିମବଙ୍ଗ ଅନୁସାରେ ବଢ଼ୁଛି ଦର । ତେଣୁ କିନ୍ତୁ ବାସ୍ତବରେ ଆଳୁ ମିଶନ କେତେଦୂର ସଫଳ ହୋଇଛି ତାହା ବର୍ତ୍ତମାନ ବଜାର ଦରରୁ ବାରି ହୋଇ ପଡୁଛି । ତେବେ ଖାଲି ଆଳୁ ନୁହେଁ, ପିଆଜ ଦର ମଧ୍ୟ ଏବେ ଉପରମୁହାଁ । ତିନି ଦିନ ମଧ୍ୟରେ ଦୁଇ ଟଙ୍କା ବଢ଼ିଛି ପିଆଜ । ଆଗକୁ ଆହୁରି ଦର ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *