୬ ମାସ ଶୁଖିଲା ପଡ଼ୁଛି ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଶଯ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଦିନେ ଚିରସ୍ରୋତା ଥିଲା । ଏବେ ବର୍ଷର ୬ ମାସ ନଦୀଶଯ୍ୟା ଶୁଖିଲା ପଡୁଛି । ସ୍ବାଧୀନତା ପରଠୁ ସବୁ ସରକାର ଏ ଦିଗରେ ଅଣଦେଖା କରିଆସିଛନ୍ତି । ପିଇବା ପାଣି ସହିତ ଜଳସେଚନ ନିମନ୍ତେ ଗଞ୍ଜାମ ଜିଲ୍ଲାବାସୀ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରୁଛନ୍ତି । ଅଥଚ ନଦୀର ପାଣି ସଂରକ୍ଷିତ କରାଯାଇପାରୁ ନାହିଁ ।
ବ୍ରିଟିସ୍‌ ଅମଳରେ ୧୮୯୪ ମସିହାରେ ଋଷିକୁଲ୍ୟା ନଦୀର ପାଣିକୁ ଜଳସେଚନ ପାଇଁ ପ୍ରଥମେ ବ୍ୟବହାର କରାଯାଇଥିଲା । ଋଷିକୁଲ୍ୟାରେ ଅନ୍ୟ ୬ଟି ନଦୀର ପାଣି ମିଶୁଛି । ବର୍ଷା ହେବାପରେ ଅଗଷ୍ଟ ମାସରୁ ନଦୀରେ ପାଣି ଭର୍ତ୍ତି ରହୁଛି । କିନ୍ତୁ, ସେହି ପାଣିକୁ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇନଥିବାରୁ ତାହା ସମୁଦ୍ରରେ ମିଶି ନଷ୍ଟ ହେଉଛି । ଏହି ପାଣିର ସଂରକ୍ଷଣ ପାଇଁ ପଦ୍ମା ନଦୀ, ବଡ଼ ନଦୀ, ବାଘୁଆ ନଦୀ, ଘୋଡ଼ାହାଡ଼ ନଦୀରେ ଯେଉଁଭଳି ଡ୍ୟାମ୍‌ ବ୍ୟବସ୍ଥା କରାଯାଇଛି, ଋଷିକୁଲ୍ୟା ନଦୀ ପାଇଁ କୌଣସି ସ୍ବତନ୍ତ୍ର ଡ୍ୟାମ୍‌ ନାହିଁ । ଫଳରେ, ୨୦/୨୨ ପ୍ରତିଶତ ପାଣି ବ୍ୟବହାର ହେଉଥିବାବେଳେ ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରକୁ ବହିଯାଉଛି ।
ଏହି ୮୦ ପ୍ରତିଶତରୁ ଯଦି ୫୦/୬୦ ପ୍ରତିଶତ ପାଣି କୌଣସିପ୍ରକାରେ ସଂରକ୍ଷଣ କରାଯାଇପାରନ୍ତା, ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ହେକ୍ଟର୍ ଜମି ଜଳସେଚିତ ହେବାସହିତ ପାନୀୟ ଜଳ ସମସ୍ୟା ଦୂର ହୋଇଯାଆନ୍ତା । ୬ ମାସ ନଦୀରେ ପାଣି ରହିବାପରେ ବଳକା ୬ ମାସ ଆଦୌ ଶୁଖିଲା ପଡ଼ନ୍ତା ନାହିଁ । ଫଳରେ, ଚାଷ ଓ ପାନୀୟ ଜଳ ପାଇଁ ଗଞ୍ଜାମବାସୀ ଡହଳବିକଳ ହୁଅନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ଋଷିମାଳ ପର୍ବତରୁ ବାହାରି ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି ଋଷିକୁଲ୍ୟା ନଦୀ ଋଷିକୁଲ୍ୟା ନଦୀର ଲମ୍ବ ପ୍ରାୟ ୧୬୫ କି.ମି ହେବ । ଗଞ୍ଜାମ ଜିଲ୍ଲାବାସୀ ପାଣି ପାଇଁ ଏହି ନଦୀ ଉପରେ ନିର୍ଭର କରିଥା’ନ୍ତି । ଗ୍ରୀଷ୍ମଦିନରେ ଋଷିକୁଲ୍ୟା ଶୁଖିଲା ପଡ଼ିଯାଉଥିବାରୁ ଗଞ୍ଜାମବାସୀ ପାଣି ପାଇଁ ଛଟପଟ ହେଉଛନ୍ତି । ନଦୀ ସଂଯୋଗୀକରଣ ଜରିଆରେ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ପାଇଁ ଯୋଜନା କରାଯାଇଥିଲା । ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ବଞ୍ଚାଓ ସମିତି ଜରିଆରେ ଆନ୍ଦୋଳନ କରାଯାଇଥିଲା । ହେଲେ, ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଗଲା ଦୁଇ ଦଶନ୍ଧି ଭିତରେ ଆଉ ଚିନ୍ତା କରିନାହାନ୍ତି । ଏପରିକି ନଦୀରେ ପ୍ରବାହିତ ଜଳ ସଂରକ୍ଷଣ ଦିଗରେ ଆନ୍ତରିକ ଉଦ୍ୟମ ନାହିଁ ।
ସେହିଭଳି, ଋଷିକୁଲ୍ୟା ନଦୀର ପାଣି ସଂରକ୍ଷିତ ରଖିବାପାଇଁ ସୋରଡ଼ା ବ୍ଲକ୍‌ ପିପଳପଙ୍କା ଠାରେ ଏକ ଡ୍ୟାମ୍‌ ନିର୍ମାଣ ପାଇଁ ପ୍ରସ୍ତାବ ୧୯୯୫ ରୁ ରହିଛି । ଯାହାକି ସିଧାସଳଖ ଋଷିକୁଲ୍ୟା ନଦୀର ପାଣିକୁ ସଂରକ୍ଷିତ ରଖିବ । କିନ୍ତୁ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ସେ ଦିଗରେ କୌଣସି ସୂଚନା ମିଳୁନାହିଁ । ଅନ୍ୟପଟେ ରାଜ୍ୟ ସରକାର ନିକଟରେ ଅନ୍ତଃନଦୀ ଜଳାଶୟ ଯୋଜନାରେ ସୋରଡ଼ା ବ୍ଲକ୍‌ର ସିଙ୍ଗିପୁର ଏବଂ କଂସାରୀଗଣ୍ଡ ଠାରେ ଜଳ ସଂରକ୍ଷଣ ପାଇଁ ଜଳସମ୍ପଦ ବିଭାଗ ଜରିଆରେ କାମ ଆରମ୍ଭ କରିଛନ୍ତି । କିନ୍ତୁ ଆବଶ୍ୟକତା ଅନୁସାରେ ଜଳ ସଂରକ୍ଷଣ ପାଇଁ ଏହି ଯୋଜନା ଯଥେଷ୍ଟ ନୁହଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଣୁ ଋଷିକୁଲ୍ୟା ନଦୀ ଜଳ ସଂରକ୍ଷଣ ପାଇଁ ନିହାତି ଭାବେ ଏକ ସ୍ବତନ୍ତ୍ର ଡ୍ୟାମ୍‌ର ଆବଶ୍ୟକତା ରହିଛି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି ।

Leave a Reply

Your email address will not be published. Required fields are marked *