ରାୟଗଡ଼ା : ଭାରତକୁ ବ୍ରୋଞ୍ଜ ପଦକ ଆଣିବାରେ ଗୌରବ ଅର୍ଜ୍ଜନ କରିଛନ୍ତି ରୟାଗଡାର ଦିବ୍ୟାଙ୍ଗ ଏଲ. ରମେଶ କୁମାର । ନିଜ ସୋଟୋକାନ ସ୍ପୋର୍ଟସ କରାଟେ ଆସୋସିଏସନ ଅଫ ଇଣ୍ଡିଆ, ନାଇଡୁସ ସେଲଫ ଡିଫେନ୍ସ ଏକାଡେମି ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ ସ୍ଥିତ ସ୍ବର୍ଣ୍ଣଭାରତୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଦେଶ ପାଇଁ ଗୌରବ ଆଣିଛନ୍ତି ରମେଶ କୁମାର । ଚଳିତ ମାସ ଗତ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସ୍ବର୍ଣ୍ଣଭାରତୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଏସିଆନ ଓପେନ କରାଟେ ଚମ୍ପିୟନସିପ-୨୦୨୨ରେ ଏସିଆ ମହାଦେଶର ଶ୍ରୀଲଙ୍କା, ମାଲେସିଆ, ଆଫଗାନିସ୍ଥାନ, ନେପାଳ, ଭାରତ ଭଳି ୬ଟି ଦେଶ ଅଂଶଗ୍ରହଣ କରିଥିଲେ । ଏଥିରେ ଭାରତ ପକ୍ଷରୁ ରାୟଗଡ଼ାର ଏଲ. ରମେଶ କୁମାର ପ୍ରତିଯୋଗି ଭାବେ ଭାଗ ନେଇ ୧୮ ବର୍ଷରୁ ଉର୍ଦ୍ଧ ବ୍ଲାକ ଗ୍ରୁପରେ ନିଜ ପ୍ରତିଦ୍ୱନ୍ଦୀ ବାଙ୍ଗାଲଦେଶର ପ୍ରତିଯୋଗୀଙ୍କୁ ୩ ରାଉଣ୍ଡ ଖେଳ ମଧ୍ୟରେ ୬ ପଏଣ୍ଟ ହାସଲ କରି ନିଜ ପ୍ରତିଦ୍ୱନ୍ଦୀକୁ ପରାସ୍ତ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଆଣିପାରିଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଦେଶ ପାଇଁ ଆନ୍ତରାଷ୍ଟ୍ରୀୟ ସ୍ତରରେ ରାୟଗଡ଼ା ଭଳି ଏକ ଉପାନ୍ତ ଜିଲ୍ଲାରୁ ଗୌରବ ଆଣିପାରୁଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ପ୍ରକାର ସମ୍ବର୍ଦ୍ଧନା ଟିଏ ଜଣାଯାଇ ନଥିବାରୁ ସେ ଆଜି ବିଶାଖାପାଟଣମରୁ ରାୟଗଡ଼ାକୁ ଫେରି ନିଜ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସହ ଅନ୍ୟ ସଂଗଠନଗୁଡିକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତଙ୍କ ସହଯୋଗ ଓ ସମର୍ଥନ ରହିଲେ ସେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନ୍ୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବି ବୋଲି ପ୍ରକାଶ କରିଛନ୍ତି ।
