ଭୁବନେଶ୍ବର : ବୃତ୍ତିରେ ଶିକ୍ଷକ । ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଦେବେ । ଭବିଷ୍ୟତର ବାଟ ଦେଖାଇବେ । ଦ୍ରୋଣାଚାର୍ଯ୍ୟ ହୋଇ ପିଲାଙ୍କ ସ୍ବପ୍ନ ସାକାର କରିବାର ମାର୍ଗଦର୍ଶକ ସାଜିବେ । ଏଭଳି କେତେ କ’ଣ ଆଶା ନେଇ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ୁଛନ୍ତି । ଶିକ୍ଷକଙ୍କ ଉପରେ ଅଗାଢ଼ ବିଶ୍ବାସ ଜନ୍ମାଉଛନ୍ତି । ମାତ୍ର ସେହି ଶିକ୍ଷକ କିମ୍ବା ଶିକ୍ଷା ଅଧିକାରୀ ଯଦି ଦୁର୍ନୀତିରେ ଲିପ୍ତ ରୁହନ୍ତି ତେବେ ପିଲାମାନେ କି ଶିକ୍ଷା ପାଇବେ ? ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଦେଖୁଥିବା ପିତାମାତାଙ୍କ ଅବସ୍ଥା କ’ଣ ହେବ ? କ୍ଲାସରୁମ୍ରେ ନୈତିକ ଶିକ୍ଷା କଥା କହୁଥିବା ଶିକ୍ଷକମାନେ ପିଲାଙ୍କ ସ୍ବପ୍ନ ସାକାର କରିବାରେ କିଭଳି ସହାୟକ ହେବେ ? ୬ ମାସ ମଧ୍ୟରେ ଶିକ୍ଷକ ଓ ଶିକ୍ଷା ଅଧିକାରୀମାନେ ଯେଉଁଭଳି ଭାବେ ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି, ତାହାକୁ ଦେଖି ଏମିତି ପ୍ରଶ୍ନ ସାଧାରଣରେ ସ୍ବତଃପ୍ରବୃତ୍ତ ଭାବେ ଆସୁଛି । ଆମ ଶିକ୍ଷା ବ୍ୟବସ୍ଥାର ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଲାଣି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ।
କେଉଁଠି ଶିକ୍ଷକ ଧରାପଡ଼ୁଛନ୍ତି ତ ଆଉ କେଉଁଠି ବ୍ଲକ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡ଼ିବସୁଛି । ଆଉ କେଉଁଠି ଏରିଅର ଟଙ୍କା ରିଲିଜ୍ ଲାଗି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣି ନିଜ ପକେଟ ଗରମ କରୁଛି । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ବି ଏଥରୁ ବାଦ୍ ପଡ଼ୁନି । ଲାଗୁଛି ସତେ ଯେମିତି ବିନା ଲାଞ୍ଚରେ ଗୋଟିଏ ଅଫିସରୁ ଅନ୍ୟ ଅଫିସ୍କୁ ଫାଇଲ୍ ଘୁଞ୍ଚୁନି । ମଧ୍ୟାହ୍ନଭୋଜନ ସମେତ ବିଭିନ୍ନ ଯୋଜନାରେ ସ୍କୁଲକୁ ଆସୁଥିବା ଟଙ୍କା ବାଟମାରଣ ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି । ସେଥିମଧ୍ୟରୁ କିଛି ସତ ଧରାପଡ଼ୁଛି ତ ଆଉ କିଛି ଲୁଚିଯାଉଛି ।
ବିଶେଷକରି ଗତ ଦୁଇ ବର୍ଷ ହେଲା ଯେଉଁଭଳି ଭାବେ ଶିକ୍ଷା ଅଧିକାରୀଙ୍କ କାରନାମା ସାମ୍ନାକୁ ଆସୁଛି ତାହା ସମସ୍ତଙ୍କୁ ଚକିତ କରିଛି । ଗୋଟିଏ ପଟେ ନକଲି ଶିକ୍ଷକଙ୍କ ପ୍ରାଦୃର୍ଭାବ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଥିବା ବେଳେ ଅନ୍ୟପଟେ କିଛି ଶିକ୍ଷା ଅଧିକାରୀଙ୍କ ଯୋଗୁଁ ବଦନାମ ମୁଣ୍ଡାଉଛି ଗଣଶିକ୍ଷା ବିଭାଗ । ବିଶେଷକରି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା କିଛି ବର୍ଷର ତଥ୍ୟକୁ ଦେଖିଲେ ଜଣାପଡ଼ୁଛି । ୨୦୨୧ରେ ଓ ୨୦୨୨ରେ ଏପର୍ଯ୍ୟନ୍ତ ଭିଜିଲାନ୍ସ ପଞ୍ଝାରେ ୧୫ ରୁ ଅଧିକ ଶିକ୍ଷକ, ଶିକ୍ଷା ଅଧିକାରୀ ଓ କିରାଣି ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଅନେକ ଶିକ୍ଷକ ଛନ୍ଦି ହୋଇଯାଇଛନ୍ତି । ମେ’ ମାସରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଚଢ଼ାଉ କରିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ପଛ ପଟ ରାସ୍ତା ଦେଇ ଛୁ ମାରିବା ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀଙ୍କୁ ପଦାରେ ପକାଇଛି ।
ଗତ ସପ୍ତାହରେ ଦୁଇଟି ପ୍ରମୁଖ ଘଟଣା ଶିକ୍ଷା ଅଧିକାରୀ ଟଙ୍କା ପାଇଁ କେତେ ବ୍ୟାକୁଳ ହୋଇପଡ଼ିଛନ୍ତି ତାହା ସାମ୍ନାକୁ ଆଣିଛି । ଦରମା ରିଲିଜ୍ ପାଇଁ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଧରାପଡ଼ିଥିଲେ । ସେହି ଦିନ ବକେୟା ଦରମା ଫେରସ୍ତ ପାଇବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲ୍ଲା ଝାରବନ୍ଧ ବିଇଓଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା । ମେ’ ମାସରେ କାମାକ୍ଷାନଗର ବିଇଓଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ । ଏପ୍ରିଲରେ ଭୁବନ ବିଇଓଙ୍କ କାର୍ଯ୍ୟାଳୟର ଜଣେ କିରାଣି ଅନୁରୂପ ଭାବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ମାର୍ଚ୍ଚରେ ରାୟଗଡ଼ା ଜିଲ୍ଲା ଗୁଣପୁର ବିଇଓ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଫେବ୍ରୁଆରିରେ ଗଜପତି ଜିଲ୍ଲାରେ ଜଣେ ଶିକ୍ଷକଙ୍କ ଦରମା ଏରିୟର୍ ବିଲ୍ କରାଇବା ପାଇଁ ବିଇଓ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ । ଜାନୁଆରିରେ ରାୟଗଡ଼ା ଜିଲ୍ଲାରେ ଜଣେ କୋଟିପତି ଶିକ୍ଷକ ଧରାପଡ଼ିଥିଲେ ।
୨୦୨୧ରେ ବି କିଛି ବଡ଼ ଘଟଣା ସାମ୍ନାକୁ ଆସିଥିଲା । ଲାଞ୍ଚ ନେବା ବେଳେ ଆନନ୍ଦପୁର ଏବିଇଓ, ଗଞ୍ଜାମ ଜିଲ୍ଲା ଧରାକୋଟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣିଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବିଇଓ ଓ କିରାଣୀ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ଜଣେ ସିଆର୍ସିସିଙ୍କୁ ଭିଜିଲାନ୍ସ ଧରିଥିଲା । ମାର୍ଚ୍ଚରେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବାଘମାରି ନିବାସୀ ତଥା ପଥରଘାଟ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଥିଲା । ୨୦୧୭ ରୁ ୨୦୨୦ ମଧ୍ୟରେ ଏକାଧିକ ଶିକ୍ଷକଙ୍କ ଘରେ ଓ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀଙ୍କୁ ପଦାରେ ପକାଇଛି ।
ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ କିଛି ଦୁର୍ନୀତିଗସ୍ତ ଶିକ୍ଷକ, ଶିକ୍ଷା ଅଧିକାରୀ ଓ କିରାଣିଙ୍କ ଲାଗି ଶିକ୍ଷା ବ୍ୟବସ୍ଥା ବଦନାମ ମୁଣ୍ଡାଉଛି । ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଫଳରେ ଅନ୍ୟମାନେ ଦୁର୍ନୀତି କରିବାକୁ ସାହାସ ଜୁଟାଇବେ ନାହିଁ । ବିଭାଗର ତଳଠାରୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଭରି ରହିଛି । କେବଳ ତଳତଳିଆଙ୍କୁ ନ ଧରି ଉପରେ ଥିବା ବାବୁଙ୍କ ଉପରେ ବି ଚଢ଼ାଉ କରାଯାଉ । ଲାଞ୍ଚ ନେଉଥିବା ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦରକାର ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦୁର୍ନୀତିକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । ଗତ ୩ ବର୍ଷ ହେଲା ଲଗାତାର ଭାବେ ଚଢ଼ାଉ କରାଯାଇ ନକଲି ଶିକ୍ଷକଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି । କିଛି ଜଣ ଜେଲ୍ରେ ପଶି ସାରିଲେଣି । ଯେଉଁ ଶିକ୍ଷା ଅଧିକାରୀମାନେ ଲାଞ୍ଚ ମାଗି ଧରାପଡ଼ୁଛନ୍ତି ସେମାନଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି । ବିଭାଗ ବି ଏଦିଗରେ ପଦକ୍ଷେପ ନେଉଛି । ନବୀନ ସରକାରରେ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ।
