ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପକୁ ଉଠିଯାଇ ସୋମବାର ଦିନ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ପୁଲିସ, ଜେଟିପି, ସେବାୟତ ଏବଂ ଅଗ୍ନିଶମ ବିଭାଗର ଆଗ୍ନିକମାନେ ମିଳିତଭାବେ ତାଙ୍କୁ ତଳକୁ ଆଣି ସିଂହଦ୍ବାର ଥାନା ଜିମାରେ ଦେଇଥିଲେ । ତାଙ୍କ ବିରୋଧରେ ମାମଲା ରୁଜୁ ସହ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।
ଏହି ଯୁବକ ହେଲେ, ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବେଲଡ଼ଙ୍ଗା ଥାନା ଅଞ୍ଚଳର ପ୍ରତାପ ହାଜରାଙ୍କ ପୁଅ ରାକେଶ ହାଜରା(୨୦) ।
ସୋମବାର ଦିନ ସାଢ଼େ ୧୨ଟା ସମୟରେ ରାକେଶ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ସେ ଘଣ୍ଟିଦ୍ବାର ନିକଟକୁ ଯାଇ ସେଠାରେ ଶ୍ରୀମନ୍ଦିର ଉପରକୁ ଜବରଦସ୍ତ ଉଠିଯାଇ ନାଟମଣ୍ଡପ ଉପରକୁ ଚାଲିଯାଇଥିଲେ । ଏହା ଦେଖିବାପରେ ଭକ୍ତମାନେ ଚିତ୍କାର କରିବାରୁ ସଙ୍ଗେସଙ୍ଗେ ଜେଟିପି ଓ ପୁଲିସ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଆଗ୍ନିକମାନେ ପହଞ୍ଚିବା ପରେ ସମସ୍ତେ ଉଦ୍ୟମ କରି ରାକେଶଙ୍କୁ ନାଟମଣ୍ଡପ ଉପରୁ ଜବରଦସ୍ତ ତଳକୁ ଖସାଇ ଆଣିଥିଲେ । ଏହାପରେ ଗାରଦକୁ ନେବାପରେ ସେଠାରେ ତାଙ୍କ ନାମ ଓ ଠିକଣା ଆଦି ଟିପି ତାକୁ ସିଂହଦ୍ବାର ଥାନା ଜିମାରେ ଦିଆଯାଇଥିଲା । ତେଣୁ ଶ୍ରୀମନ୍ଦିର ଉପରକୁ ଜବରଦସ୍ତ ଚଢ଼ିଥିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ୪୧/୨୨ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଚିକିତ୍ସା ପରେ ତାଙ୍କୁ କୋର୍ଟଚାଲାଣ କରିଛି ।
ଅନ୍ୟପକ୍ଷରେ, ପନ୍ଦର ଦିନ ମଧ୍ୟରେ ଦୁଇ ଦୁଇଟି ଘଟଣା ଘଟିଥିବାରୁ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ସାରାଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଗତ ୨ ତାରିଖ ଦିନ ଜଣେ କିନ୍ନର ସିଂହଦ୍ବାର ଗୁମୁଟ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନାଟମଣ୍ଡପ ଉପରକୁ ଉଠିଯାଇଥିଲେ ।
