ପୁରୀ : ବନ୍ୟା ପାଣି ଛାଡ଼ିଯାଇଛି, କିନ୍ତୁ ଅଲିଭା ଦାଗ ଛାଡ଼ିଦେଇଯାଇଛି । ଘରେ ବନ୍ୟା ପାଣି ପଶିବା ପରେ ଲୋକେ ଏବେ ଘର ସଜାଡ଼ିବାରେ ଲାଗିଛନ୍ତି । ଅଥଚ ଗାଁ’ ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି । ବନ୍ୟା ଦାଉରେ କିଛି କଲ୍ଭର୍ଟ ମଧ୍ୟ ଧୋଇଯାଇଛି । ଯାତାୟାତ ବାଟରେ ଖାଲଖମା ଯୋଗୁ ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି ।
କେବଳ ନିମାପଡ଼ା, ଗୋପ, ସତ୍ୟବାଦୀ, କାକଟପୁର ଓ ଅସ୍ତରଙ୍ଗରେ ବ୍ଲକ୍ରେ ୫୨ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ୬୮ କିଲୋମିଟର ରାସ୍ତା ଧୋଇଯାଇଛି ଓ ୩ଟି କଲ୍ଭର୍ଟ କ୍ଷତିଗ୍ରସ୍ତ ହୋଇଛି । ନିମାପଡ଼ା-ବଳଙ୍ଗା ରୋଡ୍ରୁ ଗଡ଼ତୋରିହାଁ ପର୍ଯ୍ୟନ୍ତ ସର୍ବାଧିକ ୪କିମି ରୁ ଅଧିକ ରାସ୍ତା ଧୋଇଯାଇଛି । ସେହିଭଳି ପିପିଲି-କୋଣାର୍କ ରାସ୍ତାର ପୁରୁଷଣ୍ଢ ପର୍ଯ୍ୟନ୍ତ ସାଢ଼େ ୩ କିଲୋମିଟର ରାସ୍ତା ଧୋଇଯାଇଛି । ସେହିଭଳି ଖେଲାର ରୋଡ୍, ଅଙ୍କୁଶପୁର, ଗୋପାଳପୁରରୁ ମୁରାରିପୁର, ଭୂଆଁରୁ ବଉଳପଡ଼ା, ବାମନାଳରୁ ବଳଙ୍ଗା ରାସ୍ତା ବିଶେଷ ପ୍ରଭାବିତ ହୋଇଛି । ସେହିଭଳି ଗୋପର ଲୁଣାହାର ରାସ୍ତାର ସର୍ବାଧିକ ୩କିମି ରୁ ଅଧିକ ରାସ୍ତା ଧୋଇଯାଇଥିବା ବେଳେ ସୁବର୍ଣ୍ଣପୁରରୁ ଗବକୁଣ୍ଡ ରାସ୍ତା ପାଖାପାଖି ୩ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସତ୍ୟବାଦୀର କେତକୀପାଟଣା ଭାୟା ଦେଇ ଯାଇଥିବା ପ୍ରାୟ ସାଢ଼େ ୩ କିମି ରାସ୍ତା ପ୍ରଭାବିତ ହୋଇଥିବା ବେଳେ କେତକୀପାଟଣାରୁ ଆଳନ୍ଦପଡ଼ା ଓ କେତକୀପାଟଣାରୁ ଦୁବପାଟଣା ଓ ଓରତଣ୍ଡା ରାସ୍ତା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କାକଟପୁରର ପାଣିଛତ୍ର, ଅସ୍ତରଙ୍ଗର ତାଳଦା ଓ ରିସୋଲାରେ ରାସ୍ତା ଧୋଇଯାଇଛି ।
ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ସୂଚନା ମୁତାବକ, ବନ୍ୟା ପାଣିରେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଏହାର ତ୍ବରିତ ତଥା ପ୍ରାରମ୍ଭିକ ପର୍ଯ୍ୟାୟ ପୁନରୁଦ୍ଧାର ପାଇଁ ପ୍ରାୟ ୩୬ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବନ୍ୟା ପରେ ରାସ୍ତା ମରାମତି ଜରୁରୀ ହୋଇପଡ଼ିଥିବା ବେଳେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଛି ।
