ସ୍କୁଲ ଲାଇବ୍ରେରି ବହି କିଣାରେ ରହୁନି ସ୍ବଚ୍ଛତା ! ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶକ

ଭୁବନେଶ୍ବର : ସ୍କୁଲ ଲାଇବ୍ରେରିକୁ ବହି ଯୋଗାଣ ନେଇ ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ବହି କ୍ରୟ ନେଇ ଯେଉଁ ନିୟମ ନିର୍ଧାରଣ କରାଯାଇଛି, ତାହାକୁ ନେଇ କିଛି ପ୍ରକାଶକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ।

ଟେଣ୍ଡର୍‌ ପ୍ରକ୍ରିୟାରେ ବହି କିଣିବା ଏବଂ ସର୍ବନିମ୍ନ ୧୮ ଖଣ୍ଡ ପୁସ୍ତକର ନମୁନା କପି ଦାଖଲ କରିବାକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତି ଅମୂଳକ । ଏହା ଦ୍ବାରା ଓଡ଼ିଶାର କ୍ଷୁଦ୍ର ପ୍ରକାଶକ ଓ ଲେଖକ-ପ୍ରକାଶକ ଏଥିରେ ଭାଗ ନେବାରୁ ବଞ୍ଚିତ ହେବେ । ଏହି ନିୟମକୁ ଆଧାର କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମଧ୍ୟ ବହି କ୍ରୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିବାରୁ ଅନେକ ଭଲ ପୁସ୍ତକ ସ୍କୁଲ ପାଠାଗାରରେ ପହଞ୍ଚିବ ନାହିଁ । ପୁସ୍ତକ କେବଳ ଏକ ବିଶେଷଜ୍ଞ କମିଟି ମାଧ୍ୟମରେ ଚୟନ ଭିତ୍ତିରେ ହେବା କଥା । ଉଭୟ ଓସେପା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରଥମ ବର୍ଷ ଏଭଳି କରିଥିଲେ । ମାତ୍ର ଏବେ ସେ ପ୍ରଣାଳୀକୁ ଅବଲମ୍ବନ ନକରି କିଛି ଅସାଧୁ ପ୍ରକାଶକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏହି ତଥାକଥିତ ଟେଣ୍ଡର ପ୍ରଣାଳୀକୁ ଅଣାଯାଇଛି ।

ଚଳିତ ପଞ୍ଚବାର୍ଷିକୀ ଯୋଜନାରେ ଯେଉଁ ଅର୍ଥ ଆସିଛି, ସେଥିରୁ ଓସେପା ୨୦୧୮-୧୯ରେ ଜିଲ୍ଲାସ୍ତରୀୟ କମିଟି କରି ବହି ଚୟନ କରି କିଣିବାକୁ କୁହାଯାଇଥିଲା । ୨୦୧୯-୨୦ରେ ସମ୍ପୂର୍ଣ୍ଣ ଗୋପନୀୟତା ଭାବେ ବିନା ମନୋନୟନରେ ସମସ୍ତ ଅର୍ଥ ଏନ୍‌ବିଟିକୁ ଦିଆଯାଇ ବହି କ୍ରୟ କରାଯାଇଛି । ୨୦୨୦-୨୧ରେ ଗୋପନୀୟ ଭାବେ ବିନା ମନୋନୟନରେ କର୍ଣ୍ଣାଟକର ଏକ ସଂସ୍ଥାକୁ ବହି କ୍ରମ ପାଇଁ ଅର୍ଡର ଦିଆଯାଇଥିଲା । ଓଡ଼ିଶାର ପ୍ରକାଶକମାନେ ବିରୋଧ କରିବାରୁ ବଳିଥିବା ଆଉ ୪କୋଟି ଟଙ୍କାକୁ ଚକ୍ରାନ୍ତ କରି ଉଦ୍ଦେଶ୍ୟମୂଳକ ଭାବେ ଟେଣ୍ଡର ପ୍ରକ୍ରିୟାରେ କିଛି ହାତଗଣତି ପ୍ରକାଶକଙ୍କଠାରୁ ବହି କ୍ରୟ କରାଗଲା । ଏ ବର୍ଷ ଟେଣ୍ଡର ପ୍ରଣାଳୀକୁ ଆପଣାଇବା ଦ୍ବାରା କୋଟି କୋଟି ଟଙ୍କା ହରିଲୁଟ୍‌ ହେବାକୁ ଯାଉଥିବା ଅଭିଯୋଗ କରାଯାଇଛି ।

ଏଥିରେ ସଂସ୍କାର ଆଣିବା ଲାଗି ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପ୍ରତିବର୍ଷ ଲାଇବ୍ରେରି ସ୍କିମ୍‌ରେ କିଣାଯାଉଥିବା ରାଜା ରାମମୋହନ ରାୟ ବହି କିଣା ପ୍ରଣାଳୀକୁ ଅନୁସରଣ କରିବାକୁ ପ୍ରକାଶକମାନେ ଦାବି କରିଛନ୍ତି । ବିଜ୍ଞାପନ ଦିଆଯାଇ ପ୍ରଥମେ ପ୍ରକାଶକ/ଲେଖକ-ଲେଖିକାଙ୍କ ଠାରୁ ପୁସ୍ତକର ନମୁନା ଗ୍ରହଣ କରାଯାଉ । ଏହାପରେ ସ୍ବଚ୍ଛ, ନିର୍ମଳ ବିଶେଷଜ୍ଞ କମିଟି ମାଧ୍ୟମରେ ଯେତିକି ଟଙ୍କାର ଆବଶ୍ୟକ ସେତିକି ବହି ଚୟନ ହେଉ । ତାହାର ତାଲିକା ଡିଇଓମାନଙ୍କୁ ଦିଆଯାଉ । ଏହା ଦ୍ବାରା ଭଲ ବହି ସାମ୍ନାକୁ ଆସିବ ଏବଂ ସ୍ବଚ୍ଛତା ରହିବ । ଦୁର୍ନୀତି କି ଲାଞ୍ଚ କାରବାର ହେବନି ବୋଲି ପ୍ରକାଶକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଓସେପା ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା କହିଛନ୍ତି ଯେଉଁ ଅଭିଯୋଗ ହୋଇଛି ତାହାକୁ ଗ୍ରହଣ କରାଯାଇଛି । ତାହା ଉପରେ ଉପରେ ଅନୁଧ୍ୟାନ କରାଯିବ ।

Leave a Reply

Your email address will not be published. Required fields are marked *