ବିଗିଡ଼ିଲାଣି ସହରର ଆଇନଶୃଙ୍ଖଳା

ବାଲେଶ୍ବର : ପାଖାପାଖି ୧ ଲକ୍ଷ ୬୦ ହଜାରରୁ ଅଧିକ ଜନସଂଖ୍ୟା ବସବାସ କରୁଥିବା ବାଲେଶ୍ବର ସହରରେ ଏବେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏ ବାବଦରେ ବିରୋଧୀଦଳର ନେତା, ସାମାଜିକ ସଂଗଠନ ନା ପୁଣି ଶାସକ ଦଳର ନେତା କେହି ବି ପାଟି ଫିଟାଉଛନ୍ତି ? ଏଭଳି ସ୍ଥିତିରେ ପୁଲିସ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡ଼ିଥିବା ବେଳେ ଦିନକୁ ଦିନ ସହରରେ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଚୋରି, ଡକାୟତି, ଲୁଟ୍‌ ଭଳି ଘଟଣାରେ ଜନସାଧାରଣ ଅତିଷ୍ଠ ହୋଇଗଲେଣି । ହେଲେ ଉଚ୍ଚ କର୍ତ୍ତୃପକ୍ଷ ସବୁ ଜାଣୁଥିଲେ ବି ନଜାଣିଲା ପରି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବାଲେଶ୍ବର ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରତିଦିନ ଲୋକେ ଛିନ୍‌ତାଇ ଓ ଲୁଟ୍‌ର ଶିକାର ହେଉଛନ୍ତି । ଗତ ଦୁଇ/ତିନିମାସ ମଧ୍ୟରେ ବାଲେଶ୍ବର ସହରରେ ୫୦ ରୁ ଅଧିକ ମୋବାଇଲ ଲୁଟ୍‌ ଘଟଣା ଘଟି ସାରିଲାଣି ।
ସହରର ବିଭିନ୍ନ ଗଳିରାସ୍ତା ସମେତ ମୁଖ୍ୟ ସଡ଼କରେ ମୋବାଇଲରେ କଥା ହେଇ ଯାଉଥିବା ଲୋକଙ୍କୁ ମୁଖ୍ୟତଃ ଲୁଟେରାମାନେ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଛ‌ାତ୍ରଛାତ୍ରୀ, ମହିଳା ଓ ବରିଷ୍ଠ ନାଗରିକ ଏଥିରେ ଶିକାର ହେଉଛନ୍ତି ।
ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ଏନେଇ ଅନେକ ଅଭିଯୋଗ ହୋଇଥି‌ଲେ ହେଁ ପୁଲିସ କୌଣସି ଜଣେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇପାରିନାହିଁ । ସେହିପରି ବାଇକ୍‌ ଲୁଟେରା ଗ୍ୟାଙ୍ଗ୍ ମଧ୍ୟ ସହରର ଚିନ୍ତାର କାରଣ ହୋଇଛି । ଜଣେ ବ୍ୟକ୍ତି କୌଣସି କାମରେ ଯଦି ସହର ଭିତରକୁ ବାଇକ୍‌ ଧରି ଯାଇଛି ଏବଂ ସେ ବାଇକ୍‌କୁ କୌଣସି ସ୍ଥାନରେ ପାର୍କିଂ କରି ଟିକେ ଦୂରକୁ ଚାଲିଯାଇଛି କିମ୍ବା ଠିକ୍‌ ଭା‌ବେ ତାହା ଲକ୍‌ ହୋଇନାହିଁ ତା’ହେଲେ ବାଇକ୍‌ ଲୁଟ୍‌ ହେବାର ଆଶଙ୍କା ରହିଛି । ସମାନ ଭାବରେ ସହରର ବିଭିନ୍ନ ଥାନାରେ ବାଇକ ଚୋରି ଅଭିଯୋଗ ହେଉଥିଲେ ହେଁ ପୁଲିସର ନିଷ୍କ୍ରିୟତା ଜନସାଧାରଣଙ୍କୁ ନିରାଶ କରିଛି ।

ମେ ମାସ ୧୧ ତାରିଖ, ସମୟ ପାଖାପାଖି ମଧ୍ୟାହ୍ନ ସାଢ଼େ ୧୨ଟା ହେବ। ବାଲେଶ୍ବର ସହରର ଫକୀରମୋହନ ନଗରରେ ସଚିନ୍ଦ୍ର ଦାସ ନାମକ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଲୁଟ୍‌ର ଶିକାର ହେଲେ । ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୨ ଜଣ ତାଙ୍କୁ ଫକୀରମୋହନ ନଗର ରାସ୍ତାରେ ହଠାତ୍‌ ଅଟକାଇ ଗାଡ଼ି ରଖିବା ପାଇ କହିଲେ । ଶ୍ରୀ ଦାସ ଗାଡ଼ି ରଖିବାରୁ ଏସ୍‌ପି ସାହେବ ମନା କରିଛନ୍ତି, ସୁନାଗହଣା ପିନ୍ଧି ବାହାରେ ନ ବୁଲିବାକୁ । ‌ତେଣୁ ଆପଣ ପିନ୍ଧିଥିବା ସୁନାଚେନ୍‌ ଓ ମୁଦି ଖୋଲି ଆମ ହାତକୁ ଦିଅନ୍ତୁ ବୋଲି ଧମକାଇଥିଲେ । ଶ୍ରୀ ଦାସ କେବେ ଏଥିପାଇଁ ଏସ୍‌ପି ମନା କଲେ ଏବଂ କାହିଁକି ସେଗୁଡ଼ିକୁ ମୁଁ ବାହାର କରି ଆପଣଙ୍କୁ ଦେବି ବୋଲି ପଚାରିବାରୁ ଲୁଟେରାମାନେ ଜୋର ଜବରଦସ୍ତି ତାଙ୍କ ଠାରୁ ସୁନାଚେନ ଓ ମୁଦି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ତେବେ ଶ୍ରୀ ଦାସ ଏ ବାବଦରେ ସଦର ଥାନାରେ ଅଭିଯୋଗ କଲା ପରେ ମାମଲା ରୁୁଜୁ କରି ପୁଲିସ ନିଜ କାନ୍ଧରୁ ଦୋଷ ଖସାଇ ଦେଇଥିବା ଅଭିଯୋଗ ହୋଇଛି । ଫକୀରମୋହନ ନଗରରେ ଏହି ଘଟଣା ଯେଉଁ ସ୍ଥାନରେ ଘଟିଥିଲା ସେହି ଆଖପାଖରେ ଲୋକଙ୍କ ଘରେ ସିସି କ୍ୟାମେରା ରହିଥିବା ବେଳେ ସେଥି‌ରେ କଏଦ ହୋଇଥିବା ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ ରହିଛି । ହେଲେ ପୁୁଲିସ ଆଜି ଯାଏ ସେମାନଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ ।

ବାଲେଶ୍ବର ସହରରେ ଲଗାତାର ଏଟିଏମ୍‌ ଲୁଟ୍‌, ଛିନ୍‌ତାଇ ଓ କୌଣସି ଦୁର୍ଘଟଣା ଘଟାଇ ଫେରାର ହୋଇନପାରିବା ପାଇଁ ୫ ବର୍ଷ ପୂର୍ବରୁ ପ୍ରମୁଖ ଛକଗୁଡ଼ିକରେ ସିସିକ୍ୟାମେରା ସହ ଟ୍ରାଫିକ୍‌ ପୁଲିସ ନିୟୋଜିତ କରାଯାଇଥିଲା । ହେଲେ ଏବେ ସେ ବ୍ୟବସ୍ଥା ଆଉ କାମ କରୁନଥିବା ଜାଣିବାକୁ ମିଳିଛି । ଅଧିକାଂଶ ସିସିକ୍ୟାମେରା ଅଚଳ ହୋଇପଡ଼ିଥିବା ବେଳେ ଟ୍ରାଫିକ ପୁଲିସ ମଧ୍ୟ ଠିକ୍‌ ଭାବେ ଡ୍ୟୁଟି କରୁନାହାନ୍ତି । ଖରାବର୍ଷାରୁ ରକ୍ଷା ପାଇବା ପାଇଁ ସବୁଛକରେ ଉନ୍ନତମାନର ଟ୍ରାଫିକପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ଟ୍ରାଫିକ୍‌ ପୁଲିସମାନେ କିନ୍ତୁ ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉପସ୍ଥିତ ରହୁନାହାନ୍ତି । ଫଳରେ ଲୁଟେରାମାନଙ୍କୁ ଏହା ସୁହାଉଛି । ଖୁଲମଖୁଲା ସେମାନେ ରାଜରାସ୍ତାକୁ ଆସି ଲୁଟ୍‌ପାଟ୍‌ କରି ପୁଣି ସହଜରେ ଖସିଯାଉଛନ୍ତି । ତେବେ ଏସବୁ ସମସ୍ୟା ସମ୍ପର୍କ‌ରେ ସହରର ସବୁ ଥାନା‌ଧିକାରୀ ଅବଗତ ଥିଲେ ମଧ୍ୟ ସମସ୍ତେ ଜାଣି ନଜାଣିଲା ପରି ଅଭିନୟ ନୀତି ଆପଣେଇଛନ୍ତି ।

ସହରରେ ଘଟଣା ଦୁର୍ଘଟଣା ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ପାଇଁ ଥାନାଗୁଡ଼ିକରେ ଯେତିକି ପୁଲିସ ଆବଶ୍ୟକ ତାହା ପୂରଣ କରାଯାଉନାହିଁ । ଜଣେ ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଗୋଟିଏ ସମୟରେ ଏକାଧିକ କାମରେ ମୁଣ୍ଡ ପୂରାଇବାକୁ ପଡ଼ୁଛି । ତା’ ସହ କାମ ଚାପ ବି ରହୁଛି । ଏକଥା ନା ଜନସାଧାରଣ ବୁଝୁଛନ୍ତି ନା ବିଭାଗୀୟ କର୍ତ୍ତୃପକ୍ଷ । ତେଣୁ ଥାନାଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ଚଲାଇବା ପାଇଁ ଥାନାଧିକାରୀଙ୍କ ହାତକୁ ସେତିକି ସୁବିଧା ଯୋଗାଇ ଦିଆଯାଇନାହିଁ । ଉପରିସ୍ଥ ଅଧିକାରୀ ଏସବୁ ଜାଣିଛନ୍ତି, ସହର ଓ ଜିଲ୍ଲାର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ତଥା ଅପରାଧ ନିୟନ୍ତ୍ରଣ ‌ନେଇ ବିଭିନ୍ନ ସମୟରେ ସମୀକ୍ଷା ବୈଠକ ବସୁଛି । ସେଠାରେ ସେମାନଙ୍କୁ ସବୁକିଛି ଅବଗତ କରିବା ସତ୍ତ୍ବେ ବି ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତା’ ହେଲେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଆହୁରି ବିଗିଡ଼ିଯିବ ବୋଲି କିଛି ପୁଲିସ ଅଧିକାରୀମାନେ ସେମାନଙ୍କ ମତ ରଖିଛନ୍ତି ।

କରୋନା ପରେ ପରେ ବାଲେଶ୍ବର ସହରର ଅପରାଧୀ ଗୋଷ୍ଠୀ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି । କେତେବେଳେ ଘରେ ପଶି ଡକାୟତି ଓ ଲୁଟ୍‌ କରୁଛନ୍ତି ତ ପୁଣି କେତେବେଳେ ସହର ମଝିରେ ବନ୍ଧୁକ ଖଣ୍ଡା ଭୁଜାଲି ବୁଲାଇ ଦେଖାଇ ସୃଷ୍ଟି କରୁଛନ୍ତି । ଗତକାଲି ସହର ଉପକଣ୍ଠ ଓ ଆଜି ରାତିପାହୁଣୁ ସହର ଭିତରେ ଅପରାଧୀ ଗୋଷ୍ଠୀ ଘଟାଇଥିବା ଆତଙ୍କ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ । ଗତକାଲି କିଛି ଲୁଟେରା ଜଣେ ଯୁବ ବ୍ୟବସାୟୀଙ୍କୁ ବାଲେଶ୍ବର ବସଷ୍ଟାଣ୍ଡରୁ ସସୁଚିନ୍ତିତ ଉପରେ ପୁରୁଣା ବାଲେଶ୍ବର ଅଞ୍ଚଳକୁ ଆଣି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ତା’ ସହିତ ସମ୍ପୃକ୍ତ ଯୁବକଙ୍କ ବ୍ୟାଗ ଛଡ଼ାଇ ନେଇଥିଲେ ଯେଉଁଥିରେ ୬୦ ହଜାର ଟଙ୍କା ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ସାରଗାଁ ଠାରେ ଜଣେ ବାଇକ୍‌ ଆରୋହୀ ଘରକୁ ଫେରୁଥିବା ବେଳେ ପଛରୁ ଦୁଇଜଣ ଯୁବକ ଯାଇ ତାଙ୍କୁ ଅଟକାଇବା ସହିତ କାନ୍ଧରେ ଖଣ୍ଡାଚୋଟ ମାରିଥିଲେ । ଏନେଇ ମଧ୍ୟ ବାଲେଶ୍ବର ସଦର ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଘଟଣାକୁ ୧୨ ଘଣ୍ଟା ନପୁରୁଣୁ ପୁଣି ବାଲେଶ୍ବର ସହର ମଲ୍ଲିକାଶପୁରଠାରେ ଥିବା ଏକ ଟ୍ୟୁସନ ସେଣ୍ଟରର ମାଲିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ତାଙ୍କ ଟ୍ୟୁସନ୍‌ ସେଣ୍ଟରର ଆସବାବପତ୍ର ଭାଙ୍ଗି ନଷ୍ଟ କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଥି‌ଲେ ଓ ପେ‌ଟକୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣା ପଛରେ କିଛି କାରଣ ଲୁଚି ର‌ହିଥିଲେ ମଧ୍ୟ ଟ୍ୟୁସନ ସେଣ୍ଟରର ମାଲିକ କିଛି ମୁହଁ ଖୋଲିନାହାନ୍ତି । ତେବେ ପୁଲିସ ମଧ୍ୟ ଏତେ ବଡ଼ ଘଟଣାକୁ ହାଲୁକା ଭାବେ ନେଇ ଏ ସମ୍ପର୍କରେ କିଛି ଅଭିଯୋଗ ଆସିନଥିବାରୁ କୌଣସି ପଦକ୍ଷେପ ନିଆଯାଇନଥିବା କହିଛି ।

Leave a Reply

Your email address will not be published. Required fields are marked *