ମୁନିଗୁଡ଼ା : ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ବଡ଼ ସଫଳତା । ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ନଡିଆ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ରେ ପଡିଗଲା ଏହି ମିନିଟ୍ରକ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ହାଜାରଡାଙ୍ଗ ଗାଁ ନିକଟରେ ଗାଡି ମଟର ଯାଞ୍ଚ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ନଡିଆ ବୋଝେଇ ମିନିଟ୍ରକକୁ ସନ୍ଦେହ କରିଥିଲା ପୋଲିସ । ଘଟଣାସ୍ଥଳରୁ ମିନିଟ୍ରକକୁ ଜବତ କରି ଥାନରେ ଯାଞ୍ଚ କରିବା ସମୟରେ ୩୪ ବସ୍ତା ନଡିଆ, ୧୭ ବସ୍ତା ଗଞ୍ଜେଇ ଓ ୧୧ ବସ୍ତା ନଡିଆକତା ମିଳିଥିଲା । ଓଜନ ପରେ ୧୭ ଟି ବସ୍ତାରୁ ୫ କ୍ୟୁଣ୍ଟାଲ ୧୦ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
