ଟିକିରି : ରୟାଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ଥ ଓଷାପଡା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଟୀକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଦାଶଙ୍କ ତତ୍ୱାବଧାନରେ ସଂଯୋଜିତ ହୋଇଯାଇଛି । କୋଭିଡ୍-୧୯ ବର୍ତମାନ ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହିପରି ବିପର୍ଯ୍ୟୟ ଜନିତ ରୋଗରୁ ଲୋକଙ୍କୁ ରକ୍ଷାକରିବା ପାଇଁ ଓଡିଶା ସରକାର ଓ ଉତ୍କଳ ଆଲୁମିନାଙ୍କ ସହେଯାଗରେ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ମଜହର ଉଲ୍ଲା ବେଗ୍ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ବେଗ୍ ତାଙ୍କ ଉଦ୍ଘାଟନୀ ଭାଷଣରେ କହିଛନ୍ତି ଯେ ମହାମାରୀ ସମୟରେ ଉତ୍କଳ ଆଲୁମିନା ଏହି ଅଂଚଳବାସୀଙ୍କ ସହିତ ଅଛନ୍ତି । ସମଗ୍ର ସମାଜକୁ ମହାମାରୀରୁ ରକ୍ଷାକରିବା ପାଇଁ ସେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ଯୁବ ପିଢି ପାଇଁ ଏପରି ଅନୂକମ୍ପାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡାକ୍ତରମାନଙ୍କୁ ତଥା ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ହିବା ବେଗ୍ ଙ୍କୁ ପ୍ରଥମେ ଟୀକାକରଣ କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଉତ୍କଳ ଆଲୁମିନାର ସଭାପତି ଶ୍ରୀଯୁକ୍ତ ପି.ଭି.ଆର୍.କ୍ରିଷ୍ଣା, ମାନବ ସମ୍ବଳ ବିକାଶ ମୁଖ୍ୟ ଶ୍ରୀଯୁକ୍ତ ରାକେଶ ପ୍ରତାପ ସିଂହ , ସି.ଏସ୍.ଆର୍. ମୁଖ୍ୟ ଡଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମୁଖ୍ୟ ଚିକିତ୍ସା ଅଧିକାରୀ, ଉତ୍କଜଳ ହସ୍ପିଟାଲ୍ ଡଃ ଅରବିନ୍ଦ ରାୟ ଚୌଧୁରୀ, ମ୍ୟାନେଜର ଏଚ୍.ଆର୍. ଶ୍ରୀଯୁକ୍ତ ପିତାମ୍ବର ବେହେରା, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀଯୁକ୍ତ ପ୍ରକାଶ ନାୟକ ଓ ଡାକ୍ତର ସୌମ୍ୟା ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଅଂଶଗ୍ରହଣ କରି ମାର୍ଗଦର୍ଶନ କରିଥିଲେ । ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଅଭିଭାବକମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ତମଟିକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ସି.ଡି.ଏମ୍.ଓ. ରୟାଗଡା ଏବଂ ସି.ଏମ୍.ଓ ଉତ୍କଳ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ରୟାଗଡା ଜିଲ୍ଲାରେ ଟୀକାକରଣ ପାଇଁ କେନ୍ଦ୍ର ଭାବରେ ଏ.ବି.ପି.ଏସ୍. ଓଷାପଡାକୁ ଗ୍ରହଣ କରାଯାଇଥିବାରୁ ସେ ଜିଲ୍ଲା ପ୍ରଶାସନ ସହ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଟୀକା ଗ୍ରହଣ କରିସାରିଥିଲେ ।
