ଭୁବନେଶ୍ୱର : କାଲିଠୁ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଆଜି ଉପକୂଳ ଓଡ଼ିଶା ସମେତ ୨୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି । ୭ ତାରିଖ ଯାଏ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ର ଝାରବନ୍ଧରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୁଜଙ୍ଗରେ ୧୨୬ ମିଲିମିଟର, ଗୁଣୁପୁରରେ ୧୧୩ ମିଲିମିଟର ଏବଂ କୃଷ୍ଣପ୍ରସାଦରେ ୧୦୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୨ ଜୁଲାଇ ମଧ୍ୟରେ ରାଜ୍ୟରେ ପ୍ରାୟ ୧୫୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ଠାରୁ ୩୬ ପ୍ରତିଶତ କମ ଥିବା ସୂଚନା ମିଳିଛି । ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ପୁରୀରେ ସବୁଠୁ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
