ବ୍ୟାସନଗର : ସର୍ବକାଳୀନ ରେକର୍ଡ ଛୁଇଁଛି ଗ୍ୟାସ ଦରବୃଦ୍ଧି । ବ୍ୟାସନଗର ସହରରେ ପ୍ରାୟ ୧୦୪୫ ଟଙ୍କା ରହିଛି । କେଉଁଦିନ ଦର ବଢ଼ିଯାଉଛି ତାହା ବି ଉପଭୋକ୍ତା ଜାଣିପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍ ପାଇଥିବା ବହୁ ଉପଭୋକ୍ତା ଆଉ ନିଜ ଖାଲି ସିଲିଣ୍ଡର ଭରିପାରୁ ନାହାନ୍ତି । ସହରରେ ଭାରତ ଗ୍ୟାସ୍ର ମୋଟ ୪୫ ହଜାର ୫୫୦ ଉପଭୋକ୍ତା ଅଛନ୍ତି । ତନ୍ମଧ୍ୟରୁ ଉଜ୍ଜ୍ବଳା ଯୋଜନାରେ ୯ ହଜାର ଉପଭୋକ୍ତା ଥିବାବେଳେ ପାଖାପାଖି ୩ ହଜାର ରିଫିଲିଂ କରୁଛନ୍ତି । ସାଧାରଣବର୍ଗର ୩୬ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ପ୍ରତିମାସ ୫୦ ପ୍ରତିଶତରୁ ଅଧିକ ରିଫିଲିଂ ହେଉଛି । ସ୍କୁଲ, କଲେଜରେ ୩ ଶହରୁ ଅଧିକ ସଂଯୋଗ ଥିବାବେଳେ ୨୫ ପ୍ରତିଶତ ଭରୁଛନ୍ତି । କମର୍ସିଆଲ ଉପଭୋକ୍ତା ୨ଶହ ଥିବାବେଳେ ଅଧାରୁ କମ ଉପଭୋକ୍ତା ରିଫିଲିଂ କରୁଥିବା ଜଣାପଡ଼ିଛି । ପୂର୍ବରୁ ପ୍ରତିଦିନ ୫ ଶହରୁ ଅଧିକ ଉପଭୋକ୍ତା ବୁକିଂ କରୁଥିବାବେଳେ ଗ୍ୟାସ ଦରବୃଦ୍ଧି ଫଳରେ ଅଧାରୁ କମ ଉପଭୋକ୍ତା ବୁକିଂ କରୁଛନ୍ତି । ବସ୍ତି ଅଞ୍ଚଳରେ ୧୦ ପ୍ରତିଶତ ରିଫିଲିଂ କରୁଥିବା ଜଣାପଡ଼ିଛି ।
ଜନୈକ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଉପଭୋକ୍ତାମାନେ ବୁକିଂ କରିବାର ଦୁଇ/ତିନିଦିନ ପରେ ଗ୍ୟାସ ମିଳୁଥିଲା । ବର୍ତ୍ତମାନ ବୁକିଂ କରିବାର ଘଣ୍ଟାଏ ମଧ୍ୟରେ ଗ୍ୟାସ ଯୋଗାଇ ଦିଆଯାଉଛି । ଯଦି ସରକାରଙ୍କ ପକ୍ଷରୁ ଉଜ୍ଜ୍ବଳା ଗ୍ରାହକଙ୍କୁ ସବସିଡି ଦିଆ ନଯାଏ ତେବେ ଆଗାମୀ ଦିନରେ ଏହି ଯୋଜନାରେ ରିଫିଲିଂ ପ୍ରତିଶତ ଆହୁରି କମିଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଦେଶର ବିପିଏଲ ଓ ରାସନକାର୍ଡଧାରୀଙ୍କୁ ମାଗଣାରେ ୮ କୋଟିରୁ ଅଧିକ ପରିବାରକୁ ଉଜ୍ଜ୍ବଳା ଗ୍ୟାସ ଯୋଗାଇଦେଇଥିବା ନେଇ ବ୍ୟାପକ ପ୍ରଚାର କରି ବାହାବା ନେଉଛନ୍ତି । ହେଲେ ବର୍ଷକୁ ଏହି ଉପଭୋକ୍ତାମାନେ କେତେଥର ଗ୍ୟାସ ରିଫିଲ୍ କରୁଛନ୍ତି ତାହା ଅନୁଧ୍ୟାନ କରି ନାହାନ୍ତି । ସହରାଞ୍ଚଳରେ ଏହି ଯୋଜନା ଅର୍ଦ୍ଧାଧିକ ବିଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହାର ସ୍ଥିତି ଅତି ଦୟନୀୟ ବୋଲି ଅଭିଯୋଗ ହେଉଛି । ସହରରେ ଥିବା ଦେବୀ ଗ୍ୟାସ ଉଜ୍ଜ୍ବଳା ଯୋଜନାରେ ମୋଟ ୯ ହଜାର ଉପଭୋକ୍ତାଙ୍କୁ ସଂଯୋଗ ଦେଇଥିବା ବେଳେ ଅର୍ଦ୍ଧାଧିକ ଉପଭୋକ୍ତା ଗ୍ୟାସ ରିଫିଲ୍ କରୁ ନାହାନ୍ତି । ପ୍ରତି ୱାର୍ଡରେ ୨ ଶହରୁ ଅଧିକ ଲୋକ ଏହି ଯୋଜନାର ହିତାଧିକାରୀ । ୪ ହଜାର ଉପଭୋକ୍ତା ବର୍ଷରେ ଗୋଟିଏରୁ ଦୁଇଟି ଗ୍ୟାସ ନେଇଥିବା ସୂଚନା ମିଳିଛି । ଉଦାହରଣ ସ୍ବରୂପ ପ୍ରତୀକ ପୂର୍ଣ୍ଣିମା ସାହୁ ୨୦୨୦ ମେ ମାସ ୬ ତାରିଖରେ ଗୋଟିଏଥର ସିଲିଣ୍ଡର ଭରିଥିଲେ । ଏହା ଭିତରେ ଦୁଇବର୍ଷ ପୂରିଗଲାଣି ହେଲେ ସେ ଆଉ ଗ୍ୟାସ ନେଇ ନାହାନ୍ତି । ସେହିପରି ଉଜ୍ଜ୍ବଳା ଉପଭୋକ୍ତା ଜାନକୀ ଦାସ, ଯଶୋଦା ମଲ୍ଲିକ ଦୁଇବର୍ଷ ମଧ୍ୟରେ ଗୋଟିଏଥର ବି ଗ୍ୟାସ ଭରି ନାହାନ୍ତି । ସେମାନଙ୍କୁ ଫୋନ କଲେ ଗ୍ୟାସ ଆବଶ୍ୟକ ନାହିଁ ବୋଲି ଉତ୍ତର ମିଳୁଛି । ବହୁ ଉଜ୍ଜ୍ବଳା ଉପଭୋକ୍ତା ୧୦୪୫ ଟଙ୍କା ଦେଇ ଗ୍ୟାସ ନେବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ପୂର୍ବରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସବ୍ସିଡି ଆକାରରେ ମିଳୁଥିଲା । ଏବେ ତାହା ଗାଏବ ହୋଇଯାଇଛି ।
ଅପେକ୍ଷାକୃତ ଅଧିକ ରୋଜଗାର କରୁଥିବା ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଏପରି ହାଲ୍ ହୋଇଥିବାବେଳେ ଗ୍ରାମୀଣ ଗରିବ ଲୋକମାନେ ଗ୍ୟାସ ଭରିବା ଦୁରୂହ ବ୍ୟାପାର ହୋଇଛି । ମହଙ୍ଗା ମାଡ଼ରେ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଏବେ ଗ୍ୟାସ ରିଫିଲ୍ କରି ନପାରି ପୁଣି ଜାଳେଣି କାଠ ବ୍ୟବହାର କରିବା ଆରମ୍ଭ କଲେଣି । ସେହିପରି କମର୍ସିଆଲ ଗ୍ୟାସ ୨୫୧୧ ଟଙ୍କାରେ ପହଞ୍ଚିଛି । ଫଳରେ ଏହି ଦୋକାନୀମାନେ କୋଇଲା ଚୁଲା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।
