ହାତ ଗୁଞ୍ଜା ଦିଅ ଓ ନିୟମ ଉଲ୍ଲଂଘନ କର ! ପୁଲିସ ଉପସ୍ଥିତିରେ ଖୋଲାଖୋଲି ଭାବେ ଚାଲିଛି ଟ୍ରାଫିକ ନିୟମ ଉଲ୍ଲଂଘନ

ସମ୍ବଲପୁର : ସମ୍ବଲପୁରରେ ସାଧାରଣ ଜନତାଟିଏ ଟିକିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମାତ୍ରେ ମୋଟା ଅଙ୍କର ଜରିମାନା ପୁଲିସ ଓ ଟ୍ରାଫିକ ବିଭାଗ କାଟି ଚାଲାଣ ଧରାଇ ଦେଉଛନ୍ତି । ସମ୍ବଲପୁରର ସବୁସମୟରେ ବ୍ୟସ୍ତବହୁଳ ଅଞ୍ଚଳ ଲକ୍ଷ୍ମୀ ଟକିଜ ଛକରେ ପୁଲିସ ଓ ଟ୍ରାଫିକ ମିଳିତ ଭାବରେ ଜରିମାନା ଆଦାୟ ନିମନ୍ତେ ପ୍ରତି ଦିନ ଜାଲ ବିଛାଇ ବସିବା ଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଚୋର ଡକାୟତ ଭଳି ବ୍ୟବହାର କରି କଳେବଳେ କୌଶଳେ ଅଟକାଇ ଜରିମାନା ଆଦାୟ କରୁଛନ୍ତି । ଅଥଚ ଲକ୍ଷ୍ମୀ ଟକିଜ ଛକରେ ମଝି ରାସ୍ତାରେ ବସଗୁଡିକ ଅଟକାଇ ଯାତ୍ରୀ ଉଠାଇବା, ଗୋଟିଏ ବସରୁ ଅନ୍ୟ ବସକୁ ସାମଗ୍ରୀ ବୋହିବା ଆଦି କାମ ଚାଲିଥିବା ସତ୍ୱେ କିନ୍ତୁ ପୁଲିସ ତାକୁ ସମ୍ପୁର୍ଣ୍ଣ ଅଣଦେଖା କରୁଛି ।

ଏଭଳି ଏକ ଘଟଣାରେ ଟାଉନ ଓ ଟ୍ରାଫିକ ପୁଲିସ ଥାନାରୁ ମାତ୍ର ୫୦ ମିଟର ଦୂରରେ ଥିବା ଲକ୍ଷ୍ମୀ ଟକିଜ ଛକରେ ରାତ୍ର ପ୍ରାୟ ୧୦ଟା ସମୟରେ ଦୁଇଟି ବେସରକାରୀ ବସ ଅଚାନକ ଆସି ଛିଡା ହେବା ସହିତ ଅନେକ ସମୟ ଧରି ଗୋଟିଏ ବସରୁ ଅନ୍ୟ ବସକୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତରଣ କରିଥିଲେ । ଫଳରେ ପ୍ରାୟ ଅଧ ଘଣ୍ଟା ଧରି ଟ୍ରାଫିକ ଜାମ ହେବାରୁ ଟାଉନ ଥାନା ପିସିଆର ଗାଡି ଆସି ବସ ଚାଳକମାନଙ୍କୁ ବସ ହଟାଇବା ନିମନ୍ତେ ତାଗିଦ କରିଥିଲା । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ହାତଗୁଞ୍ଜା ମିଳିବା ମାତ୍ରେ ପୁଲିସ ଗାଡି ଅଞ୍ଚଳରୁ ଗାୟବ ହୋଇଯାଇଥିବା ବେଳେ ବସଗୁଡିକ ସେମାନଙ୍କ ସାମଗ୍ରୀ ସ୍ଥାନାନ୍ତରଣ କରିବା ପରେ ଯାଇ ହଟିଥିଲେ । ଅପର ପକ୍ଷରେ ଏହାକୁ ନେଇ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ଲକ୍ଷ୍ମୀ ଟକିଜ ଛକରେ ପ୍ରବଳ ଟ୍ରାଫିକ ଜାମ ହୋଇରହିଥିଲା । ଏଭଳି ସ୍ଥିତି ଦେଖି ଲୋକେ ‘ହାତ ଗୁଞ୍ଜା ଦିଅ ଓ ନିୟମ ଉଲ୍ଲଂଘନ କର’ ବୋଲି ପୁଲିସ ବିଭାଗକୁ କଟାକ୍ଷ କରୁଥିବାର ଦେଖାଯାଇଥିଲା । ଯଦି ଥାନାରୁ ମାତ୍ର ୫୦ ମିଟର ଦୂରରେ ଦୀପ ତଳ ଅନ୍ଧକାର ଭଳି ସ୍ଥିତ ଅଛି ତ ବାକି ସହରର ଅବସ୍ଥା ସହଜେ ଅନୁମେୟ ।

Leave a Reply

Your email address will not be published. Required fields are marked *