ବର୍ଷା ବିତ୍ପାତ : ତଳିଆ ଅଞ୍ଚଳକୁ ବିପଦ; ରାସ୍ତା ଧସିଲା, ପୋଲ ଭୁଶୁଡ଼ିଲା

ଭୁବନେଶ୍ବର : ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଉପକୂଳରୁ ଆ‌ଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । କେଉଁଠି ସେତୁ ଧୋଇଯାଇଛି ତ କେଉଁଠି ଘାଟି ରାସ୍ତାରୁ ମାଟି ଅତଡ଼ା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଇଞ୍ଚୁଡି ପଞ୍ଚାୟତର କଳାମାଟିଆ ପାହି ପୋଲକୁ ସଂଯୋଗ କରୁଥିବା ରାସ୍ତା ଧସିଯାଇଥିବାରୁ ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି । ସେହିପରି ୩ ଦିନର ଲଗାଣ ବର୍ଷା ଯୋଗୁଁ ନୂଆପଡ଼ାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସାରାବଙ୍ଗ-ଆମାନାରା ବ୍ରିଜ ଧୋଇ ଯିବାରୁ ଜିଲ୍ଲାର ତିନି ପଞ୍ଚାୟତ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ମିଶାଇ ୨୫ ହଜାର ଲୋକ ପ୍ରଭାବିତ ହେଉଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା କାଳ ଓ ସୁନେଇ ଡ୍ୟାମ ଖୋଲି ଦିଆଯିବାରୁ ବୁଢାବଳଙ୍ଗ ଫୁଲିବାରେ ଲାଗିଛି ।

ବର୍ଷା ବିତ୍ପାତ କମି ନ ଥିବା ବେଳେ ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଯାହାର ପ୍ରଭାବ ଓଡ଼ିଶାର ଅର୍ଧାଧିକ ଜିଲ୍ଲା ଉପରେ ପଡ଼ିବ । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ଆର ବିଶ୍ବାସ କହିଛନ୍ତି ଯେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ସାଙ୍ଗକୁ ସକ୍ରିୟ ମୌସୁମୀ ପ୍ରଭାବରେ ଉତ୍ତର ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଠାରୁ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ଏବଂ ସ୍ଥଳ ବିଶେଷରେ ୬୦ କିମି ବେଗରେ ପବନ ବହିବ । ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଗୁରୁବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଖୋର୍ଧା ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ବାକି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସମ୍ଭାବ୍ୟ ବଡ଼ ବର୍ଷାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସହରାଞ୍ଚଳର ତଳିଆ ଅଞ୍ଚଳ ଉପରେ ନଜର ରଖିବା, ମତ୍ସ୍ୟଜୀବୀଙ୍କ ପାଇଁ ଲଗାଯାଇଥିବା କଟକଣାକୁ କଡ଼ାକଡ଼ି ପାଳନ ଏବଂ ପ୍ରବଳ ବର୍ଷା ଯୋଗୁଁ ଯଦି କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବ ତେବେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି ଯେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ଗତକାଲି ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷା ଦେଖାଯାଇଥିବାରୁ ନାଗାବଳୀ ଓ ବଂଶାଧାରା ପରିସ୍ଥିତି ଉପରେ ନଜର ରହିଛି । ନୂଆପଡ଼ାରେ ଏକ ବ୍ରିଜ ଭୁଶୁଡ଼ିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଜିଲ୍ଲାପାଳ, ଓଡ୍ରାଫ, ଅଗ୍ନଶମ ସଜାଗ ଅଛନ୍ତି । ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।

ତିନି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ଇନ୍ଦ୍ରାବତୀ, ବଂଶଧାରା, ଭାସ୍କେଲ, ଋଷିକୂଲ୍ୟା ଭଳି ନଦୀର ଜଳସ୍ତର ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି । ରାତି ୯ଟା‌ ସୁଦ୍ଧା ମହାନଦୀ, ଦେବୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା‌ବଳଙ୍ଗ, ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି । ଯାହାକି ନଦୀ କୂଳିଆ ଅଞ୍ଚଳର ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଗଜପତି ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି ।

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ଏବେ ସବୁ ନଦୀ ବିପଦ ସଂକେତ ତଳେ ରହିଛନ୍ତି । କେବଳ ବଂଶଧାରା ନଦୀ ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି । ଖଇରମାଳରୁ ମହାନଦୀ ଯାଏ ସମସ୍ତ ନଦୀ ବିପଦ ସଂକେତ ତଳେ ଅଛନ୍ତି । ଉପକୂଳ ଓଡ଼ିଶାରେ ବନ୍ୟା ଭୟ ସବୁବେଳେ ଥାଏ । ସେଥିପାଇଁ ଜଳ ସମ୍ପଦ ବିଭାଗ ସବୁବେଳେ ସଚେତନ ଓ ସଜାଗ ଅଛି । ବର୍ଷା ଯଦି ଅଧିକ ହୁଏ, ସେ ସମୟରେ ବୈଠକ ନେଇ ପଦକ୍ଷେପ ନିଆଯିବ ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ୧୨ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ୧୪ ତାରିଖ ବେଳକୁ ପ୍ରବଳରୁ ଅତିପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାରେ ପ୍ରଭାବ ପକାଇବ । ଅଗଷ୍ଟ ୧୫ ବେଳକୁ ଯଦିଓ ବର୍ଷାର ପରିମାଣ ସାମାନ୍ୟ କମିବ ତଥାପି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ଅଗଷ୍ଟ ୧୮ କିମ୍ବା ୧୯ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶ୍ରୀ ବିଶ୍ବାସ କହିଛନ୍ତି ଯେ ଅବପାତ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩.୪ ମିମି ବର୍ଷ ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୦.୧ ମିମି ତୁଳନାରେ ୨୩୦ ପ୍ରତିଶତ ଅଧିକ ରହିଛି । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ପରିମାଣ ୬୭୭ ମିମି ହେବା କଥା । ମାତ୍ର ଚଳିତ ବର୍ଷ ୬୬୭.୨ ମିମି ହୋଇଛି । ୪ଟି ଜିଲ୍ଲା ଯଥା ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଓ କନ୍ଧମାଳରେ ଅଧିକ ବର୍ଷା ହୋଇଛି । ଯେତେବେଳେ କି ୨୨ଟି ଜିଲ୍ଲାରେ ସ୍ବାଭାବିକ ଏବଂ ବାକି ୪ଟି ଜିଲ୍ଲା ଯଥା ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଏବେ ବି ନିଅଣ୍ଟିଆ ରହିଛି ।

Leave a Reply

Your email address will not be published. Required fields are marked *