୬୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ ଅଙ୍ଗଦ

ଫୁଲବାଣୀ : ଜ୍ଞାନ ଆହରଣ ପାଇଁ ବୟସର ତାରତମ୍ୟ ବୋଲି କିଛି ନାହିଁ । ପିଲାବେଳର ପାଠ ପଢିବାର ଇଛାକୁ ସାକାର ରୂପ ଦେବାକୁ ସମୟ ସୁଯୋଗକୁ କେତେକ ଅପେକ୍ଷା କରିଥାନ୍ତି । ଆଉ ସେହି ସୁଯୋଗ ଉପନୀତ ହେବା ମାତ୍ରେ ତାହାକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିଥାନ୍ତି । ଏହାର ଢେର ନଜିର ରହିଛି । ପାଠ ପଢିବାକୁ ପ୍ରବଳ ଆଗ୍ରହ ଜନ୍ମାଇ ବିଭିନ୍ନ କାରଣରୁ ବଞ୍ଚିତ ରହିଥିବା ୬୨ ବର୍ଷ ବୟସ୍କ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପିଲାଙ୍କ ମେଳରେ ଦେଇଛନ୍ତି । ବିଧାୟକ ଶ୍ରୀ କହଁର ପୂର୍ବରୁ ଦଶମ ଶ୍ରେଣୀରେ ପଢୁଥିବାବେଳେ ପାରିବାରିକ ସମସ୍ୟା କାରଣରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । କାଳକ୍ରମେ ବୟସ ବଢ଼ିବା ସହ ସେ ରାଜନୀତିରେ ବ୍ୟସ୍ତ ରହିଥିଲେ । ଫଳରେ ସମୟ ବାହାର କରିନପାରି ପାଠପଢ଼ାରୁ ଦୂରେଇ ରହିଥିଲେ ।

ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସଓଏସସିଇ) ବିଭାଗ ଦ୍ବାରା ବୟସ୍କମାନେ ପରୀକ୍ଷା ଦେଉଥିବା ଗଣମାଧ୍ୟମରୁ ଖବର ପାଇବା ପରେ ତାଙ୍କର ଜଣେ ଘନିଷ୍ଠ ବାଲ୍ୟବନ୍ଧୁ ତଥା ବର୍ତ୍ତମାନର ସରପଞ୍ଚ ସୁଦର୍ଶନ କହଁରଙ୍କ ସହ ଆଲୋଚନା କରିବା ପରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ ଓ ପ୍ରବେଶପତ୍ର ପାଇଥିଲେ । ଆଜି ଦୁହେଁ ଏକାଠି ମାଟ୍ରିକ ପରୀକ୍ଷା ଦେଇଛନ୍ତି । କେବଳ ସେତିକି ନୁହେଁ ବିଧାୟକଙ୍କ ଗାଡି ଚାଳକ ମଧ୍ୟ ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବୟସର ଦ୍ବାହି ଦେଇ ପାଠପଢ଼ାରୁ ଦୂରେଇ ରହୁଥିବା ଲୋକଙ୍କୁ ଏହା ବେଶ ପ୍ରେରଣାଦାୟୀ ହୋଇଛି । ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି l ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ l ଆଜି ସକାଳୁ ସକାଳୁ ବିଧାୟକ କହଁର ରୁଜାଙ୍ଗି ପରୀକ୍ଷା କେନ୍ଦ୍ରରେ ପହଞ୍ଚିିଥିଲେ l ଦାୟିତ୍ବରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟମ ପ୍ରକାରେ ତନଖି କରିବା ପରେ ଭିତରକୁ ଛାଡିଥିଲେ ।

ଚଳିତ ବର୍ଷ ଜିଲାରେ ମୋଟ ୧୧୬୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ୧୧,୦୬୬ ଜଣ ନିୟମିତ ପରୀକ୍ଷାର୍ଥୀ। ତନ୍ମଧରୁ ୯୩ ଜଣ ଏକ୍ସରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସମସ୍ତ ପରୀକ୍ଷାର୍ଥୀ କୋଭିଡ୍ ମାର୍ଗଦ ଦର୍ଶିକା ଅନୁସାରେ ପରୀକ୍ଷା ଦେଉଛନ୍ତି । ଜିଲାରେ ମୋଟ ୭୫ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି ।  ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲା ସୋରଡା ନିର୍ବାଚନମଣ୍ଡଳୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାରେ ରହିଥିଲେ ।

Leave a Reply

Your email address will not be published. Required fields are marked *