ବୌଦ୍ଧ : ବୌଦ୍ଧ ସହରର ବିକାଶ ପାଇଁ ଜବରଦଖଲ ମୁଖ୍ୟ ସମସ୍ୟା ବୋଲି ଦୀର୍ଘଦିନରୁ ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଆସୁଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସହର ମଧ୍ୟରେ ବ୍ୟାପକ ଭାବରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ତିନିଦିନ ହେଲା ଜିଲ୍ଲାପ୍ରଶାସନ ପକ୍ଷରୁ ଡ୍ରେନ ଉପରେ କରିଥିବା ବେଆଇନ ନିର୍ମାଣ ହଟେଇବାକୁ ସହରବାସୀଙ୍କୁ ନିବେଦନ କରାଯାଇଥିଲା । ଗତ ୨୫ ତାରିଖ ଠାରୁ ଏକମାସ ବ୍ୟାପୀ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାଯାଇଛି । ଡ୍ରେନ ଉପରେ ହୋଇଥିବା ବେଆଇନ ନିର୍ମାଣ ସହିତ ସରକାରୀ ଜାଗା ଜବରଦଖଲ କରିଥିଲେ ତାହାକୁ ମଧ୍ୟ ତୁରନ୍ତ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କ୍ରମରେ ଶୁକ୍ରବାର ଦିନ ବୌଦ୍ଧ ଏନଏସି ଛକରେ ହୋଇଥିବା ଅବୈଧ ନିର୍ମାଣ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ସେହିପରି ଏନଏସି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଓ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଅବୈଧ ନିର୍ମାଣ ହଟାଯାଇଛି । ଜବରଦଖଲ ଉଚ୍ଛେଦ ଅଭିଯାନରେ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଘରର ଏକ ଲୁହାସିଡିକୁ ମଧ୍ୟ ହଟେଇ ଦିଆଯିବା ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁମାନେ ନିଜେ ନିଜର ଜବରଦଖଲ ଜାଗାରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ହଟାଇବାକୁ ନିବେଦନ କରିଥିଲେ ସେମାନଙ୍କୁ ସମୟ ମଧ୍ୟ ପ୍ରଦାନ କରାଯାଇଥିବା ଜଣାଯାଇଛି । ପ୍ରକାଶଥାଉ କି ସହରର ପ୍ରମୁଖ ଜନଗହଳି ସ୍ଥାନ ଏନଏସି ଛକ ହୋଇଥିବା ବେଳେ ଏଠାରେ ପୁଲିସ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜବରଦଖଲ ଯୋଗୁଁ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟ ଠିକରେ ହୋଇପାରୁନଥିବା ସଂପର୍କରେ ଗତ ସଡକ ସୁରକ୍ଷା କମିଟି ବୈଠକରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
