ଭୁବନେଶ୍ବର : କେବଳ ସମ୍ବଲପୁର ଓ ଟିଟିଲାଗଡ଼ ଡିଭିଜନ ନୁହେଁ, ପୁରୀ ଓ ନୟାଗଡ଼ ଭଳି ଜିଲ୍ଲାରେ ମଧ୍ୟ ରାଇସ୍ ମିଲ୍ମାନେ ନିମ୍ନମାନର ଚାଉଳ ଯୋଗାଉଛନ୍ତି ବୋଲି ଏଫ୍ସିଆଇ ରିପୋର୍ଟରୁ ଜଣାପଡ଼ିଛି । ସଂପୃକ୍ତ କର୍ତ୍ତୃପକ୍ଷ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟ ଯୋଗାଣ ନିଗମକୁ ଚିଠି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ରାଇସ୍ ମିଲ୍ ମାଲିକ ଓ ଦୁର୍ନୀତିଗ୍ରସ୍ତ ଯୋଗାଣ ଅଧିକାରୀଙ୍କ ପ୍ରତି ଯୋଗାଣ ନିଗମର ଏହି ଅନୁକମ୍ପା ପଛର କାରଣ ନେଇ ଚର୍ଚ୍ଚା ବଢ଼ିଲାଣି ।
ଏପଟେ ପିଡିଏସ୍ ବିତରଣ ବ୍ୟବସ୍ଥା ଯାଞ୍ଚ କରିବାକୁ ଏଫ୍ସିଆଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଫ୍ସିଆଇକୁ ନିର୍ଦେଶ ଜାରି ହୋଇଛି । ଯେଉଁ ବ୍ୟକ୍ତି ବିତରଣ ବ୍ୟବସ୍ଥାରୁ ବାଦ୍ ପଡ଼ିଥିବେ, ସେମାନଙ୍କୁ କିଭଳି ଏହି ପ୍ରକ୍ରିୟାରେ ସାମିଲ କରାଯାଇ ପାରିବ, ଏଥିପାଇଁ ଏଫ୍ସିଆଇ କାର୍ଯ୍ୟ କରିବ । ଚାଉଳ ନେଇ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁଭଳି ମୁହାଁମୁହିଁ ହୋଇ ଅଛନ୍ତି, ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶ ଗୁରୁତ୍ବପୂର୍ଣ୍ଣ ଅଟେ ।
ସ୍ମରଣଥାଉକି, ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ୯୧ ପ୍ରତିଶତ ଚାଉଳ ନିମ୍ନମାନର । ଏପରିକି କିଛି ଚାଉଳ ଅଖାଦ୍ୟ ଥିବା ନେଇ କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେଇଛି । ଏହି ଅବସରରେ ସଂଗୃହୀତ ୧୧୨ ଚାଉଳ ନମୁନା ମଧ୍ୟରୁ ୩୯ଟି ନମୁନା ଖାଇବା ପାଇଁ ଅଯୋଗ୍ୟ, ୬୩ ନମୁନା ଖାଇବା ଯୋଗ୍ୟ ହେଲେ ମଧ୍ୟ ଏହା ନିମ୍ନମାନର ଅଟେ । ୧୫ ଦିନ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ମିଲର୍ କିମ୍ବା ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ରାଜ୍ୟ ଯୋଗାଣ ନିଗମ । ବରଂ ତଳିଆ କର୍ମଚାରୀଙ୍କୁ ଫସାଇ ଏହି ସାଂଘାତିକ କେଳେଙ୍କାରୀକୁ ଫାଇଲ ଭିତରେ ସମାଧି ଦେବା ଲାଗି ଷଡ୍ଯନ୍ତ୍ର ଚାଲିଛି ।
ଏମିତି ସମୟରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । କେବଳ ଏହି ୯ ଜିଲ୍ଲା ନୁହେଁ, କିଛି ମାସ ପୂର୍ବରୁ ଏଫ୍ସିଆଇ ସ୍କ୍ବାଡ୍ ପୁରୀ ଜିଲ୍ଲା ନିମାପଡ଼ା, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଚାଉଳ ଗୋଦାମ ଯାଞ୍ଚ କରିଥିଲା । ସେଠାରେ ବି ଚାଉଳ ନିମ୍ନମାନର ଥିବା ନେଇ ସଂପୃକ୍ତ ସଂସ୍ଥା ରିପୋର୍ଟ ଦେଇଛି । ତିନୋଟି ଜିଲ୍ଲାରେ ଥିବା ଗୋଦାମରୁ ଚାଉଳ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେହି ନମୁନା ରିପୋର୍ଟ ନିମ୍ନମାନର ଆସିଛି । ଏଥିଯୋଗୁଁ ଏଫ୍ସିଆଇ ସେହି ଚାଉଳ ବଦଳରେ ଅନ୍ୟ ଚାଉଳ ଦେବା ପାଇଁ ମିଲର୍ଙ୍କୁ ନିର୍ଦେଶ ଦେବାକୁ ଯୋଗାଣ ନିଗମକୁ କହିଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ତିନୋଟିଯାକ ଜିଲ୍ଲାର ନିମ୍ନମାନର ଚାଉଳ ସଂକ୍ରାନ୍ତରେ ଯୋଗାଣ ନିଗମ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ ।
ଏଫ୍ସିଆଇ ଚାଉଳ ଯାଞ୍ଚ ରିପୋର୍ଟକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଯୋଗାଣ ନିଗମ ଏଫ୍ସିଆଇର ନୟାଗଡ଼ ଚାଉଳ ଯାଞ୍ଚ ରିପୋର୍ଟକୁ ଚ୍ୟାଲେଞ୍ଜ କରିଛି । ଅନ୍ୟଦିଗରେ ଖୋର୍ଧା ଜିଲ୍ଲା ଜଟଣୀରେ ସ୍ଥିତ ଚାଉଳ ଗୋଦାମ ଯାଞ୍ଚ କରି ଏଫ୍ସିଆଇ ଗୋଦାମର ପରିଚ୍ଛନ୍ନତା ନେଇ ପ୍ରଶ୍ନ କରିଛି । ଗତବର୍ଷ ଯାଜପୁରରେ କେନ୍ଦ୍ରୀୟ ଟିମ୍ ଯାଞ୍ଚ ପରେ ଅଖାଦ୍ୟ ଚାଉଳ ଧରାପଡ଼ିଥିଲା । ଏଥିରେ ଗୋଦାମର କିଛି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ମିଲର କିମ୍ବା ବଡ଼ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।
