ପୋଲସରା : ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି । ବିଦ୍ୟୁତ୍ ଚାଲିଯିବାପରେ ଜେନେରେଟ୍ର ସୁବିଧା ନଥିବାରୁ କେବଳ ମହମବତି ଲଗାଇ ରୋଗୀ ଚିକିତ୍ସା କରାଯାଇନାହିଁ, ମୋବାଇଲ୍ ଟର୍ଚ୍ଚରେ ବି ପ୍ରସବ ମଧ୍ୟ କରାଯାଇଛି । ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ, ଏଭଳି ଏକ ପରିସ୍ଥିତିରେ ଡାକ୍ତରମାନେ ମହିଳାଙ୍କ ସୁରକ୍ଷିତ ପ୍ରସବ କରିଥିବାରୁ ସାଧାରଣରେ ପ୍ରଶଂସା ଭାଜନ ହୋଇପାରିଛନ୍ତି ।
ଗତକାଲି ସଂଧ୍ୟା ସମୟର ଘଟଣା । ଏହା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୪ଟା ସମୟରେ କଳମ୍ବ ଗ୍ରାମର ତପସ୍ବିନୀ ସାହୁଙ୍କୁ ପୋଲସରା ଡାକ୍ତରଖାନାକୁ ଅଣାଯାଇଥିଲା । ସେତେବେଳକୁ ସେ ପ୍ରସବ ବେଦନା ଅନୁଭବ କରିସାରିଥିଲେ । ହଠାତ୍ ବିଦ୍ୟୁତ କାଟ ଯୋଗୁଁ ସମଗ୍ର ଡାକ୍ତରଖାନା ଅନ୍ଧାରରେ ଡୁବି ରହିଥିଲା । ଜେନେରେଟର୍ ସୁବିଧା ନଥିବାରୁ ସହସା ଆଲୁଅର କୌଣସି ବିକଳ୍ପ ବ୍ୟବସ୍ଥା ବି ନଥିଲା । ଏହାପରେ, ପ୍ରଥମା ଚାମ୍ବର୍ ଭିତରେ ଡାକ୍ତର ପ୍ରଜ୍ଞାଙ୍କୁ ମହମବତି ଲଗାଇ ରୋଗୀ ସେବା କରିବାକୁ ପଡ଼ିଥିଲା । ଏପଟେ ଲେବର୍ ରୁମ୍ରେ ମୋବାଇଲ୍ ଟର୍ଚ୍ଚ ଦ୍ବାରା ତପସ୍ବିନୀଙ୍କ ପ୍ରସବ କାର୍ଯ୍ୟ ଚାଲିଥିଲା । ସନ୍ଧ୍ୟା ୭ଟାରେ ତପସ୍ବିନୀଙ୍କୁ ଲେବର୍ ରୁମ୍କୁ ନିଆ ଯାଇଥିବାବେଳେ ମୋବାଇଲ୍ ଟର୍ଚ୍ଚ ଲଗାଇ ତାଙ୍କୁ ଇଞ୍ଜେକ୍ସନ୍ ଦେବାସହ ପ୍ରସବ କରାଗଲା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଆସି ନଥିଲା । ଆଉ ସୁରକ୍ଷିତ ଅସ୍ତ୍ରୋପଚାର ଦ୍ବାରା ତପସ୍ବିନୀ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
