ଧାମନଗର : ଚିତ୍ର ସ୍ପଷ୍ଟ, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ । ଧାମନଗରରେ ଟଙ୍କା ବଣ୍ଟାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୂମିକା ନେଇ ଉଠିଲା ପ୍ରଶ୍ନ । ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଉଲ୍ଲଂଘନକାରୀଙ୍କୁ ଅଭୟ ବାଣୀ ଦେଉଛନ୍ତି ସିଇଓ । ଧାମନଗର ଉପନିର୍ବାଚନରେ ବିଜେଡି ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ସବୁ ପ୍ରମାଣ ଥାଇ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଧର୍ମନ୍ଦ୍ର ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ଭାରତର ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଟଙ୍କା ବଣ୍ଟାଯିବା ନେଇ ବିଜେପି ତରଫରୁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାରମ୍ବାର ପ୍ରମାଣ ଦେବା ପରେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ କଳର ବ୍ୟାପକ ଦୁରୁପଯୋଗ ମଧ୍ୟ ହୋଇଛି । ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତରାଜ ବିଭାଗ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗଗୁଡ଼ିକ ରାଜ୍ୟ ସରକାରଙ୍କ ହାତବାରିସି ସାଜିଥିବା ଅଭିଯୋଗ ହୋଇଛି । ସେପଟେ ଗଣମାଧ୍ୟମରେ ପ୍ରସାରିତ ଟଙ୍କା ବଣ୍ଟାଯିବା ଭିଡିଓ ପ୍ରମାଣର ସତ୍ୟତା ନଥିବା କଥା କହୁଛନ୍ତି ସିଇଓ । ଫରେନସିକ୍ ପ୍ରମାଣ ନାଁରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଛି । ଏହାର ଅର୍ଥ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କାମରେ ନିୟୋଜିତ କର୍ମଚାରୀଙ୍କୁ ପରୋକ୍ଷରେ ଅଭୟ ବାଣୀ ଦେଉଛନ୍ତି ।
ତାଙ୍କର ମନ୍ତବ୍ୟ ଦୁର୍ନୀତି ଓ ପଇସା ବଣ୍ଟାରେ ଲିପ୍ତ ଶାସକ ଦଳର କର୍ମୀଙ୍କୁ ଆହୁରି ଦୁର୍ନୀତି ଓ ଟଙ୍କା ବାଣ୍ଟିବା ପାଇଁ ପ୍ରବର୍ତ୍ତାଉଛି । ଗଣତନ୍ତ୍ରରେ ରକ୍ଷକ ଆଜି ଭକ୍ଷକ ସାଜିଛି । କେବଳ ଏତିକି ନୁହେଁ, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଏଠାରେ କନଫ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ କଥା ଆସୁଛି । ତେଣୁ ସେ କିପରି ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।
