ଭୁବନେଶ୍ୱର : ଆଜି ଭୋଟ୍ ଗଣତି । ପ୍ରଶାସନ ଏ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ଷ୍ଟ୍ରଙ୍ଗ୍ରୁମ୍ ହୋଇଥିବା ବିଜେବି କଲେଜରେ ଘଟିଛି ତୁମୁଳକାଣ୍ଡ । ଷ୍ଟ୍ରଙ୍ଗ୍ରୁମ୍ରେ କର୍ମଚାରୀ ପଶି ଇଭିଏମ୍ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ଆଣିଛି ବିଜେପି । ଏହାକୁ ନେଇ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଓ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଥିବା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ମାରପିଟ୍ରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩ ଜଣ ଗୁରୁତର ହୋଇଥିବା ବେଳେ ଆଉ ୫ ଜଣ ଆହତ ହୋଇଛନ୍ତି । ପରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିବା ସହିତ ବିଜେବି କଲେଜ ଚାରି ପାର୍ଶ୍ବରେ ଫ୍ଲାଗ୍ମାର୍ଚ୍ଚ କରିଥିଲେ । ଏହା ସହିତ ଚାରିପଟେ ଥିବା ଉଠାଦୋକାନଗୁଡ଼ିକ ମଧ୍ୟ ବନ୍ଦ କରାଯାଇଥିଲା । ଆଗକୁ କୌଣସି ଅଘଟଣ ଆଶଙ୍କାରେ ବିଜେବି କଲେଜ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।
ଗତକାଲି ଇଭିଏମ୍ଗୁଡ଼ିକୁ ଅଣାଯାଇ ବିଜେବି କଲେଜ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଥିଲା । ଆର୍ଟସ୍ ବ୍ଲକ୍ର ପ୍ରଥମ ଓ ଦ୍ବିତୀୟ ମହଲାରେ ଏହି ଷ୍ଟ୍ରଙ୍ଗ୍ରୁମ୍ ହୋଇଥିଲା । ଏଠାରେ ଇଭିଏମ୍ ସୁରକ୍ଷିତ ଅଛି ଜାଣିବା ପାଇଁ ସିସିଟିଭି ଲଗାଯାଇଥିଲା । ଏହାର ଜୀବନ୍ତ ଚିତ୍ର ଦେଖିବା ପାଇଁ ବାହାରେ ଏଲ୍ଇଡି ମାଧ୍ୟମରେ ବ୍ୟବସ୍ଥା କରାଯାଇଥିଲା । ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ବସି ଏହି ଜୀବନ୍ତ ଚିତ୍ର ଦେଖୁଥିଲେ । ବିଜେପିର ଅଭିଯୋଗ ମୁତାବକ, ହଠାତ୍ ଏହି ସ୍କ୍ରିନ୍ ଅନ୍ଧାର ହୋଇ ଯାଇଥିଲା । ଏଣୁ ଭିତରେ କିଛି କାରବାର ଚାଲିଥିବା ସେମାନଙ୍କର ସନ୍ଦେହ ହୋଇଥିଲା । ସେଠାରେ କାର୍ଯ୍ୟରତ ଅଧିକାରୀଙ୍କ ଠାରୁ ସେମାନେ ଏହାର ଉତ୍ତର ଚାହିଁଥିଲେ । ଷ୍ଟ୍ରଙ୍ଗ୍ରୁମ୍କୁ କେହି ଯାଇ ନାହାନ୍ତି, ଇଭିଏମ୍ ସୁରକ୍ଷିତ ଅଛି ବୋଲି ଅଧିକାରୀ କହିଥିଲେ । ଏତିକିବେଳେ ଜଣେ ଯୁବକ ଷ୍ଟ୍ରଙ୍ଗ୍ରୁମ୍ ଆଡ଼ୁ ଆସିଥିଲେ । ଜିଲ୍ଲା ପ୍ରଶାସନର ଅଧିକୃତ ଅଧିକାରୀ କିମ୍ବା ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ିଦେଲେ ସେଠାରେ ଆଉ କେହି ଯିବା ଉଚିତ ନୁହେଁ । ଏଣୁ ଏ ଯୁବକ କିଏ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଯୁବକ ଜଣକ ସରକାରୀ କର୍ମଚାରୀ ବୋଲି ଯେଉଁ ପରିଚୟ ପତ୍ର ଦେଖାଇଥିଲେ, ତାହାର ଅବଧି ଶେଷ ହୋଇ ଯାଇଥିଲା । ଏଣୁ ଲୋକଙ୍କର ସନ୍ଦେହ ବଢ଼ିଥିଲା । ସେମାନେ ଯୁବକଙ୍କୁ ଘେରି ଯାଇଥିଲେ ।

ଭିଡ଼ ଭିତରୁ ଜଣେ କେହି କହିଥିଲେ ‘ଯୁବକଙ୍କୁ ମୁଁ ଜଣେ ବିଜେଡି ବିଧାୟକଙ୍କ ସହ ଶୋଭାଯାତ୍ରାରେ ଦେଖିଛି’ । ବାସ୍, ଏତିକି ପରେ ଆରମ୍ଭ ହୋଇ ଯାଇଥିଲା ମାଡ଼ । ଯୁବକକୁ ପିଟି ଲହୁଲୁହାଣ କରିଥିଲେ ଉତ୍ତ୍ୟକ୍ତ ଲୋକ । ସେମାନଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସ କର୍ମଚାରୀ ବି ମାଡ଼ରୁ ବର୍ତ୍ତି ନଥିଲେ। କିଛି ଲୋକ ସମ୍ପୃକ୍ତ ଯୁବକକୁ ପିଟୁଥିବାବେଳେ ଆଉ କିଛି ପୁଲିସ କର୍ମଚାରୀଙ୍କୁ ପିଟିଥିଲେ । ଶେଷରେ ପୁଲିସ ବି ଏହି ଟ୍ୟାମ୍ପରିଂରେ ସାମିଲ ଅଛି କହି ସମସ୍ତେ ସମ୍ପୃକ୍ତ ଯୁବକକୁ ଛାଡ଼ି ପୁଲିସକୁ ପିଟିଥିଲେ । ମାତ୍ର କେଇ ମିନିଟ୍ ଭିତରେ ବିଜେବି କଲେଜ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା । ପରିସ୍ଥିତି ସମ୍ଭାଳିବାକୁ ଯାଇ ପୁଲିସ ମୃଦୁ ଲାଠିଚାଳନା କରିଥିଲା । ଫଳରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ପୁଲିସ ଗୋଡ଼ାଇବାରୁ ଲୋକ ଦଉଡ଼ିଥିଲେ । କିଛିଦୂର ଯିବାପରେ ଅନ୍ଧାରରୁ ଢେଲା ମାଡ଼ କରିଥିଲେ । ଫଳରେ ଏଭଳି କାଣ୍ଡ ପାଇଁ ପ୍ରସ୍ତୁତ ନଥିବା ପୁଲିସ ହରଡ଼ଘଣାରେ ପଡ଼ିଯାଇଥିଲା । ଅନ୍ଧାରରୁ ଟେକା ଆସି କେବଳ ପୁଲିସ ନୁହେଁ, ଜିଲ୍ଲା ପ୍ରଶାସନର କେତେକ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ପଡ଼ିଥିଲା । ଯିଏ ଯୁଆଡ଼େ ପାରିଥିଲେ ଲୁଚି ଜୀବନ ବଞ୍ଚାଇଥିଲେ । ପରେ ସଶସ୍ତ୍ର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲା ।
ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଡିସିପିଙ୍କ ସହ ଉଭୟ ଅଧିକାରୀ ଆଲୋଚନା କରିଥିଲେ । ଗଣମାଧ୍ୟମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର କହିଥିଲେ ଯେ ଲୋକମାନଙ୍କ ଦ୍ବାରା ଅଟକ ଥିବା ଯୁବକ ସ୍ବୀକୃତିପ୍ରାପ୍ତ ଏବଂ ସେ ଡିଜି ସେଟ୍ ମରାମତି କରିବାକୁ ଯାଇଥିଲେ । ମରାମତି କରି ଫେରିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏହାସହିତ ଷ୍ଟ୍ରଙ୍ଗରୁମ୍ର ସିସି କ୍ୟାମେରା ବନ୍ଦ ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଗଣ୍ଡଗୋଳ ଥମିବା ପରେ ପୁଲିସ୍ ସହ ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଷ୍ଟ୍ରଙ୍ଗ୍ରୁମ୍ ପରିସରକୁ ଯାଇ ସିସି କ୍ୟାମେରା ଦେଖିଥିଲେ । ଶ୍ରୀ ସିଂହ କହିଛନ୍ତି, ୧୩ ଟା ଷ୍ଟ୍ରଙ୍ଗ୍ରୁମ୍ର ସିସି କ୍ୟାମେରାର ସଂପୂର୍ଣ୍ଣ ଦୃଶ୍ୟ ଦେଖିବା ସମ୍ଭବ ନୁହେଁ । ତେଣୁ ଭିତରେ ଯାଇଥିବା ଉକ୍ତ ଯୁବକଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ । କାରଣ ଯେଉଁ ଯୁବକ ଭିତରକୁ ଯାଇଥିଲେ ସେ ବିଜେଡି ମେୟର ପ୍ରାର୍ଥୀଙ୍କ ସହିତ ନିର୍ବାଚନ ପ୍ରଚାର କରୁଥିଲେ । ତେଣୁ ଗୋଟିଏ ଦଳ ପାଇଁ ପ୍ରଚାର କରୁଥିବା ବ୍ୟକ୍ତି କେମିତି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହିତ ବିନା ପରିଚୟ ପତ୍ରରେ ଭିତରକୁ କେମିତି ଯାଇଥିଲେ ? ଯଦି ଯୁବକ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ, ତେବେ ତାଙ୍କ ପକେଟ୍ରୁ ୧ ରୁ ୧୫୨ ବୁଥ୍ ଲେଖାଥିବା ଏକ କାଗଜ କେଉଁଠୁ ଆସିଲା ? ଅପରପକ୍ଷରେ ବଡ଼ଗଡ଼ ଥାନା ପୁଲିସ ଆଜିର ଅଘଟଣ ପରେ ନିଜଆଡ଼ୁ ଏକ ମାମଲା ରୁଜୁ କରିଛି । ନିର୍ବାଚନୀ ହିଂସା, ଗଣ୍ଡଗୋଳ, ଆକ୍ରମଣ ଭଳି ଏକାଧିକ ସଙ୍ଗୀନ ଦଫାରେ ମାମଲା ହୋଇଛି । ଏକାଧିକ ଗାଡ଼ି ପୁଲିସ ଜବତ କରିଥିବା ଜଣାପଡ଼ିଛି ।
