ତିହିଡ଼ି : ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ଗାଁ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀରୁ ଆଜି ୭ ଫୁଟ୍ ଲମ୍ବର ଏକ ବଉଳା କୁମ୍ଭୀର ଧରାପଡ଼ିଛି । ତେବେ କୁମ୍ଭୀରଟିକୁ ମାଛ ଭାବି ଧରିବା ସମୟରେ ଜଣେ ମାଛଧରାଳିଙ୍କ ଗୋଡ଼କୁ କୁମ୍ଭୀର କାମୁଡ଼ି ଦେଇଛି । ଶୁକ୍ରବାର ସକାଳେ ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ (୬୨) ଓ ଅନ୍ୟ କେତେ ଜଣ ମାଛଧରାଳି ଗେଙ୍ଗୁଟି ଶାଖାନଦୀକୁ ମାଛ ଧରିବାକୁ ଯାଇଥିଲେ ।
ସେମାନେ ମାଛ ଧରୁଥିବା ବେଳେ ଗଗନଙ୍କ ଜାଲରେ କୁମ୍ଭୀରଟି ପଡ଼ିଯାଇଥିଲା । ଗଗନ ଜାଣି ନପାରି ଜାଲରୁ ମାଛ ଧରୁଥିବା ବେଳେ କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା । କ’ଣ କାମୁଡ଼ିଲା ଭାବି ଗଗନ ଜାଲ ଟାଣିବା ସମୟରେ ସେଥିରେ କୁମ୍ଭୀର ପଡ଼ିଥିବା ଦେଖି ହାଉଳିଛାଡ଼ିଥିଲେ । ଅନ୍ୟ ମାଛଧରାଳି ଆସି କୁମ୍ଭୀରଟିକୁ କାବୁ କରିବା ସହିତ ଗଗନଙ୍କୁ ଡାକ୍ତରଖାନା ପଠାଇଥିଲେ । ଧାମନଗର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରାଙ୍କ ଠାରୁ ଖବରପାଇ ବନାଞ୍ଚଳ ଅଧିକାରୀ କୁଶଚରଣ ସିଂ, ଫରେଷ୍ଟର ରାଜକିଶୋର ନାୟକ ଓ କର୍ମଚାରୀମାନେ ଘଟଣାସ୍ଥଳରୁ କୁମ୍ଭୀରଟିକୁ ଜାଲରୁ ଉଦ୍ଧାର କରି ବୈତରଣୀ ନଦୀରେ ଛାଡ଼ି ଦେଇଛନ୍ତି । କୁମ୍ଭୀରଟିର ଲମ୍ବ ୭ ଫୁଟ୍ ୯ ଇଞ୍ଚ ହୋଇଥିବା ବେଳେ ଓଜନ ୪୦ କେଜି ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
