ବାଲେଶ୍ୱର : ସୁନେତ୍ର ଯୋଜନା ଜରିଆରେ ରାଜ୍ୟର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜଗୁଡ଼ିକରେ ରୋଗୀଙ୍କ ମାଗଣା ଚକ୍ଷୁ ପରୀକ୍ଷା ସହିତ ମାଗଣା ଔଷଧ ଏବଂ ଆବଶ୍ୟକସ୍ଥଳେ ପାୱାର ଚଷମା ଯୋଗାଇ ଦିଆଯାଉଛି । ୨୦୧୯ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ବାଲେଶ୍ୱର ଜିଲ୍ଲାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ସ୍ବାସ୍ଥ୍ୟକେନ୍ଦ୍ର କଥା ଛାଡ଼, ମୁଖ୍ୟ ଚିକିତ୍ସାଳୟରେ ବି ଚଷମା ନପାଇ ରୋଗୀ ଫେରୁଛନ୍ତି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଯେତିକି ଚକ୍ଷୁ ରୋଗୀ ଆସୁଛନ୍ତି, ସେଥିରୁ ୩୦ ପ୍ରତିଶତରୁ ଅଧିକ ରୋଗୀଙ୍କର ପାୱାର ଚଷମା ଆବଶ୍ୟକ ପଡ଼ୁଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ଔଷଧ ନେବା ପରେ ଚଷମା ପାଇଁ ଆବେଦନ କରୁଛନ୍ତି । ହେଲେ ତାରିଖ ପରେ ତାରିଖ ଗଡ଼ିଯାଉଛି ସିନା ଚଷମା କାହାକୁ ମିଳୁନି । ରତ୍ନାକର ରାଉତ, ହରିଶ ସ୍ବାଇଁ, ଚନ୍ଦନ ବେହେରା ପ୍ରମୁଖ ଚକ୍ଷୁ ରୋଗୀ ମାସେ ରୁ ଅଧିକ ସମୟ ଧରି ଚଷମା ଅପେକ୍ଷାରେ ଅଛନ୍ତି । ନିୟମ ଅଛି ଆବେଦନ କରିବାର ୨ ରୁ ୩ ମାସ ଭିତରେ ରୋଗୀଙ୍କୁ ଚଷମା ଦିଆଯିବ । ହେଲେ ୩/୪ ମାସ ପରେ ବି ଚଷମା ଆସୁନାହିଁ । ଏଭଳି ଅବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରି ବାହାରୁ ଚଷମା କିଣିବା ପାଇଁ ବାଧ୍ୟ ହେଉଛନ୍ତି ରୋଗୀ ।
ଡାକ୍ତରଖାନାକୁ ଚଷମା ଯୋଗାଇବା ପାଇଁ ତାମିଲନାଡ଼ୁର ଲପ୍ଟିକ୍ ଓପ୍ଟିକାଲ୍ସ ନାମକ ଏକ ସଂସ୍ଥା ଟେଣ୍ଡର ନେଇଛି । ଚଷମା ପାଇଁ କମ୍ପାନିକୁ ତାଲିକା ପଠାଯାଉଛି । ହେଲେ କେଉଁ ମାସ ୨ଟି ତ କେଉଁ ମାସ ୩ଟି ଚଷମା ଆସୁଛି । କେଉଁ ମାସରେ ଆଦୌ ଆସୁନାହିଁ । ଡାକ୍ତରଖାନାକୁ ଆବଶ୍ୟକ ଅନୁସାରେ ଚଷମା କାହିଁକି ଆସୁନାହିଁ ବୋଲି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କମ୍ପାନି ଉପରେ ଦୋଷ ଲଦିଥିଲେ । ପୂର୍ବରୁ ସ୍ଥାନୀୟ ସଂସ୍ଥା ଟେଣ୍ଡର ନେଇଥିବା ବେଳେ ଏମିତି ଅସୁବିଧା ହେଉନଥିଲା । ଏବେ ବାହାର କମ୍ପାନି ଟେଣ୍ଡର ନେଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସେ କହିଛନ୍ତି । ତେବେ ଯାହା ଜଣାଯାଇଛି, ଡାକ୍ତରଖାନାରେ ପ୍ରତିଦିନ ଡାକ୍ତର ଲେଖୁଥିବା ଚଷମା ତାଲିକା ଉକ୍ତ କମ୍ପାନିକୁ ପଠାଯାଉନାହିଁ । ଦିନେ କି ଦୁଇଦିନ ନୁହେଁ, ମାସ ମାସ ଧରି ତାଲିକା ପଠାଯାଇନାହିଁ । ଯାହା ଫଳରେ ୪ ମାସରୁ ଅଧିକ ସମୟ ଧରି ରୋଗୀଙ୍କ କେସ୍ ରେକର୍ଡ ପଠାନଯାଇ ଥାକ ହୋଇରହିଛି । ଗୋଟିଏ ପଟେ କମ୍ପାନି ବିଳମ୍ବ କରୁଛି କହି ରୋଗୀଙ୍କୁ ଦେଢ଼ ମାସ ପରେ ଆସିବାକୁ କୁହାଯାଉଥିବା ବେଳେ ଅନ୍ୟପଟେ ମାସ ମାସ ଧରି ରେକର୍ଡ ପଠାଯାଉନାହିଁ । ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ରୋଗୀ ହଇରାଣ ହେବା ସହ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଏତଦ୍ବ୍ୟବତୀତ ସୁନେତ୍ର ଯୋଜନାରେ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କର ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଯିବାର ବ୍ୟବସ୍ଥା ରହିଛି । ଏମିତିକି ଜଟିଳ ଚକ୍ଷୁରୋଗର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ହେଲେ ବିଦ୍ୟାଳୟରେ ଏହି ଯୋଜନାରେ କେମିତି କାର୍ଯ୍ୟକାରୀ ହେଉଛି, ତାହା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ହିଁ ଭଲ ଭାବେ ଜଣା ।
