ରାଉରକେଲା : ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ବରେ ସ୍ଥାପନ ହୋଇଛି ରାସ୍ତା ପାର୍ଶ୍ବ ପଥପ୍ରାନ୍ତ କେନ୍ଦ୍ର (ୱେ ସାଇଡ୍ ଏମିନିଟି ସେଣ୍ଟର) । ଆଜିକୁ ୪ ବର୍ଷ ତଳେ ଅର୍ଥାତ୍ ୨୦୧୮ରେ ଉଦ୍ଘାଟନ ହୋଇଥିବା ଏହି କେନ୍ଦ୍ରରୁ ଯାତ୍ରୀ ଓ ପର୍ଯ୍ୟଟକମାନେ ଯେତିକି ସୁବିଧା ପାଇବା କଥା, ତା’ ପାଉ ନାହାନ୍ତି । ଏମିତିକି ରାସ୍ତା ପାର୍ଶ୍ବରେ ପଥପ୍ରାନ୍ତ କେନ୍ଦ୍ର କାହିଁକି ସ୍ଥାପନ ହୋଇଛି ପର୍ଯ୍ୟଟକମାନେ ଏଯାଏଁ ଜାଣି ପାରିଲେ ନାହିଁ । ପ୍ରତ୍ୟେକ କେନ୍ଦ୍ରରେ ଜଳପାନ, ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ରହିଛି । ପିଲାମାନଙ୍କ ମନୋରଞ୍ଜନ ପାଇଁ ରହିଛି ଶିଶୁ ଉଦ୍ୟାନ । ରକ୍ଷଣା ବେକ୍ଷଣ ଦାୟତ୍ବ ଘରୋଇ ସଂସ୍ଥାକୁ ଦିଆଯାଇଛି । ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ବାବଦରେ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଗଣୁଛନ୍ତି । କିନ୍ତୁ ଯାତ୍ରୀ ଓ ପର୍ଯ୍ୟଟକ ଯେତିକି ଆସିବା କଥା, ସେତିକି ଆସୁ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କାହିଁକି ଓ କ’ଣ ପାଇଁ ଯାତ୍ରୀ ଓ ପର୍ଯ୍ୟଟକମାନେ ଏଠାକୁ ଆସୁ ନାହାନ୍ତି, ସେ ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସରକାର କେବଳ ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ଖୋଲି ନିଜର କାମ ସାରି ଦେଇଛନ୍ତି । ଆବଶ୍ୟକୀୟ ସୁବିଧା ନଥିବାରୁ ପର୍ଯ୍ୟଟକ, ଯାତ୍ରୀମାନେ କେନ୍ଦ୍ରକୁ ଯାଇ ଅଧା ବାଟରୁ ଫେରି ଆସୁଛନ୍ତି । ଏଭଳି ଅବ୍ୟବସ୍ଥା ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲାରେ ସ୍ଥାପନା ଦୁଇଟି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରରେ । ଗୋଟିଏ ରହିଛି ଲାଠିକଟା-ବାରକୋଟ୍ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ନିକଟ ବିରତୋଳାରେ । ଅନ୍ୟଟି ରହିଛି ୧୦ ନଂ ରାଜ୍ୟ ରାଜପଥ (କ)ର ବାରକୋଟ୍-ଦର୍ଦିଂ ରୋଡ ବଣାଇଁ ନିକଟ ଲଲେଇରେ । ଗତ ୨୦୧୬-୧୭ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୮ ପ୍ରଥମ ମାସ ସୁଦ୍ଧା ଶେଷ ହୋଇଥିଲା ।
ଖର୍ଚ୍ଚ ହୋଇଛି ୬୨ ଲକ୍ଷରୁ ଅଧିକ । ଏଥିସହ ପାର୍କିଂ, ଶିଶୁ ଉଦ୍ୟାନ ଅନ୍ୟାନ୍ୟ ବିକାଶ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘରୋଇ ସଂସ୍ଥା ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୬ ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ପାଣ୍ଠିରୁ ପ୍ରତ୍ୟେକ କେନ୍ଦ୍ରରେ ରକ୍ଷଣାବେକ୍ଷଣ ବାବଦରେ ମାସକୁ ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ବିଡମ୍ବନା, ଦିନକୁ ମାତ୍ର ୩ ରୁ ୪ ଜଣ ପର୍ଯ୍ୟଟକ ଆସୁଛନ୍ତି । ଲଲେଇ କେନ୍ଦ୍ରର ସମାନ ସ୍ଥିତି । ରାତିରେ ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରଠାରୁ ବାହାର ଓ ଭିତର ଅଧିକାଂଶ ସମୟରେ ଅନ୍ଧାର ରହୁଥିବା ସ୍ଥାନୀୟ ଅଞ୍ଚଳର କିଛି ଅଭିଯୋଗ ଆଣିଛନ୍ତି । ରାତି ସମୟରେ ସାମୟିକ ବିଶ୍ରାମ ନେବାକୁ ଚାହୁଁଥିବା ପରିବାର ଭୟରେ ଯାଉ ନାହାନ୍ତି । ଉଦ୍ୟାନର ସ୍ଥିତି ନ କହିବା ଭଲ । ଯେଉଁସବୁ ଫୁଲଗଛଗୁଡ଼ିକ ଲାଗିଥିଲା ତାହା ଦିଶୁନି ।
ଜଳପାନ ପାଇଁ ରୋଷେଇ ଘର ନିର୍ମାଣ ହୋଇଛି । ଆଜି ଯାଏଁ ଏସବୁ ବ୍ୟବସ୍ଥା କରାଯାଇ ନାହିଁ । କେବେ ବିଭାଗୀୟ ଅଧିକାରୀ କହି ପାରୁ ନାହାନ୍ତି । ବାସ୍ତବ ସ୍ଥିତିକିୁ ଦେଖିଲେ କେବଳ ଠିକା ସଂସ୍ଥାକୁ ପୋଷିବାକୁ ଏହି ଦୁଇଟି କେନ୍ଦ୍ର ନିର୍ମାଣ କରାଯାଇଥିଲା ବୋଲି ମନେ ହେଉଛି । ରାସ୍ତା ପାର୍ଶ୍ବରେ ନିର୍ମାଣ ଅବସ୍ଥାନ କେନ୍ଦ୍ର ପଥଚାରୀ, ପର୍ଯ୍ୟଟକଙ୍କୁ ଆଜି ଯାଏ ସୁବିଧା ଦେଇ ପାରି ନାହିଁ । ତେବେ ଜିଲ୍ଲାର ନିର୍ମାଣ ହୋଇଥିବା ଏହି ଦୁଇଟି କେନ୍ଦ୍ର କାହା ସ୍ବାର୍ଥ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି । ଏଥିରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ବିଭାଗ କେତେ ଗୁରୁତ୍ବ ଦେଉଛନ୍ତି, ଏଥିରେ ସ୍ପଷ୍ଟ ବାରିହୋଇ ପଡୁଛି ।
