ଯାଜପୁର/ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଚାରିନଙ୍ଗଳ ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ରାସନ ଚାଉଳ ଓ ଗହମ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ିଛି । ସୋମବାର ରାତିରେ ଗାଡ଼ିକୁ ଗ୍ରାମବାସୀ ଅଟକାଇବା ବେଳେ ରିଟେଲରଙ୍କ ଭାଇ ମାଡ଼ରେ ଅମୂଲ୍ୟ ସାମଲଙ୍କ ମୁହଁ ଫାଟିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବାଲିଚନ୍ଦ୍ରପୁର ଥାନା ପୁଲିସ ଚୋରା ଚାଲାଣ ହେଉଥିବା ରାସନ ଚାଉଳ ଓ ଗହମ ସହିତ ଗାଡ଼ି ୪୦୭ ଟ୍ରକ (ଓଆର୦୪ଏ-୯୩୪୯)କୁ ଜବତ କରିଛି । ଏପରିକି ବଡ଼ଚଣା ଯୋଗାଣ ଅଧିକାରୀ ବିଶ୍ବଜିତ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରି ରିଟେଲରଙ୍କ ଷ୍ଟକ୍ ଯାଞ୍ଚ କରିଛନ୍ତି । ଏହା ମଧ୍ୟରେ ୨ ଦିନ ବିତିଯାଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ । କାହା ବାହୁ ଛାୟା ତଳେ ରିଟେଲର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ପ୍ରକାଶ ଥାଉକି ଗତ ସୋମବାର ରାତିରେ ୪୦୭ ଟ୍ରକରେ ୧୯ ବସ୍ତା ଚାଉଳ ଓ ୧୭ ବସ୍ତା ଗହମ ଚୋରା ଚାଲାଣ ହେଉଥିବା ଖବରପାଇ ଚାରିନଙ୍ଗଳ ପଞ୍ଚାୟତର ବାହାଦୂର ନଗର ଗ୍ରାମବାସୀ ପଟ୍ଟାମୁଣ୍ଡାଇ କେନାଲବନ୍ଧ ରାସ୍ତାରେ ଅଟକ ରଖିଥିଲେ । ଏହାପରେ ରିଟେଲରଙ୍କ ଭାଇ ଆସି ଯୁକ୍ତିତର୍କ କରିବା ସହିତ ଟର୍ଚ୍ଚରେ ମାଡ଼ ମାରି ଅମୂଲ୍ୟ ସାମଲଙ୍କ ମୁହଁ ଫଟାଇ ଦେଇଥିଲେ । ଫଳରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଚୋରା ରାସନ ସାମଗ୍ରୀ ସହିତ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗାଡିର ଚାଳକ ଓ ହେଲପର ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ଗାଡ଼ି ଜବତ କରିଛି । ଏହି ଘଟଣାରେ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ମିଶ୍ର ତଦନ୍ତ କରିଛନ୍ତି ।
ଜବତ ହୋଇଥିବା ଚାଉଳ ଓ ଗହମ ରାସନ ସାମଗ୍ରୀ ବୋଲି ଶ୍ରୀ ମିଶ୍ର ସ୍ବୀକାର କରିଛନ୍ତି । ଥାନାଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି କେସ ନମ୍ବର ୧୭୩ରେ ମାମଲା ରୁଜୁ ହୋଇ ୩୭୯ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ବଳରେ ତଦନ୍ତ ଜାରି ରହିଛି । ଜଣେ ପୁଲିସ ଏଏସ୍ଆଇଙ୍କ ଏତଲାକୁ ଭିତ୍ତି କରି କେସ ହୋଇଛି । ତେବେ ଯୋଗାଣ ବିଭାଗ କାହିଁକି କେସ କରି ନାହିଁ ? ରିଟେଲରଙ୍କୁ କିଏ ସୁରକ୍ଷା ଦେଉଛି ? ଗାଡ଼ି ଡ୍ରାଇଭର ମଧ୍ୟ ଗ୍ରାମବାସୀଙ୍କ ନିକଟରେ ଚୋରା କାରବାରର ବହୁ ଗୁମର କଥା ଖୋଲିଛି । ନିୟମିତ ଏହି ରିଟେଲରଙ୍କ ନିକଟରୁ ବାଲିଚନ୍ଦ୍ରପୁରର ଏକ କଳକୁ ରାସନ ସାମଗ୍ରୀ ଚୋରା ଚାଲାଣ ହେଉଥିବା ସ୍ବୀକାର କରିଛି । ରାସନ ସାମଗ୍ରୀ ରିସାଇକ୍ଲିଂ ମାମଲା ଏବେ ଧରାପଡିଯାଇଛି । ଯୋଗାଣ ବିଭାଗ ଏବେ ହରଡ଼ଘଣାରେ ପଡିଥିବାରୁ ରିଟେଲରକୁ ସୁରକ୍ଷା ଦେବାକୁ ଲାଗି ପଡ଼ିଛି ବୋଲି ଚର୍ଚ୍ଚା ହେଉଛି ।
