ଦୁର୍ନୀତିରେ ବୁଡ଼ିଛି ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ

ବରଗଡ଼ : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ବି‌େରାଧରେ ପୂର୍ବରୁ ଗୁଡ଼ାଏ ଦୁର୍ନୀତି ଅଭିଯୋଗ ହୋଇଛି । ପୋଷାକ କିଣାରେ କମିସନି କାରବାର, ଖେଳ ସାମଗ୍ରୀ ଖରିଦରେ କେଳେଙ୍କାରୀ, ସରକାରୀ ଅନୁଦାନ ହଡପ୍‌ ଏବଂ ସଦ୍ୟ ଭାବେ ମଧ୍ୟାହ୍ନ ଭୋଜନରେ ହେରଫେର୍‌ ଆଦି ଅଭିଯୋଗ ତାଲିକାରେ ରହିଛି । ଏନେଇ ପୂର୍ବରୁ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ବିଭିନ୍ନ ସଂଗଠନ ଏବଂ ସଂସ୍ଥା ମାମଲାର ତଦନ୍ତ କରିବାକୁ ଦାବି କରିଥିଲେ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳୁଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌ ।

ପ୍ରଥମେ ପିଲାଙ୍କୁ ନିମ୍ନମାନର ଜୋତା ଏବଂ ପୋଷାକ ଦେବା ମାମଲା ସାମନାକୁ ଆସିଥିଲା । ଜିଲ୍ଲାରେ ପ୍ରତିବର୍ଷ ବିଭିନ୍ନ ବର୍ଗର ମୋଟ୍‌ ୧୪୨୬ଟି ସ୍କୁଲକୁ ପାଖାପାଖି ୮ କୋଟି ଟଙ୍କାର ଅନୁଦାନ ପୋଷାକ ଏବଂ ଜୋତା କିଣିବା ବାବଦକୁ ଆସୁଛି । ସ୍କୁଲର ପିଲା ସଂଖ୍ୟା ଅନୁସାରେ ଟଙ୍କା ସ୍କୁଲର ଆକାଉଣ୍ଟରେ ପଡ଼ୁଥାଏ । ସ୍କୁଲ କର୍ତୃପକ୍ଷ ସିଧା ବେପାରୀଙ୍କୁ ଯୋଗାଯୋଗ କରୁଛନ୍ତି । ଧାର୍ଯ୍ୟ ମୂଲ୍ୟ ଅନୁସାରେ, ଧଳା ସାର୍ଟ ଓ ହାଫ୍‌ ପ୍ୟାଣ୍ଟ ଗୋଟିଏ ହଳକୁ ୧୯୦.୪୮ ଟଙ୍କା, ଆକାଶୀ ରଂଗର ଫ୍ରକ୍‌  କିମ୍ବା ସଲୱାର୍‌ ସୁଟ୍‌ ପାଇଁ ୧୯୦. ୪୮ ଟଙ୍କା ଏବଂ କଳା ‌ଜୋତା ସହ ସକ୍ସ୍‌ ପାଇଁ ୧୯୦.୪୮ ଟଙ୍କା ରହୁଛି । ଏଥିରେ ୫% ଜିଏସ୍‌ଟି (୨୮.୫୬ଟଙ୍କା) ଯୋଡ଼ିବା ପରେ ମୋଟ୍‌ ୬ଶହ ଟଙ୍କା  ଉଲ୍ଲେଖ ରହୁଛି । କୋଟେସନ୍‌ ମାଧ୍ୟମରେ ସାମଗ୍ରୀଗୁଡ଼ିକୁ ସ୍କୁଲ କର୍ତୃପକ୍ଷ ବରାଦ କରୁଛନ୍ତି । ଚେକ୍‌ ଆକାରରେ ବେପାରୀଙ୍କୁ ଟଙ୍କା ପୈଠ କରାଯାଉଛି । କିନ୍ତୁ ପୂର୍ବ ସଲାସୁତୁରା ଅନୁସାରେ ବେପାରୀ ଗୋଟିଏ ହଳ ପୋଷାକ ଓ ଜୋତା ବାବଦକୁ ନିଜେ ପାଇଥିବା ୬ ଶହ ଟଙ୍କାରୁ ୨ ଶହ ଟଙ୍କା ଯାଏ ସ୍କୁଲ କର୍ତୃପକ୍ଷଙ୍କୁ କମିସନ୍‌ ଆକାରରେ ଦେଉଛି ।

ଏନେଇ ପୂର୍ବରୁ ସମସ୍ତ ତଥ୍ୟ ସମେତ ଖବର ପ୍ରକାଶ ପାଇଥିଲା । ସେହିପରି କରୋନାର ଉଭୟ ପ୍ରଥମ ଏବଂ ଦ୍ବିତୀୟ ଲହର ବେଳେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା । କିନ୍ତୁ ଲକ୍‌ଡାଉନ୍‌ ସମୟରେ ପ୍ରାଥମିକ ସ୍କୁଲକୁ ୨୫ ହଜାର ଟଙ୍କା ଲେଖାଏଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ୍‌କୁ ୫୦ ହଜାର ଟଙ୍କା ଲେଖାଏଁ ଉନ୍ନୟନ କାମ ବାବଦକୁ ସରକାରୀ ଅନୁଦାନ ଆସିଥିଲା । ଏପରିକି ଇକୋ କ୍ଲବ୍‌ ପାଇଁ ପ୍ରାଥମିକ ସ୍କୁଲକୁ ୫ ହଜାର ଟଙ୍କା ଲେଖାଏଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ୧୦ ହଜାର ଟଙ୍କା ଲେଖାଏଁ  ଅନୁଦାନ ପହଂଚିଥିଲା । ଏହାବାଦ୍‌ ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲାର ପ୍ରତି ସ୍କୁଲକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଟଙ୍କା ଆସିଥିଲା । ଗୋଟିଏ ଲେଖାଏଁ ପ୍ରାଥମିକ ସ୍କୁଲକୁ ୫ ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା ଲେଖାଏଁ ସରକାରୀ ସହାୟତା ରାଶି ମିଳିଥିଲା । କିନ୍ତୁ ସ୍କୁଲ ବନ୍ଦ ଥିବାବେଳେ ଏସବୁ ଟଙ୍କା ଲାଗିଲା କେଉଁଠି ? ଏନେଇ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କିଛି ଖୋଳତାଡ଼ ହୋଇ ନାହିଁ । ତେଣୁ ବିଭାଗରେ ଦୁର୍ନୀତିର ସୀମା ଟପିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *