କଟକ : କଟକ ବଡ଼ ମେଡିକାଲରେ ଓପନ୍ ହାର୍ଟ ସର୍ଜରି ପାଇଁ ସପ୍ତାହକୁ ହାରାହାରି ୨୦ ଜଣ ଅପେକ୍ଷାରେ ରହୁଛନ୍ତି । ଫୁସ୍ଫୁସ୍, ରକ୍ତନଳୀ, ଖାଦ୍ୟନଳୀ ଅସ୍ତ୍ରୋପଚାର ପାଇଁ ସପ୍ତାହକୁ ହାରାହାରି ୯ ଜଣ ରୋଗୀ ଅପେକ୍ଷାରେ ରହୁଛନ୍ତି । ଆବଶ୍ୟକତା ଅନୁଯାୟୀ ଉପକରଣ, ମାନବସମ୍ବଳ ଓ ଅସ୍ତ୍ରୋପଚାର କକ୍ଷ ଅଭାବରୁ ବର୍ତ୍ତମାନ କାର୍ଡିଓଥୋରାସିସ୍ ବିଭାଗ (ସିଟିଭିଏସ୍)ରେ ଏଭଳି ଅବସ୍ଥା ଧୀରେଧୀରେ ଗୁରୁତର ଆକାର ଧାରଣ କରିବାକୁ ଯାଉଛି ।
ଏସ୍ସିବିରେ ୧୯୮୪ ମସିହାରୁ ସ୍ବତନ୍ତ୍ର ବିଭାଗ ଭାବେ ସିଟିଭିଏସ୍ ବିଭାଗ ଖୋଲାଯାଇଥିଲା । ଏହାର ଦୁଇତିନି ବର୍ଷ ପରେ ଅର୍ଥାତ୍ ୧୯୮୬/୮୭ ରୁ ଓପନ୍ ହାର୍ଟ ସର୍ଜରି କରାଯାଉଛି । ଯଦି ଗଲା ୫ ବର୍ଷ (୨୦୧୬ ମସିହାରୁ ଏପର୍ଯ୍ୟନ୍ତ)ର ତଥ୍ୟ ଦେଖାଯାଏ, ତା’ହେଲେ ଏସ୍ସିବିରେ ୮ ଶହରୁ ଅଧିକ ଓପନ୍ ହାର୍ଟ ସର୍ଜରି କରାଯାଇଛି । ଏବେ ପୂର୍ବଭଳି ସମାନ ସଂଖ୍ୟାରେ କିମ୍ବା ଅଧିକ ରୋଗୀ ପ୍ରତୀକ୍ଷାରେ ରହୁଥିଲେ ବି ବିଭିନ୍ନ କାରଣରୁ ଅସ୍ତ୍ରୋପଚାରକୁ ତ୍ବରାନ୍ବିତ କରାଯାଇ ପାରୁନାହିଁ । ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ କାରଣ ଥିବା କୁହାଯାଉଛି ।
ବିଭାଗରେ ୨ ଜଣ ପ୍ରଫେସରଙ୍କ ରହିବା କଥା । ମାତ୍ର, ଦୀର୍ଘବର୍ଷ ହେବ ଜଣେ ପ୍ରଫେସରରେ କାମ ଚାଲିଛି । ସେହିପରି, ୨ଟି ଆସୋସିଏଟ୍ ପ୍ରଫେସରଙ୍କ ସ୍ଥାନରେ ଏବେ ଜଣେ ବି ନାହାନ୍ତି । ୫ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୨ ଜଣ ଅଛନ୍ତି । ସିନିୟର ରେସିଡେଣ୍ଟ୍ ପଦ ଖାଲିପଡ଼ିଛି । ସେହିଭଳି, ବିଭାଗରେ ୩୪ଟି ଶଯ୍ୟା ରହିଥିବାବେଳେ ସେଥିମଧ୍ୟରୁ ୧୦ଟି ଫୁସ୍ଫୁସ୍, ରକ୍ତନଳୀ, ଖାଦ୍ୟନଳୀ ଅସ୍ତ୍ରୋପଚାର ରୋଗୀଙ୍କ ପାଇଁ ସଂରକ୍ଷିତ ରହିଛି ଏବଂ ୨୪ଟି ଶଯ୍ୟା ହୃଦ୍ରୋଗୀଙ୍କ ପାଇଁ ରହିଛି । ବିଭାଗରେ ଓପନ୍ ହାର୍ଟ ପାଇଁ ଗୋଟିଏ ଅସ୍ତ୍ରୋପଚାର କକ୍ଷ (ଓଟି) ରହିଥିବାବେଳେ ଅନ୍ୟଟି ଫୁସ୍ଫୁସ୍ ଓ ଅନ୍ୟ ତଥା ଜରୁରୀ ଅସ୍ତ୍ରୋପଚାର ପାଇଁ ରହିଛି । ଓପନ୍ ହାର୍ଟ ପାଇଁ ଯେତିକି ଉପକରଣ ଅଛି, ସେଥିରେ ଦିନକୁ ଗୋଟିଏ ଓପନ୍ ହାର୍ଟ ସର୍ଜରି ହୋଇପାରିବ । ସପ୍ତାହକୁ ମାତ୍ର ୪ଟି ଓପନ୍ ହାର୍ଟ ସର୍ଜରି କରାଯାଇପାରୁଛି । ଯେଉଁଥିପାଇଁ ବହୁସଂଖ୍ୟାରେ ରୋଗୀ ପ୍ରତୀକ୍ଷାରେ ରହୁଥିବା କୁହାଯାଉଛି । ସରକାରୀ ସ୍ତରରେ କେବଳ ଏସ୍ସିବି ମେଡିକାଲରେ ଓପନ୍ ହାର୍ଟ ସର୍ଜରି ହେଉଥିବାରୁ ରୋଗୀମାନେ ଏହାର ସୁବିଧା ନେବାକୁ ଚାହୁଁଛନ୍ତି । ଫଳରେ, ରୋଗୀମାନେ ଲମ୍ବାଧାଡ଼ିରେ ଥିବା ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ, ଏହାର ଭିତ୍ତିଭୂମି ପାଇଁ ସରକାର ଯେତିକି ଗୁରୁତ୍ବ ଦେବାକଥା ସେତିକି ଦେଉନାହାନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, ମାନବସମ୍ବଳ ଅଭାବରୁ ଏନ୍ଏମ୍ସି ଅନୁମୋଦନ ପ୍ରତ୍ୟାହାର କରିବାପରେ ୩ ବର୍ଷ ହେବ ଏମ୍ସିଏଚ୍ ପାଠ୍ୟକ୍ରମ ବନ୍ଦ ରହିଛି । ଏମ୍ସିଏଚ୍ ପାଠ୍ୟକ୍ରମ ଖୋଲାଯିବା ପରେ ଏସ୍ସିବିରୁ ୩ ଜଣ ଡାକ୍ତର ବାହାରିଥିଲେ । କିନ୍ତୁ, ୨୦୧୯ ରୁ ପାଠ୍ୟକ୍ରମ ବନ୍ଦ ହୋଇଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଏନ୍ଏମ୍ସିର ଗାଇଡ୍ଲାଇନ୍ ବା ସର୍ତ୍ତ ପୂରଣ କରୁ ନଥିବାରୁ ଏହି ପାଠ୍ୟକ୍ରମ ସେଭଳି ବନ୍ଦ ହୋଇପଡ଼ିଛି ।
