ଜଳେଶ୍ବର : ଯେତେ ଚଢ଼ଉ, ଧରପଗଡ଼ ହେଲେ ବି ନିଶା କାରବାରରେ ଅଙ୍କୁଶ ଲାଗିପାରୁନି । ଧଳାଜହର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଜଳେଶ୍ବର ଅଞ୍ଚଳରେ ରାଜ୍ୟ ଏସ୍ଟିଏଫ୍ କଡ଼ା ନଜର ରଖିବା ସହ ସ୍ବତନ୍ତ୍ର ଟିମ୍ ଦ୍ବାରା ଚଢ଼ଉ କରୁଛି । ସେପଟେ ସ୍ଥାନୀୟ ପୁଲିସ ମଧ୍ୟ ଚଢ଼ଉ ଅଭିଯାନରେ ସାମିଲ ହେଉଛି । ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନିଶା କାରବାର ଥମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି ।
ଧଳାଜହର କାରବାରର ଅନେକ ପୁରୁଣା ତରିକାକୁ ଏବେ ମାଫିଆମାନେ ବଦଳାଇ ଦେଇଛନ୍ତି । ମାଫିଆମାନେ ନିଜକୁ ପୁଲିସ ଇନ୍ଫର୍ମର କହି ଧଳାଜହର କାରବାରରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏମିତିକି ସେମାନେ ଛୋଟ ଛୋଟ ବେପାରୀଙ୍କଠାରୁ ମାସକୁ ମାସ ଚାନ୍ଦା ଆଦାୟ ମଧ୍ୟ କରୁଥିବା ଜଣାପଡ଼ିଛି । ଯେଉଁ ବେପାରୀଙ୍କଠାରୁ ଚାନ୍ଦା ମିଳୁନି, ସେମାନଙ୍କୁ ପୁଲିସ ହାତରେ ଧରାଇ ଦିଆଯାଉଛି । ନିଜକୁ ପୁଲିସ ଇନ୍ଫର୍ମର ବୋଲି କହୁଥିବା ନିଶା ମାଫିଆଙ୍କ ତାଲିକାରେ ଜଳେଶ୍ବର ଅଞ୍ଚଳର ୫ ରୁ ୬ ଜଣ ରହିଛନ୍ତି । ଯେଉଁମାନଙ୍କ ପାଖରେ ଅର୍ଥ ଓ ଧଳାଜହର କାରବାର ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଫୋନ୍ କଲ୍ ରେକର୍ଡ ଥିବା କଥା କୁହାଯାଉଛି । ଉକ୍ତ ଅଡିଓ ବଳରେ ସେମାନେ ଶକ୍ତିଶାଳୀ ହୋଇଯାଇଛନ୍ତି । ଅସଲ ଚେହେରା ପଦାକୁ ଆସିବା ଭୟରେ ସେମାନଙ୍କ ଦେହରେ ପୁଲିସ ହାତ ମାରିବା ପାଇଁ ସାହସ କରିପାରୁନାହିଁ । ନିକଟରେ ସ୍ଥାନୀୟ ଲୋକଙ୍କ ସୂଚନା ଓ ଅଭିଯୋଗକୁ ଆଧାର କରି ପୁଲିସ ଶାସନବାଡ଼ସ୍ଥିତ ସୁବର୍ଣ୍ଣରେଖା ନଦୀବନ୍ଧରୁ ଜଣେ ନିଶା ବେପାରୀଠାରୁ ଧଳାଜହର ଜବତ କରିଥିଲା । ହେଲେ ଦୁଇଦିନ ପରେ ଜବତ ଧଳାଜହର ପରିମାଣ ସ୍ବଳ୍ପ ଦେଖାଇ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଙ୍କୁ ଛଡ଼ାଯାଇଥିବା ଜନୈକ ପୁଲିସ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ।
ସୂଚନାଦାତାରୂପୀ ନିଶା ମାଫିଆଙ୍କ ଆଧିପତ୍ୟ ଓ ବ୍ଲାକ୍ମେଲ୍ର ଶିକାର ପୁଲିସ ଅଧିକାରୀଙ୍କ ବିବଶତା ଯୋଗୁଁ ଧଳାଜହର ବେପାର କାୟାବିସ୍ତାର କରୁଛି ବୋଲି ଜଳେଶ୍ବର ସହରର ବହୁ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ପୁଲିସ ଇନ୍ଫର୍ମର ଖବର ସତ୍ୟତା ସମ୍ପର୍କରେ ଜଳେଶ୍ବର ପୁଲିସ ଏସ୍ଡିପିଓ ଓ ଥାନା ଆଇଆଇସିଙ୍କ ସହ ମୋବାଇଲ୍ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନଥିଲେ ।
