ନୂଆଦିଲ୍ଲୀ : ପୂର୍ବ ୟୁକ୍ରେନ୍ ଡୋନ୍ବାସ୍ (ଡୋନେସ୍କ ଓ ଲୁହାଂସ୍କ) ଉପରେ ରୁଷ୍ର ସୈନ୍ୟମାନେ ସାଙ୍ଘାତିକ ଆକ୍ରମଣ ଜାରି ରଖିଛନ୍ତି । ୪୦ ରୁ ଅଧିକ ସହରକୁ ଟାର୍ଗେଟ୍ କରି ସେମାନେ ମିସାଇଲ ଓ ବୋମା ମାଡ଼ କରୁଛନ୍ତି । ୟୁକ୍ରେନ୍ର ମିଳିତ ବାହିନୀ ଟାସ୍କଫୋର୍ସ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଫେସ୍ବୁକ୍ରେ ଦିଆଯାଇଥିବା ବିବୃତି ମୁତାବକ ଡୋନେସ୍କ ଓ ଲୁହାଂସ୍କ ଅଞ୍ଚଳରେ ମେ ୨୫ ତାରିଖରେ ମୋଟ ୪୧ଟି ସହର ଉପରେ ଆକ୍ରମଣ ହୋଇଛି । ଏହା ଦ୍ୱାରା ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରୁଷ୍ର ଏହି ଭୟଙ୍କର ଆକ୍ରମଣ ଯୋଗୁ ୫୨ଟି ସୁଉଚ୍ଚ ଅଟ୍ଟାଳିକା ଓ ଘରୋଇ ଆବାସିକ କୋଠା ନଷ୍ଟ ହୋଇଯାଇଛି । କିଛି ରେଳ ଲାଇନ ଧ୍ୱଂସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍ର ଉଦ୍ଧାରକାରୀ ଦଳ ପାଖାପାଖି ୭୬୦ ଲୋକଙ୍କୁ ଯୁଦ୍ଧାଞ୍ଚଳରୁ ଉଦ୍ଧାର କରିଛନ୍ତି ।
ଲୁହାଂସ୍କ ଅଞ୍ଚଳର ସେଭେରୋଡୋନେସ୍କ ଓ ଲିସିଚାଂସ୍କ ଉପରେ ଜୋରଦାର ଆକ୍ରମଣ କରାଯାଉଛି । ଏହା ଯୋଗୁ ୧୧ଟି ଉଚ୍ଚ ଅଟ୍ଟାଳିକା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଗୁରୁବାର ଏକ ସାକ୍ଷାତକାରରେ ସେଭେରୋଡୋନେସ୍କ ସାମରିକ ପ୍ରଶାସନ ମୁଖ୍ୟ ଓଲେକ୍ଜାଣ୍ଡର ଷ୍ଟ୍ରାୟକ୍ କହିଛନ୍ତି, ରୁଷ୍ର ଆକ୍ରମଣ ଯୋଗୁ ସେଭେରୋଡୋନେସ୍କ ଓ ଲିସିଚାଂସ୍କ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଉଭୟ ସହର ମଧ୍ୟରେ ଥିବା ଏକ ସେତୁ ବୋମା ମାଡ଼ ଦ୍ୱାରା ଭାଙ୍ଗିଯାଇଛି । ଅନବରତ ଗୁଳିଗୋଳା ମାଡ଼ ଯୋଗୁ ଏଠାରେ ୧୨,୦୦୦ ରୁ ୧୩,୦୦୦ ଲୋକ ଆଶ୍ରୟସ୍ଥଳରେ ଲୁଚିରହିଛନ୍ତି । ଖାର୍କିଭ୍ ଅଞ୍ଚଳ ଉପରେ ଆକ୍ରମଣ ଯୋଗୁ ୪ ଜଣ ପ୍ରାଣ ହରାଇଛନ୍ତି । ୭ ଜଣ ଆହତ ହୋଇଥିବା ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟ ଓଲେହ ସିନିହୁବୋଭ ଗୁରୁବାର କହିଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନ୍ ଯୁଦ୍ଧରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ‘ବିନାଶକାରୀ ପରାଜୟ’ ଅଭିମୁଖେ ଅଗ୍ରସର ହେଉଥିବା ଜଣେ ବିଶେଷଜ୍ଞ ଦାବି କରିଛନ୍ତି । ଗୁରୁବାର ‘ଫରେନ୍ ଆଫେୟାର୍ସ’ ପତ୍ରିକାରେ ସ୍ୱିଡେନ୍ ଅର୍ଥନୀତିଜ୍ଞ ଆଣ୍ଡର୍ସ ଅସ୍ଲଣ୍ଡଙ୍କର ଏକ ଆଲେଖ୍ୟ ପ୍ରକାଶ ପାଇଛି । ଏଥିରେ ସେ ୟୁକ୍ରେନ୍ ଯୁଦ୍ଧ ବାବଦରେ ବଡ଼ ଟିପ୍ପଣୀ ଦେଇଛନ୍ତି । ଅତୀତରେ ଉଭୟ ରୁଷ ଓ ୟୁକ୍ରେନ୍ ସରକାରରେ ଅର୍ଥନୈତିକ ଉପଦେଷ୍ଟା ରହିଥିବା ଅସ୍ଲଣ୍ଡ କହିଛନ୍ତି, ପୁଟିନ୍ ଏକ ବଡ଼ ବିଫଳତାର ସାମ୍ନା କରିବାକୁ ଯାଉଛନ୍ତି । ତାଙ୍କ ସୈନ୍ୟମାନେ ୩ ମାସ ହେଲା ଯୁଦ୍ଧ କରୁଛନ୍ତି । ପୁଟିନ୍ଙ୍କୁ ବିଜୟ ଭେଟିଦେବା ପାଇଁ ପ୍ରାଣମୂର୍ଚ୍ଛା ସଂଘର୍ଷ ଜାରି ରଖିଛନ୍ତି ।
