ଗୁପ୍‌ଚୁପ୍‌ ପାଇଁ ଗୋଷ୍ଠୀ ସଂଘର୍ଷ : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ଯଖପୁରା : ଯଖପୁରା ଥାନା ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ଗୁପ୍‌ଚୁପ୍‌ ଖାଇବା ପାଇଁ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ତାତି ବଢ଼ିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ପଙ୍କପାଳ ଗ୍ରାମର ଶତାଧିକ ମହିଳା ଯଖପୁରା ଥାନା ଘେରିଛନ୍ତି । ପଙ୍କପାଳ ଗ୍ରାମର ଦୁଇ ଯୁବକ ଓ ସେମାନଙ୍କ ସହିତ ବାହାର ଅଞ୍ଚଳରୁ ଚାରି/ପାଞ୍ଚଜଣ ଯୁବକ ଗ୍ରାମ ଭିତରେ ପଶି ବିଭିନ୍ନ ମରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଖଣ୍ଡା ଚୋଟରେ ୩ ଜଣଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁଇଜଣ ମହିଳା ମଧ୍ୟ ଆହତ ହୋଇଥିଲେ । ପଙ୍କପାଳ ଗ୍ରାମର ମହିଳାମାନେ ଥାନା ଆଗରେ ଧାରଣା ଦେବା ସହ ମୁଖ୍ୟ ଅଭିଯୁକ୍ତ ବ୍ରହ୍ମାନନ୍ଦ ରାୟ ଓ ତାଙ୍କ ପୁଅ ଆଦିତ୍ୟ ରାୟ, ପ୍ରେମାନନ୍ଦ ରାୟଙ୍କ ସମେତ ଅବିନାଶ ରାୟ ଏବଂ ବାହାର ଅଞ୍ଚଳର ସେହି ଚାରି ପାଞ୍ଚ ଜଣ ଗୁଣ୍ଡା ଶ୍ରେଣୀୟ ଯୁବକମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ମିଳିବାରୁ ମହିଳାମାନେ ଘରକୁ ଫେରିଥିଲେ ।

ସୂଚନାଯୋଗ୍ୟ ଯେ ଶେଷ ରଜଦିନ ଗୁପଚୁପ ଖାଇବା ସମୟରେ ରାଜନୈତିକ ଶତ୍ରୁତା କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ନେଇ ଗୋଟିଏ ଗୋଷ୍ଠୀ ଗାଁରେ ଖଣ୍ଡା ବୁଲାଇଥିଲେ । ଖଣ୍ଡାଚୋଟରେ ୩ ରୁ ଅଧିକ ଆହତ ହେବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାକୁ କେନ୍ଦ୍ରକରି ପଞ୍ଚାୟତରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣା ଉପରେ ପୁଲିସ ତୀକ୍ଷ୍‌ଣ ନଜର ରଖିଥିବା କହିଛି । ଉଭୟ ପକ୍ଷରୁ ପାଞ୍ଚଟି ମାମଲା ରୁଜୁ କରି ଦୁଇ ପକ୍ଷର ତିନିଜଣଙ୍କୁ ଗତକାଲି ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ଗ୍ରାମରେ ଛକାପଞ୍ଝା ଲାଗି ରହିଛି ।

Leave a Reply

Your email address will not be published. Required fields are marked *