ମରଣ ମୁହଁରେ ରାଜ୍ୟର ହଜାର ହଜାର ଏଚ୍‌ଆଇଭି ଆକ୍ରାନ୍ତ ପିଲା

ଭୁବନେଶ୍ବର : ମରଣ ମୁହଁରେ ରାଜ୍ୟର ହଜାର ହଜାର ଏଚ୍‌ଆଇଭି ଆକ୍ରାନ୍ତ ପିଲା । ଗତ କିଛି ମାସ ହେବ ସେମାନଙ୍କୁ ଠିକ୍‌ରେ ଔଷଧ ମିଳିପାରୁନି । କେଉଁ କେଉଁ ଜିଲ୍ଲାରେ ପିଲାମାନେ ବାଧ୍ୟରେ ଔଷଧ ଖାଇବା ଛାଡ଼ି ଦେଇଛନ୍ତି । ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା(ନାକୋ) ଓ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପିଲାଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଔଷଧକୁ ଭାଙ୍ଗି ଅଧାକୁ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହେଉଛି । ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସେମାନଙ୍କ ଔଷଧ ତୁରନ୍ତ ଯୋଗାଇବାକୁ ଦାବି ହୋଇଛି ।

ରାଜ୍ୟରେ ବର୍ତମାନ ୧୮ ବର୍ଷରୁ କମ୍ ୩ ହଜାରରୁ ଅଧିକ ଏଚ୍‌ଆଇଭିରେ ଆକ୍ରାନ୍ତ ପିଲା ଅଛନ୍ତି । ଏଆରଟି କେନ୍ଦ୍ରରୁ ସେମାନଙ୍କୁ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ଔଷଧ ଦିଆଯାଉଛି । ପିଲାଙ୍କ ପାଇଁ ଉପଲବ୍ଧ ଫାଷ୍ଟ ଲାଇନ୍‌ ଡ୍ରଗ୍ ଏଆରଟି କେନ୍ଦ୍ରରେ ମିଳୁନାହିଁ । ସେକେଣ୍ଡ ଲାଇନ୍ ଡ୍ରଗ୍‌ର ୩ଟି କମ୍ବିନେସନରୁ କିଛି ମିଳୁଛି ତ ଆଉ କିଛି ନାହିଁ । ଭୁବନେଶ୍ବର ଠାରୁ ଆରମ୍ଭ କରି ଅନୁଗୁଳ, ରାଉରକେଲା ଓ ଅନ୍ୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଲାଣି । କେତେଦିନ ପର୍ଯ୍ୟନ୍ତ ଏଭଳି ଅବ୍ୟବସ୍ଥା ଲାଗି ରହିବ ତାହା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ । ମାସ ମାସ ଧରି ଔଷଧ ମିଳୁ ନଥିବାରୁ ଅନେକ ଶିଶୁ ଏଆରଟି କେନ୍ଦ୍ରକୁ ଯିବା ଛାଡ଼ି ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଏଚ୍‌ଆଇଭି ଆକ୍ରାନ୍ତ(ପିଏଲଏଚ୍‌ଆଇଭି)ଙ୍କୁ ଦିଆଯାଉଥିବା ଔଷଧ ମୁଖ୍ୟତଃ ୩ ପ୍ରକାରର ସୁରକ୍ଷା ଦେଇଥାଏ । ନିୟମିତ ଔଷଧ ଖାଇଲେ ଏହା ଶରୀରରେ ଭୂତାଣରୁ ମଲ୍‌ଟିପ୍ଲିକେସନ୍ ବା ବହୁଗୁଣିତ ହେବାକୁ ରୋକିଥାଏ । ଏହା ସହ ଅନ୍ୟକୁ ବ୍ୟାପିବାରୁ ରୋକିବା ଓ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅନ୍ୟ ରୋଗରୁ ରକ୍ଷା କରିଥାଏ । କିନ୍ତୁ ଏହି ଔଷଧର କ୍ଷମତା ୨୪ ଘଣ୍ଟା ପର୍ଯ୍ୟନ୍ତ ରହୁଥିବାରୁ ପ୍ରତ୍ୟେକ ଦିନ ଔଷଧ ଖାଇବାକୁ ପଡ଼ିଥାଏ । ଔଷଧ ବନ୍ଦ କଲେ ଶରୀରରେ ଭାଇରାଲ ଲୋଡ ବଢ଼ିଯାଏ । ତେଣୁ ପିଲାମାନେ ନିୟମିତ ଔଷଧ ନ ଖାଇବା, ସେମାନଙ୍କୁ ମରଣ ମୁହଁକୁ ଠେଲି ଦେବା ସହିତ ସମାନ । ଏହା ସହ ବୟସ୍କଙ୍କ ପାଇଁ ଉପଲବ୍ଧ ଔଷଧକୁ ଭାଙ୍ଗି ପିଲାଙ୍କୁ ଦିଆଯିବାରେ ମଧ୍ୟ ସମସ୍ୟା ହୋଇପାରେ । ପିଲାମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଯଦି କମ୍ବିନେସନ ଭୁଲ୍ ହେବ ତାହାଲେ ଶରୀରରେ ଡ୍ରଗ୍‌ ରେଜିଷ୍ଟାନ୍ସ ସହିତ ଅନ୍ୟ ରୋଗ ଆକ୍ରମଣ କରିବାର ମଧ୍ୟ ଭୟ ରହିଛି ।

ଓସାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନାକୋ ପକ୍ଷରୁ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧର ଯୋଗାଣ ହୋଇଥାଏ । ମାତ୍ର ଗତ କିଛି ମାସ ହେବ ନାକୋ ଏହି ଔଷଧ ଦେଉନାହିଁ । ଏଥିପାଇଁ ରାଜ୍ୟର ସମିତିମାନଙ୍କୁ ଟଙ୍କା ଦେବା ସହିତ ଔଷଧ କିଣି ପିଲାଙ୍କୁ ଦେବାକୁ ନିର୍ଦେଶ ଦେଇଛି । ଏଥିପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ଓସାକ୍ସକୁ ୨୦ ଲକ୍ଷ ଟଙ୍କା ମିଳିଛି । ଯଦି ଅଧିକ ଅର୍ଥର ଆବଶ୍ୟକତା ପଡ଼େ ତା’ହାଲେ ବାଲାନ୍ସ ଅର୍ଥରୁ ଔଷଧ କିଣିବା ଲାଗି ନାକୋ ପକ୍ଷରୁ ସମିତିମାନଙ୍କୁ କୁହାଯାଇଛି । ଗତ ଏପ୍ରିଲ ମାସରୁ ନାକୋ ଏହି ଚିଠି ଲେଖିଥିଲେ ହେଁ ୩ ମାସ ଭିତରେ ଓସାକ୍ସ ଏହି ଔଷଧ କିଣିବା ଲାଗି ତତ୍ପରତା ଦେଖାଇ ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲଗାତାର ଔଷଧ ସମସ୍ୟା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି । ଓସାକ୍ସର ସହକାରୀ ନିର୍ଦେଶକ(ସିଏସ୍‌ଟି,ଭାରପ୍ରାପ୍ତ) ଶାନ୍ତନୁ ପୃଷ୍ଟିଙ୍କୁ ଏ ସଂପର୍କରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ତାଙ୍କ ନିକଟରୁ କୌଣସି ଉତ୍ତର ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *