ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଖରାରେ ବସି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ରାଉରକେଲା : ସ୍କୁଲ ରୁପାନ୍ତରିକରଣରେ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚକାଚକ୍‌ ହେଉଛି ଜିଲ୍ଲାର ପ୍ରାୟ ଅଧିକାଂଶ ସରକାରୀ ସ୍କୁଲ । କେଉଁଠି କାମ ଚାଲିଛି ତ ଅନ୍ୟ କେଉଁଠି ସରୁନି । ପୁଣି କାମକୁ ଅଧାରୁ ଛାଡି ଠିକା ସଂସ୍ଥା ଚାଲିଯାଇଛି । ଯାହାର ଫଳ ଭୋଗୁଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ । ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଉଚ୍ଚ ବିଦ୍ୟାଳୟରେ । ଏଠି ଭିତ୍ତିଭୂମିର ବିକାଶ ଓ ସ୍କୁଲ ମରାମତିରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ପ୍ରାୟ ବର୍ଷ ହେଲା କାମ ଚାଲିଥିଲେ ହେଁ ସରୁନି । ନିମ୍ନମାନର କାମ ଓ କଚ୍ଛପ ଗତିକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ଏବେ ପ୍ରାୟ ୪ ମାସ ହେଲା ମରାମତି କାମ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ପିଲାମାନଙ୍କ ପାଠପଢ଼ାର ଅସୁବିଧାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।

ବିଦ୍ୟାଳୟ ଭିତରେ ବସିବାକୁ ଜାଗା ନଥିବାରୁ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ତା’ ପୁଣି ଅସହ୍ୟ ତାତି ଓ ଗୁଳଗଳିରେ । ବିଦ୍ୟାଳୟର ଉଭୟ ୯ମ ଓ ୧୦ମ ଶ୍ରେଣୀରେ  ଶତାଧିକ ଛାତ୍ରଛାତ୍ରୀ ପାଠ ପଢ଼ାରେ ଏମିତି ସମସ୍ୟା ଭୋଗୁଛନ୍ତି । ମାସେ କି ଦୁଇ ମାସ ନୁହେଁ ପ୍ରାୟ ୪ ମାସ ଧରି ଏଭଳି ଦହଗଞ୍ଜ ହେଉଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି କାହାର ନଜର ପଡୁନି । କେବଳ ପାଠ ପଢ଼ା ନୁହେଁ ଛାତ୍ରଛାତ୍ରୀମାନେ ଖରାରେ ବସି ପରୀକ୍ଷା‌ ଦେବାକୁ ବାଧ୍ୟ ହୋଇଛନ୍ତି । ଗତ ୧୩ ତାରିଖରୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଚାଲିଛି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବିଦ୍ୟାଳୟର ବାରଣ୍ଡା ହିଁ ଏକମାତ୍ର ଭରସା ପାଲଟିଛି । ୧୦ କି ୨୦ ନୁହେଁ ମୋଟ ୫୩ ଛାତ୍ରଛାତ୍ରୀ ପରୀକ୍ଷା ଏମିତି ହଇରାଣ ହରକତ ହୋଇ ପରୀକ୍ଷା ଦେଉଛନ୍ତି । ସକାଳ ୮ଟା ରୁ ଦିନ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଅସହ୍ୟ ତାତିରେ ବସି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେମିତି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସେପଟେ ଠିକାସଂସ୍ଥାର ଭୁଲ ପାଇଁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ସୁଦ୍ଧା କାହାରି ପକ୍ଷରୁ ଧ୍ୟାନ ନ ଦିଆ ନଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ପାଇଁ ଦୁଇ ବର୍ଷ ପରେ ସ୍କୁଲରେ ପାଦ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଖରା ବସି ପାଠ ପଢ଼ାଯିବାକୁ ବୁଦ୍ଧିଜୀବୀମାନେ ନା ପସନ୍ଦ କରିଛନ୍ତି । ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ୟାନ ଦେବାକୁ ସ୍ଥାନୀୟ ଅଭିଭାବକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *