କୋରାପୁଟ : ଓଡ଼ିଶାର ପ୍ରାୟ ୧୩ କିଲୋମିଟର ଭିତରକୁ ପଶି ଆସିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ତଳଗୋଲୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରୁଗୁଡ଼ି ଗାଁକୁ ଅକ୍ତିଆର କରିବାକୁ କରିଛି ବଡ଼ ଷଡ଼୍ଯନ୍ତ୍ର । ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ନିଜ ରାଜ୍ୟର ସୁବିଧା ସୁଯୋଗ ଯୋଗାଇ ଦେଇଛି । ଓଡ଼ିଶା ଭିତରେ ବିଦ୍ୟୁତ ସଂଯୋଗ ଦେଇଥିବା ବେଳେ ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଯାହାର ଆଧାରକାର୍ଡ ରହିଛି ଭତ୍ତା ଦେଉଛି । ଏହା ବ୍ୟତୀତ ବାସଗୃହ ସହ ପାନୀୟ ଜଳ ଯୋଗାଣ କରୁଛି । ସେହିପରି ଗାଁର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପାଚିପେଣ୍ଟା ସ୍ଥିତ ବିଦ୍ୟାଳୟରେ ପଢ଼ାଉଛି । ତେଣୁ ଓଡ଼ିଆକୁ ଭୁଲି ଓଡ଼ିଶାର ପିଲା ଏବେ ତେଲୁଗୁ ପାଠ ପଢ଼ୁଛନ୍ତି ।
ସୂଚନା ଅନୁସାରେ; ଏହି ସୀମାନ୍ତ ଗାଁକୁ ଆନ୍ଧ୍ର କେବଳ ଅନୁପ୍ରବେଶ କରିନାହିଁ, ଓଡ଼ିଶାର ଭିତ୍ତିଭୂମିକୁ ବି ଜବରଦଖଲ କରିଛି । ଓଡ଼ିଶାର ବିଦ୍ୟାଳୟକୁ ଏବେ ଆନ୍ଧ୍ର ଠିକାଦାର ଏବଂ ସରକାରୀ କର୍ମଚାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । କରୋନା ଯୋଗୁ ଓଡ଼ିଶାର ବିଦ୍ୟାଳୟ ବନ୍ଦ ରହିବାରୁ ପାଠପଢ଼ା ଠାରୁ ଦୂରେଇ ଯାଇଥିଲେ ଛାତ୍ରଛାତ୍ରୀ । ଯାହାର ସୁଯୋଗ ନେଇ ଆନ୍ଧ୍ର ମନଲୋଭା କଥା କହି ଓଡ଼ିଆ ପିଲାଙ୍କୁ ୧୩ କିଲୋମିଟର ଦୂର ନିଜ ରାଜ୍ୟର ହଷ୍ଟେଲରେ ରଖି ପଢ଼ାଉଛି । ବିଡ଼ମ୍ବନା ହେଲା ଓଡ଼ିଶାର ବିଦ୍ୟାଳୟ ଆଦୌ ଖୋଲୁ ନଥିବା ବେଳେ ଏବେ କେବଳ କାଗଜପତ୍ରରେ ବିଦ୍ୟାଳୟ ଚାଲିଛି । ସେହିପରି ତଳଗୋଲୁର ନିକଟରେ କୌଣସି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନଥିବାରୁ ଉଚ୍ଚଶିକ୍ଷା ପାଇଁ ଏଠାକାର ପିଲା ଆନ୍ଧ୍ର ଉପରେ ନିର୍ଭର କରିଥିବା ଦେଖିବାକୁ ମିଳିଛି ।

ଓଡ଼ିଶାର ବିଦ୍ୟାଳୟର ତିନୋଟି ଶ୍ରେଣୀଗୃହ ରହିଛି । ଏହାର ଚାରିପାଖରେ ସ୍ଥାନୀୟ ଲୋକଙ୍କୁ ଘର କରିବାକୁ ଟଙ୍କା ଦେଇଛି ଆନ୍ଧ୍ର । ତେଣୁ ଲୋକେ ଟଙ୍କା ପାଇ ଘର କରିବାରୁ ଶ୍ରେଣୀଗୃହ ଗୁହାଳ ପାଲଟି ଗଲାଣି । ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ଏଠାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଡିଆରଡିଏ ଦ୍ବାରା ଦୁଇ ଲକ୍ଷରୁ ଅଧିକ ଖର୍ଚ୍ଚ କରି ନୂଆ ଘର ନିର୍ମାଣ କରାଯାଇଛି । ପୁରୁଣା ଘର ଭଲ ରହିବା ସତ୍ତ୍ବେ ନୂଆ ଘର କାହିଁକି ନିର୍ମାଣ ହେଲା ବୋଲି ପ୍ରଶ୍ନ ଉଠିଛି । ସେହିପରି ସପ୍ତାହରେ ମାତ୍ର ଦୁଇ ଦିନ ଶିକ୍ଷକ ବିଦ୍ୟାଳୟକୁ ଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଶିକ୍ଷକ ଜଣକ ସ୍ଥାନୀୟ ଲୋକପ୍ରତିନିଧି ଏବଂ ପ୍ରଶାସନର ପାଖଲୋକ ବୋଲି କହି ଓଲଟା ଧମକ ଦେଉଥିବା କହିଥିଲେ । ଓଡ଼ିଶାର ଏତେ ଭିତରକୁ ଆନ୍ଧ୍ର ଚାଲି ଆସିଥିଲେ ବି ପ୍ରଶାସନ କିମ୍ବା କୌଣସି ଲୋକ ପ୍ରତିନିଧି ମୁହଁ ଖୋଲୁନାହାନ୍ତି । ଯାହା ଫଳରେ ପାଚିପେଣ୍ଟା ଓ ବୋରାମୁଠା ପରି ଏହି ପଞ୍ଚାୟତର ୪୩ ଗାଁରୁ ୪ ଗାଁରେ ଏବେ ଆନ୍ଧ୍ରର ଅବଧା ପ୍ରବେଶ ଜାରି ରହିଛି ।
ବିଡ଼ମ୍ବନା ହେଲା ବାଙ୍ଗୁରୁଗୁଡି ଗାଁରେ ରହୁଥିବା ୩୪ ପରିବାର ଓଡ଼ିଆ ଜାଣିନାହାନ୍ତି । ସମସ୍ତେ ତେଲୁଗୁରେ କଥାବାର୍ତ୍ତା କରୁଛନ୍ତି । କିଛି ବୃଦ୍ଧ ଓଡ଼ିଆ ଜାଣିଥିଲେ ସୁଦ୍ଧା ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି । ପିଲାମାନେ ନା ଓଡ଼ିଆ ଜାଣିଛନ୍ତି ନା ଓଡ଼ିଆ କହୁଛନ୍ତି । କେବଳ ଏହି ଗାଁ ନୁହଁ କାପତିଗୁଡାର ୨୫ ପରିବାର, ଧରମାପାଡୁର ୧୫ ପରିବାର ଓ ବଣିକମେଟାର ୧୬ ପରିବାର ତେଲୁଗୁରେ କଥା ହେଉଛନ୍ତି ଏବଂ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ସମସ୍ତ ପରିବାର ନିକଟରେ ଦୁଇ ରାଜ୍ୟର ଭୋଟର, ଆଧାର ଏବଂ ରାସନକାର୍ଡ ରହିଛି । ପୂର୍ବରୁ ଆନ୍ଧ୍ର ପାଚିପେଣ୍ଟର ୧୪ ରୁ ଅଧିକ ଗାଁକୁ ନିଜ ଅକ୍ତିଆରକୁ ନେଇ ସାରିଥିବାବେଳେ ଏବେ ପାଚିପେଣ୍ଟା ଠାରୁ ୧୩ କିଲୋମିଟର ଦୂର ବାଙ୍ଗାରୁଗୁଡିକୁ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ପ୍ରୟାସ ଜାରି ରଖିଛି । ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବା ପରେ ୧୯୩୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ପ୍ରିଭି କାଉନସିଲ (୧୯୩୪ ମସିହାରେ ପାଚିପେଣ୍ଟା ଓ ବୋରାମୁଠା ଓଡ଼ିଶାର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଜୟପୁର ମହାରାଜାଙ୍କ ଅଧୀନରେ ପାଚିପେଣ୍ଟା ଓ ମଦଗୁଲ (ପାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ) ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉପରୋକ୍ତ ଦୁଇ ଅଞ୍ଚଳ ସାଲୁର ମଣ୍ଡଳ ଅଧୀନକୁ ଚାଲିଗଲା । କେଉଁ ଆଦେଶ ଏବଂ କେଉଁ ଆଇନ ବଳରେ ଦୁଇଟି ଅଞ୍ଚଳ ଆନ୍ଧ୍ରରେ ମିଶିଲା ସ୍ପଷ୍ଟ ହୋଇପାରିନି । ଏମିତି ସ୍ଥିତିରେ ଆନ୍ଧ୍ର ନୂଆ ଜିଲ୍ଲା ଗଠନ କରି ନିଜ ସୀମାକୁ ବଢ଼ାଇବା ପାଇଁ ଓଡ଼ିଶା ଭିତରେ ଆଗକୁ ଆଗକୁ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି ।
