ଭୁବନେଶ୍ୱର : ସପ୍ତାହେ ହେଲାଣି ରାଜ୍ୟରୁ ବର୍ଷା ଉଭାନ୍ । ବର୍ଷା ତ ହେଉନି ଓଲଟା ଡହ ଡହ ଖରା ହେଉଛି । ଅନେକ ସ୍ଥାନରେ ତଳି ଜଳିଗଲାଣି । ଗଜା ମରୁଡିର ଆଶଙ୍କା ବଳୁଆ ହେଲାଣି । ପୁଣି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅଗଷ୍ଟ ଓ ସେପ୍ଟେମ୍ବରର ସମ୍ଭାବ୍ୟ ବର୍ଷାକୁ ନେଇ ଯେଉଁ ଆକଳନ ଥୋଇଛି ତାହା ଚାଷୀକୁ ଆହୁରି ଡରାଇଲା ଭଳି । ଆଗାମୀ ଦୁଇ ମାସ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ । ଅଗଷ୍ଟରେ ନିଅଣ୍ଟିଆ ବର୍ଷା ସମ୍ଭାବନା ୪୦% । ସେପ୍ଟେମ୍ବରରେ ବି ନିଅଣ୍ଟିଆରୁ ମୁକୁଳିବା ଆଶା ଦେଖାଯାଉନି । ଯଦି ପୂର୍ବାନୁମାନ ସତ ହେଲା ରାଜ୍ୟରେ ବିଲ ଶୁଖିଯିବ । ଚାଷୀ ବିପଦରେ ପଡ଼ିଯିବ ।
ଦକ୍ଷିଣ ପଶ୍ଚିମ ମୌସୁମୀର ଦ୍ୱିତୀୟ ଭାଗ ଓ ଅଗଷ୍ଟ ମାସ ପାଇଁ ଆଇଏମ୍ଡି ଆଜି ବିସ୍ତୃତ ପୂର୍ବାନୁମାନ ଜାରି କରିଛି । ଏହି ପୂର୍ବାନୁମାନ ଅନୁସାରେ, ଦେଶରେ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏହି ସମୟରେ ବିସ୍ତୃତ ବର୍ଷା ସମ୍ଭାବନା ପ୍ରାୟ ୯୪ ରୁ ୧୦୬% । ଦେଶର ପଶ୍ଚିମ ତଟ, ପଶ୍ଚିମ ମଧ୍ୟ ଭାଗ ଓ ଉତ୍ତର-ପଶ୍ଚିମ ଭାରତକୁ ଛାଡି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବା ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ଓଡ଼ିଶା ସମେତ ପୂର୍ବ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ସତର୍କ କରାଇଛି । ପୂର୍ବ ଭାରତ ସମେତ ପୂର୍ବ କେନ୍ଦ୍ରୀୟ, ପଶ୍ଚିମ ତଟ ଓ ଦକ୍ଷିଣ ପୂର୍ବ ଭାରତରେ ବି ସ୍ୱାଭାବିକଠାରୁ କମ୍ ବର୍ଷା ଆଶଙ୍କା ରହିଛି ।
ସେହିଭଳି ଅଗଷ୍ଟରେ ମୋଟାମୋଟି ଭାବେ ସ୍ୱାଭାବିକ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି । ଦକ୍ଷିଣ ପୂର୍ବ ଭାରତ, ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଭାରତ ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ବା ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ହେଲେ ଓଡିଶାକୁ ନେଇ ଡରାଇବା ଭଳି ଚିତ୍ର ଦେଇଛି ଆଇଏମ୍ଡି । ଅଗଷ୍ଟରେ ଓଡ଼ିଶା ସମେତ ପୂର୍ବାଞ୍ଚଳ, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ ବୋଲି ଆକଳନ କରିଛି । ଅଗଷ୍ଟରେ ଓଡିଶାର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ମଧ୍ୟ ଆଇଏମ୍ଡିର ପୂର୍ବାନୁମାନ କହୁଛି ।
ମୌସୁମୀର ଦ୍ୱିତୀୟ ଭାଗ ପାଇଁ ଆଇଏମ୍ଡିର ରିପୋର୍ଟ ଚାଷୀ ପାଇଁ ଚିନ୍ତାଜନକ ପାଲଟିଛି । ରାଜ୍ୟର ଚାଷୀ ମୁଣ୍ଡରେ ଚଡକ ପଡିଛି । ପ୍ରଥମରୁ ବିଳମ୍ବିତ ମୌସୁମୀ ଯୋଗୁ ଚାଷ କାମ ଡେରିରେ ଆରମ୍ଭ ହୋଇଥିଲା । ଆଉ ଏବେ ବିଲରେ ତଳି ପଡ଼ିଥିବା ବେଳେ ବର୍ଷା ଉଭେଇ ଯିବାର ସନ୍ଦେହ ବଢ଼ିଲାଣି ।
ଆଇଏମ୍ଡିର ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ଜଗତସିଂହପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ଝାରସୁଗୁଡାରେ ସ୍ୱାଭାବିକ ବା ଏହାଠାରୁ ଅଧିକ ବର୍ଷା ହୋଇପାରେ। କିନ୍ତୁ ବାକି ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିବ । ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାରେ ସେପ୍ଟେମ୍ବର ମାସରେ କମ୍ ବର୍ଷା ହେବ ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର୍ ବିଶ୍ୱାସ କହିଛନ୍ତି, ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସାମାନ୍ୟ ଆଶଙ୍କା କରିଛି ଆଇଏମ୍ଡି । କିନ୍ତୁ ଅତି ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ନାହିଁ । ଅଗଷ୍ଟ ୧୧ ଯାଏ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ଠାରୁ କମ୍ ରହିବ ।
ମୌସୁମୀର ନିମ୍ନ ଚାପରେଖାର ଉତ୍ତରାୟଣ ଗତି ଯୋଗୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଛି । ଏଥିପାଇଁ ଗତ ୨୬ ଜୁଲାଇରୁ ଆଜି ଯାଏ ସ୍ୱାଭାବିକ ଠାରୁ ବହୁ କମ୍ ବର୍ଷା ହୋଇଛି । ସୋମବାର ବି ରାଜ୍ୟର ଅଧିକାଂଶ ସ୍ଥାନରେ କୌଣସି ବର୍ଷା ହୋଇନି । ପ୍ରବଳ ଗରମ ସହ ଗୁଳୁଗୁଳି ହୋଇଛି । ଅପରାହ୍ନରେ ଭୁବନେଶ୍ୱରରେ ବର୍ଷା ହୋଇଛି । ଏଠାରେ ପ୍ରାୟ ୫୨.୬ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରରେ ୨୦ ଓ କୋରାପୁଟରେ ୧୫ ମିଲିମିଟର ବର୍ଷା ହୋଇଛି ।
