ବସ୍ତା : ‘ଭାବିଥିଲି ଜୀବନର ଶେଷ ସମୟ ଖୁସିରେ କଟିବ । ସେମିତି କିଛି ହେଲାନି । ଏବେ ସେମାନଙ୍କ ନାଁରେ ସମ୍ପତ୍ତି କରି ଘରୁ ବାହାରିଯିବାକୁ କହୁଛନ୍ତି ପୁଅବୋହୂ । ମରିଯିବି ପଛେ ବିଶ୍ବାସ ଭାଙ୍ଗିଥିବା ଅମଣିଷ ପୁଅମାନଙ୍କ ହାତରେ କଷ୍ଟାର୍ଜିତ ସମ୍ପତ୍ତି କେବେ ଦେବିନି । ସରକାରଙ୍କ ନାଁରେ ଲେଖିଦେବି ।’ ଏହା ହେଉଛି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଦୁଃଖଭରା କଥା କେଇପଦ । ତହସିଲ୍ରେ ପହଞ୍ଚି ବାଷ୍ପରୁଦ୍ଧ କଣ୍ଠରେ ସେ ଏହା କହୁଥିବେଳେ କର୍ମଚାରୀ ଓ ଦେଖଣାହାରୀ ହତବାକ୍ ହୋଇଯାଇଥିଲେ । କାର୍ଯ୍ୟାଳୟରେ ତହସିଲ୍ ଉପସ୍ଥିତ ନଥିବାରୁ ସେ ଫେରିଯାଇଥିଲେ ସତ ପୁଣିଥରେ ଆସିବେ ବୋଲି କହିଯାଇଛନ୍ତି ।
ଏହି ବୃଦ୍ଧ ଜଣକ ହେଲେ ଦେବେନ୍ଦ୍ର ଦାସ । ଘର ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚୋରପଦା ଗ୍ରାମ । କାନକୁ ଠିକ୍ ଶୁଭୁନି କି ଆଖିକୁ ଭଲ ଦେଖାଯାଉନି । ତାଙ୍କର ଦୁଇ ପୁଅ । ବହୁ କଷ୍ଟରେ ଉଭୟଙ୍କୁ ମଣିଷ କରିଛନ୍ତି । ଏଥିପାଇଁ ଦିନରାତି ଏକ୍ କରି ଖଟିଛନ୍ତି । ଦିନମଜୁରି କରି ଯାହା ରୋଜଗାର ହେଉଥିଲା, ସେଥିରେ ଘର ଚଳାଇବା ସହ ପୁଅମାନଙ୍କ ପାଇଁ ସଞ୍ଚୟ କରିଛନ୍ତି । ଭାବିଥିଲେ ପୁଅ, ବୋହୂ ଓ ନାତିନାତୁଣୀଙ୍କ ଗହଣରେ ତାଙ୍କ ଜୀବନର ଶେଷ ସମୟ ହସଖୁସିରେ କଟିବ । ମାତ୍ର ସବୁକିଛି ଓଲଟିଗଲା ଯେମିତି ! ତାଙ୍କ କହିବା କଥା ହେଲା, ବୋହୂମାନଙ୍କ ସହ ମିଶି ଦୁଇପୁଅ ତାଙ୍କୁ ମାଡ଼ ମାରୁଛନ୍ତି । ସବୁ ସଂପତ୍ତି ସେମାନଙ୍କ ନାଁରେ କରି ଘରୁ ବାହାରି ଯିବାକୁ କହୁଛନ୍ତି । ଦୁଃଖ ଓ ଜୀବନବିକଳରେ କିଛି ଉପାୟ ନ ପାଇ ସେ ଏବେ ପରବାରଣ୍ଡାରେ ରହିବା ସହ ମାଗିଯାଚି ଖାଉଥିବା କହିଛନ୍ତି ଦେବେନ୍ଦ୍ର ।
ଏହିଭଳି ଏକ ଅବସ୍ଥାରେ ଅସହାୟ ଦେବେନ୍ଦ୍ର ଆଜି ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁ ପୁଅମାନେ ତାଙ୍କର ବିଶ୍ବାସ ଭାଙ୍ଗିଛନ୍ତି, ମରିଯିବେ ପଛକେ ସେମାନଙ୍କ ନାଁରେ ସମ୍ପତ୍ତି କରିବେନି ବୋଲି ମନସ୍ଥ କରି ଆଜି ବସ୍ତା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେତେବେଳେ ଡହଡହ ଖରା । ସେହି ଖରାରେ ବି ଚାଲିଚାଲି ପହଞ୍ଚିଥିଲେ ଏବଂ ନିଜର ସବୁ ସମ୍ପତ୍ତି ସରକାରଙ୍କ ନାଁରେ କରିବା ପାଇଁ ଚାହୁଥିବା କହିଥିଲେ । ଏହା କହିଲାବେଳେ ସେ ବାଷ୍ପରୁଦ୍ଧ ହୋଇଯାଇଥିଲେ । ବୃଦ୍ଧ ଦେବେନ୍ଦ୍ରଙ୍କ ଠାରୁ ଏପରି କଥା ଶୁଣି ତହସିଲ କାର୍ଯ୍ୟାଳୟର ସବୁ କର୍ମଚାରୀ ହତବାକ୍ ହୋଇଯାଇଥିଲେ । ଯେତେ ବୁଝାଇଥିଲେ ବି ସେ କିଛି ବୁଝି ନଥିଲେ । ତେବେ, ଆଜି ତହସିଲଦାର କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ତାଙ୍କ ସହ ଦେବେନ୍ଦ୍ରଙ୍କ ଦେଖା ହୋଇ ନଥିଲା । ଫଳରେ ସେ ନିରାଶ ହୋଇ ଫେରିଯାଇଥିଲେ ଏବଂ ଗଲାବେଳେ ପୁଣି ଆସିବେ ବୋଲି କହିଯାଇଛନ୍ତି ।
ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ କେବଳ ଏକ ଚର୍ଚ୍ଚାର ବିଷୟ ପାଲଟିନି, ସସସ୍ତଙ୍କୁ ଚିନ୍ତା କରିବା ପାଇଁ ଏକ ପ୍ରଶ୍ନ ଛାଡ଼ିଦେଇଛି । ହୁଏତ, ଦେବେନ୍ଦ୍ର ଆସନ୍ତାକାଲି କିମ୍ବା ଅନ୍ୟ କୌଣସି ଏକ ଦିନ ପୁଣିଥରେ ତହସିଲ୍ ଅଫିସ୍କୁ ଆସି ସରକାରଙ୍କ ନାଁରେ ସମ୍ପତ୍ତି ଲେଖିବା ପାଇଁ କହିଦେଇ ପାରନ୍ତି । ହୁଏତ କୌଣସି ଏକ ପରିସ୍ଥିତିରେ ନିଷ୍ପତ୍ତି ବି ବଦଳାଇ ଦେଇପାରନ୍ତି । ତେବେ, କର୍ତ୍ତବ୍ୟ ପାଳନ କରୁନଥିବା ପୁଅଝିଅଙ୍କ ପ୍ରତି ବୃଦ୍ଧ ବାପାମା’ ବି ଏହିଭଳି ପଦକ୍ଷେପ ନେବାକୁ ଯେ ପଛେଇବେ ନାହିଁ, ଏହାର ଏକ ଦୃଶ୍ୟ ବା ଝଲକ୍ ଛାଡ଼ି ଦେଇଯାଇଛନ୍ତି ।
