କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ; ଏନଏସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ଆଠଗଡ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ମୁନ୍ଦେ ଥଣ୍ଡା ପାଣି ପିଇବା ପାଇଁ ବିକଳ ହେଉଥିବା ବେଳେ ଆଠଗଡ ସହରର ବିଭିନ୍ନସ୍ଥାନରେ ପ୍ରତିଷ୍ଠିତ ତିନି ତିନୋଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେବ ଅଚଳ ହୋଇ ପଡିଛି । ଖୋଦ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଯନ୍ତ୍ରଟି ଦୀର୍ଘଦିନ ହେବ କାମ କରୁନଥିବା ବେଳେ କର୍ତ୍ତୃପକ୍ଷ ଦେଖିନଦେଖିବା ପରି ରହିଛନ୍ତି । କଟକ ଲୋକସଭା ସାଂସଦ ଉନ୍ନୟନ ପାଣ୍ଠିରୁ ମିଳିଥିବା ଅନୁଦାନରେ ଏନଏସି କାର୍ଯ୍ୟାଳୟ ସମ୍ମୁଖ, ବାଉତୀ ମନ୍ଦିର ଓ ରଘୁନାଥ ମନ୍ଦିର ସମ୍ମୁଖରେ ତିନୋଟି ଥଣ୍ଡା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ଏନଏସି କର୍ତ୍ତୃପକ୍ଷ ସଂପୃକ୍ତ ଥଣ୍ଡା ପାନୀୟଜଳ ଯନ୍ତ୍ରଗୁଡିକର ରକ୍ଷଣାବେକ୍ଷଣ ଠିକ୍‍ ସମୟରେ କରୁନଥିବା ଏବଂ ଉକ୍ତ ପ୍ରକଳ୍ପ ଗୁଡିକୁ ଠିକ୍‍ ଭାବେ ପାନୀୟ ଜଳ ଆସୁନଥିବାରୁ ସେଗୁଡିକ ଦୀର୍ଘକାଳ ହେବ ଅଚଳ ହୋଇ ପଡିଛି ।

ଏନଏସି କାର୍ଯ୍ୟାଳୟ ସମ୍ମୁଖ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସହିତ ବାଉତୀ ମନ୍ଦିର ଓ ରଘୁନାଥ ମନ୍ଦିର ସମ୍ମୁଖ ପ୍ରକଳ୍ପଗୁଡିକ ଭିତରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି । ଦୁଇ ଦିନ ପୂର୍ବରୁ ଏନଏସି ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ଯନ୍ତ୍ରରୁ ପାଣି ବାହାରୁ ଥିଲେ ମଧ୍ୟ ତାହା ଥଣ୍ଡା ହେଉନାହିଁ ଏବଂ ସେଥିରୁ ଶିଉଳି ଓ ମଇଳା ମିଶା ଜଳ ବାହାରୁ ଥିବାରୁ ତାହା ପାନୀୟ ଯୋଗ୍ୟ ହେଉନାହିଁ । ତଥାପି ତୃଷାର୍ତ୍ତ ଲୋକେ ବିକଳ ହୋଇ ସେହି ଶିଉଳି ଓ ମଇଳା ମିଶା ପାଣିକୁ ପିଉଥିବା ଦେଖାଯାଇଛି । ଦୁର୍ଗାବଜାର ଅଞ୍ଚଳରେ ବାଉତୀ ମନ୍ଦିର କଡରେ ଏବଂ ରଘୁନାଥ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ଯନ୍ତ୍ର ଉପରେ ବଜାରକୁ ଆସୁଥିବା ଶହ ଶହ ଲୋକ ଏବଂ କ୍ଷୁଦ୍ର ବ୍ୟବସାୟୀ ପାଣି ମୁନ୍ଦେ ପାଇଁ ନିର୍ଭରଶୀଳ ରହୁଥିବାବେଳେ ଉକ୍ତ ପ୍ରକଳ୍ପ ଦୁଇଟିରେ ଲାଗିଥିବା ୩ଟି ଯନ୍ତ୍ର ଅଚଳ ହୋଇ ପଡିଛି ।

ଫଳରେ ସେଠାରେ ପାଣି ମୁନ୍ଦେ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେସବୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଏନଏସିର ହୋଇଥିବାବେଳେ ଏନଏସି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ଠିକ୍‍ ଭାବରେ ନିର୍ବାହ କରୁନଥିବାରୁ ଏବେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଲୋକେ ଥଣ୍ଡା ପାଣି ଟିକେ ନପାଇ ଡହଳବିକଳ ହେଉଛନ୍ତି । ଆଠଗଡ ଏନଏସିର ନବନିର୍ବାଚିତ ନଗରପାଳ, ପାରିଷଦ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ସଂପୃକ୍ତ ତିନୋଟି ଯାକପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *