ଭୋଗରାଇ : ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ ଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବୋହିଥିଲା । ମାତ୍ର ୧୦ ରୁ ୧୫ମିନିଟ ମଧ୍ୟରେ ସବୁକିଛି ଉଜାଡ଼ି ଦେଇଗଲା କଳାବୈଶାଖୀ । ବିଶେଷ କରି ଭୋଗରାଇର ପସରବିନ୍ଧା, ନିମାତପୁର, ବାରବାଟିଆ, ସୋହରିଆ, ଜଳସୋହରିଆ, ମନ୍ଦାରସାହି, କଖଡ଼ା, ବାଜିତପୁର, ଗୁନାଇବସାଣ, ଦେହୁର୍ଦ୍ଦା ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ନିମାତପୁର ପଞ୍ଚାୟତ ଅଧୀନ କାଉବଣୀ ଗାଁର ଗୋପାଳ ଚନ୍ଦ୍ର ଗିରି, ଜୟକୃଷ୍ଣ ଗିରିଙ୍କ ଘରର ଛପର ଉଡ଼ିଯାଇଥିବା ବେଳେ ମନ୍ଦାରସାହି ପଞ୍ଚାୟତ ହରିପୁର ଗାଁର ଶଶାଙ୍କ ଶେଖର ଦେଙ୍କ ଘର ଉପରେ ଗଛ ପଡ଼ି ଛପର ଭାଙ୍ଗିଯାଇଛି । ସେହିପରି କାଉବଣୀ ଗାଁର ଅଶୋକ ଗିରି, ଲକ୍ଷ୍ମୀକାନ୍ତ ଗିରି, ବାବୁଲା ନାୟକ, ନିଶିକାନ୍ତ ଗିରିଙ୍କ ପାନବରଜ ଭାଙ୍ଗି ଯିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଖବର ମିଳିଛି ।
ଅନ୍ୟପକ୍ଷରେ ସାନତେଘରି ବିଦ୍ୟୁତ୍ ଗ୍ରିଡରୁ ଯାଇଥିବା ୩୩ କେଭି ଲାଇନ୍ ଛିଣ୍ଡି ପଡ଼ିବା ସହିତ ବହୁ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି । ଫଳରେ ସମଗ୍ର ଭୋଗରାଇ ଅନ୍ଧାରରେ ରହିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିନଥିବା ଜଣାପଡ଼ିଛି । ଏହାକୁ ନେଇ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।
