କେନ୍ଦ୍ରାପଡା : ଡିଲରଙ୍କ ମନମାନି । ରାସନ ଦେବା ବଦଳରେ ଲୋକଙ୍କ ରାସନ କାଟି ଦେଉଛନ୍ତି ଡିଲର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ଗରିବ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗରିବ ସୀମାରେଖା ତଳେ ରହୁଥିବା ଲୋକଙ୍କ ଲାଗି ରାଜ୍ୟ ସରକାର ମାସିକ ରାସନ ଯୋଗାଇବାର ସୁବନ୍ଦୋବସ୍ତ କରିଛନ୍ତି । କିଛି ଡିଲର ନିଜର ମନମାନି କରି ଦଳୀୟ ଭିତ୍ତିରେ ଗରିବ ଲୋକଙ୍କ ରାସନ କାଟିଦେବା ଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।
ଯାହାର ଜ୍ୱଳନ୍ତ ଉଦାହରଣ ଆଜି କୋଇଲିପୁର ପଞ୍ଚାୟତରୁ ଆସିଛି । କୋଇଲିପୁର ପଞ୍ଚାୟତର ଜଣେ ୭୦ ବର୍ଷର ବୃଦ୍ଧ ଶତ୍ରୁଘ୍ନ ସାମଲ ଦୁଇ ବର୍ଷ ହେଲା ନିଜର ରାସନ ସାମଗ୍ରୀ ଡିଲରଙ୍କ ଠାରୁ ପାଇବାରୁ ବଞ୍ଚିତ ହୋଇ ଡିଲରଙ୍କୁ ନିବେଦନ କରିବାରୁ ଡିଲର ଚାରିସହ ଟଙ୍କା ମାଗୁଥିବା ଭଳି ଅଭିଯୋଗ ଆସିଛି । ଏନେଇ ରାଜକନିକା ବିଡ଼ିଓଙ୍କୁ ଭେଟିଛନ୍ତି ଅଭିଯୋଗକାରୀ । ନିଜର ଦାବି ଜଣାଇବା ସହ କାନ୍ଦି କାନ୍ଦି ବିଡ଼ିଓଙ୍କ ଗୋଡ଼ ଧରିବା ଭଳି ଦୃଶ୍ୟ ନଜରକୁ ଆସିଛି । ଯାହା ଏବେ ରାଜକନିକା ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
