ଦୁଇ ଦିନିଆ ହରତାଳର ପ୍ରଥମ ଦିନରେ ବନ୍ଦର ଆଂଶିକ ପ୍ରଭାବ, ମାତ୍ର ବିଜେପି ଶାସନ ବିରୁଦ୍ଧରେ ଜନ ଅସନ୍ତୋଷ କୁହୁଳୁଛି

ବାଲେଶ୍ବର : ଦେଶର ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସଂଗଠନ ଓ ବିଭିନ୍ନ କ୍ଷେତ୍ରର କର୍ମଚାରୀ ଫେଡେରେଶନମାନଙ୍କ ସଂଯୁକ୍ତ ମୋର୍ଚ୍ଚାର ୧୨ ଦଫା ଦାବି ଭିତ୍ତିରେ “ଜନଗଣଙ୍କୁ ବଞ୍ଚାଅ – ଭାରତ ବଞ୍ଚାଅ” ଆହ୍ୱାନର ସାଧାରଣ ଧର୍ମଘଟ-ହରତାଳ ଆହ୍ୱାନ ବାଲେଶ୍ବରରେ ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଅଛି । ବ୍ୟାଙ୍କ, ବୀମା, ସଡ଼କ ପରିବହନ, ଯାତ୍ରୀ ପରିବହନ, ପଥପାର୍ଶ୍ଵ ବ୍ୟବସାୟ, କୋର୍ଟ କଚେରୀ ସମ୍ପୂର୍ଣ୍ଣ ବନ୍ଦଥିବାବେଳେ, ଘରୋଇ ସ୍କୁଲ କଲେଜରେ ଛାତ୍ରଛାତ୍ରୀ ଉପସ୍ଥାନ ନଥାଇ ଖୋଲାଅଛି । ରେଳ ଲାଇନରେ ଆନ୍ଦୋଳନକାରୀ ରେଳ ରୋକ କରିଥିବା ବେଳେ, ସରକାରୀ ଅଫିସ ଦପ୍ତରରେ ଆନ୍ଦୋଳନକାରୀ ପିକେଟିଙ୍ଗ କରି ବନ୍ଦ କରୁଥିବାର ଦେଖିବାକୁ ମିଳିଛି । ହରତାଳ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ସବୁ ଛକ, ବଜାର ଓ ଅଫିସ ଦପ୍ତର ସୁରକ୍ଷାରେ ସଶସ୍ତ୍ର ପୋଲିସ ମହଜୁଦ ଅଛନ୍ତି । ସମଗ୍ର ଜିଲ୍ଲାରେ ଡାକ୍ତରଖାନା, ଔଷଧ ଦୋକାନ, ଫାୟାର ବ୍ରିଗେଡ, ଆମ୍ବୁଲାନ୍ସ, ଓମଫେଡ ଦୁଗ୍ଧ, ଜଳ ଯୋଗାଣ, ବିଦ୍ୟୁତ ସରବରାହ ଖୋଲାଅଛି । ସହରର ବିଭିନ୍ନ ସ୍ଥାନରେ ଟାଟା ପାୱାର ଅଧିକାରୀମାନଙ୍କ ଗାଡି ସବୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ।

୧୨ ଦଫା ଦାବିଗୁଡିକ :- ୧) ଦରଦାମ ବୃଦ୍ଧି ବନ୍ଦ କର, ୨) ବେରୋଜଗାରୀଙ୍କୁ କର୍ମ ନିଯୁକ୍ତି ଅଥବା ରୋଜଗାର ଦିଅ ଓ ଜୀବିକା ଉଛେଦ ବନ୍ଦ କର, ୩) ନେଶନାଲ ମନେଟାଇଜିଙ୍ଗ ପାଇପଲାଇନ (NMP) ନାମରେ ରାଷ୍ଟ୍ରୀୟତ୍ତ ଉଦ୍ୟୋଗ, ରାଷ୍ଟ୍ରୀୟ ସମ୍ବଳ ସବୁର ଘରୋଇକରଣ କରି କମ୍ପାନୀମାନଙ୍କ ପାଦ ତଳେ ସମର୍ପଣର ଭାରତ ବିକ୍ରୟ ଷଡ଼ଯନ୍ତ୍ର ବନ୍ଦ କର, ୪) ୪୪ ଟି ଶ୍ରମ ଆଇନ ବାତିଲ କରି କ୍ରୀତଦାସ ପ୍ରଥା ପୁନଃ ପ୍ରଚଳନ ଉଦ୍ଦେଶ୍ୟରେ ନୂତନ ଭାବେ ପ୍ରଣିତ ୪ଟି ଶ୍ରମ କୋଡ଼ ବାତିଲ କର, ୫) ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ କର, ୬) ସ୍କିମ ୱାର୍କର ଯଥା: ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ ପାଚିକାଙ୍କୁ ୱାର୍କର ମାନ୍ୟତା ପ୍ରଦାନ କର, ୭) ଚୁକ୍ତି ଭିତ୍ତିକ, ଠିକା କର୍ମଚାରୀ ଓ ସ୍କିମ ୱାର୍କରଙ୍କୁ ସ୍ଥାୟୀ କରାଅ , ୮) ମାସିକ ସର୍ବନିମ୍ନ ମଜୁରୀ/ଭତ୍ତା ୨୬ ହଜାର ଟଙ୍କା ପ୍ରଦାନ କର । ଅସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ସାର୍ବଜନୀନ ସାମାଜିକ ସୁରକ୍ଷା ସହ ସର୍ବନିମ୍ନ ମାସିକ ପେନସନ ବ୍ୟବସ୍ଥା କର, ୯) ନୂତନ ଜାତୀୟ ପେନସନ ବ୍ୟବସ୍ଥା ବାତିଲ କରି ପୁରୁଣା ପେନସନ ବ୍ୟବସ୍ଥା ପୁନର୍ବାହାଲ କର, ୧୦) ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କର, ୧୧) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଗେରେଣ୍ଟି ଆଇନରେ ବର୍ଷକୁ ୨ ଶହ ଦିନ କର୍ମ ନିଯୁକ୍ତି ସହ କେନ୍ଦ୍ରୀୟ ସର୍ବନିମ୍ନ ମଜୁରୀ ହାରରେ ମଜୁରୀ ପ୍ରଦାନ ସୁନିଶ୍ଚିତ କର ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ଭଳି ସହରାଞ୍ଚଳ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କର ଓ ୧୨) କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ପରେ ୬ ସୂତ୍ରୀ ଦାବି ଭିତ୍ତିରେ ନୂତନ ଆଇନ ପ୍ରଣୟନ ପ୍ରତିଶୃତି କାର୍ଯ୍ଯକାରୀ କରିବା ଦାବିରେ ଏହି ଧର୍ମଘଟ ହୋଇଥିବା ବେଳେ ପେଟ୍ରୋଲ, ଡିଜେଲ, ରନ୍ଧନ ପାଇଁ ଜାଳେଣି ଗ୍ୟାସ ଦର ବୃଦ୍ଧି ଜନିତ ସମସ୍ତ ସାମଗ୍ରୀର ଦର ବୃଦ୍ଧି ଲୋକଙ୍କ ସଙ୍କୁଚିତ ଆୟ ଉପରେ ଗଭୀର ପ୍ରଭାବ ପକାଇଛି । ଦରବୃଦ୍ଧି ବିରୋଧରେ ହୋଇଥିବା ଧର୍ମଘଟରେ ପ୍ରତ୍ୟକ୍ଷ ଭାଗିଦାର ନଥିବା ଲୋକଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ପରିଲକ୍ଷିତ ହୋଇଅଛି । ଧର୍ମଘଟକାରୀମାନେ ନୂତନ ଭାବେ ପ୍ରଣିତ ଶ୍ରମ କୋଡ଼, ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଭଳି କଳା ଆଇନ, ନେଶନାଲ ମୋନେଟାଇଜିଙ୍ଗ ପାଇପଳାଇନ (ଏନଏମପି), ଜାତୀୟ ଶିକ୍ଷାନୀତି – ୨୦୨୦, ନୂତନ ଜାତୀୟ ପେନସନ ସ୍କିମ ପ୍ରତ୍ୟାହାର ସହ ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା, ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଦାବି କରୁଥିବା ବେଳେ, ରାଷ୍ଟ୍ରୀୟ ସମ୍ପଦ ଯଥା ପାରାଦୀପ ବନ୍ଦର, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ନାଲକୋ, ରେଳ, ଜାତୀୟ ରାଜପଥ ସବୁ ୪୦/୫୦ ବର୍ଷ ପାଇଁ ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର ବିରୋଧରେ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି । ଆଜି ସକାଳରୁ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏନଏଫଆଇଟିୟୁ, ଏନଏଚଏଫ, ଏଆଇଡିଏଫ, ବିକେଏମୟୁ, ଓଡ଼ିଶା ମୋଟର କର୍ମଚାରୀ ସଂଘ, ପାୱାର ଏମ୍ପ୍ଲୋଇଜ ୟୁନିୟନ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଙ୍ଘ, ଓଡ଼ିଶା ସେଲସ ରିପ୍ରେଜେଣ୍ଟେଟିଭ ୟୁନିୟନ, ଓଡ଼ିଶା ପଥବିକ୍ରେତା ସଙ୍ଘ, ଅଟୋ ଚାଳକ ସଂଘ, ରିକ୍ସା ଚାଳକ ସଙ୍ଘ, ମାଲଗୋଦାମ ମୁଟିଆ ସଙ୍ଘ ଇତ୍ୟାଦି ସହ ବାଲେଶ୍ବର ଟ୍ରେଡ଼ ୟୁନିୟନ ଆସୋସିଏସନ ସମନ୍ବୟ କମିଟି ଇତ୍ୟାଦିର ସଭ୍ୟ ସମର୍ଥକମାନେ ଦଳଦଳ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟିୟୁଏସିସିର ଗୌରାଙ୍ଗ ପାଣିଗ୍ରାହୀ, ଆଇଏନଟିୟୁସିର ସୁରେଶ ବେହେରା, ବିକାଶ ଦାଶ, ବାସନ୍ତୀ ସାମଲ, ନିରଞ୍ଜନ ସାହୁ, ଏଆଇଟିୟୁସିର ଜୟନ୍ତ ଦାସ, ଶ୍ୟାମ ସୁନ୍ଦର ଜେନା, ଶରତ ଦଳେଇ, ଏଚଏମଏସର ଅରୁଣ ସ୍ୱାଇଁ, ସ୍ନେହାଦିତ୍ୟ ତ୍ରୀପାଠୀ, ସୁଜଲ ଚୋୖଧୁରୀ, ଶରତ ଦାସ, କୌଶିକ ଘୋଷ, ସିଆଇଟିୟୁର ନିର୍ମଳ ନାୟକ, ଅଶିତ ବରଣ ଦାସ, ଶ୍ୟାମ ସୁନ୍ଦର ଜେନା, ଏଆଇୟୁଟିୟୁସିର ରବି ବେହେରା, ଏନଏଫଆଇଟିୟୁର ଶାନ୍ତନୁ ଦାସ, ଟିୟୁସିସିର ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ଗଦାଧର ଜେନା, ଏନଓଏକେଏସର ପ୍ରତିଭା ପାଲ, ନୀଳିମା ଜେନା, ନିୟତୀ ସାହୁ, ସୁଷମା ପାତ୍ର, ନିର୍ବାସିନୀ ପ୍ରଧାନ, ଶାନ୍ତିଲତା ମାଝୀ, ରିଙ୍କି ହାଲଦାର, ଦୀପ୍ତି ରେଖା, ନମିତା ବେହେରା, ଶକୁନ୍ତଳା ମାଝୀ, ଓଡ଼ିଶା ପଥ ବିକ୍ରେତା ସଙ୍ଘର ଆବିଦ ଖାନ, ମନୋଜ ରାଠୋର, ଅଭିରାମ ବାରିକ, ରାମଚନ୍ଦ୍ର ପରିଡା, ଟିପିରି ସିଂ, ଅବଦୁଲ ରଫିକ, ସେକ ଇସ୍ଲାମ, ଜୟନ୍ତୀ ଦାସ, ସୁଧାଂଶୁ ଶାହା, ସହଦେବ ମହାନ୍ତି, ରବି ସାହୁ, ମନୋରଞ୍ଜନ ଆଶ, ରିଆଜୁଦ୍ଦିନ, ଦିବାକର ଜେନା, ମମତା ରାଉତ, ସାରଥୀ ମହାନ୍ତି, ପାୱାର ଏମ୍ଲୋୟିଜ ୟୁନିୟନର ଭରତ ସେଠୀ, ବିକେଏମୟୁର ସୁହାଗୀ ମାଝୀ, ଯତୀନ ପାତ୍ର, ଉତ୍କଳ ମହିଳା ସମିତିର ବନ୍ଦନା ପାତ୍ର, ଅଖିଳ ଭାରତ ଯୁବ ସଙ୍ଘର ତପନ କୁମାର ସିଟ, ଅଖିଳ ଭାରତ ଛାତ୍ର ସଙ୍ଘର ସୁଇଟି ଜେନା, ଓମପ୍ରକାଶ ଧଳ ସମେତ ଶହଶହ ବିକ୍ଷୋଭକାରୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *