ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଗାନ୍ଧିଛକ : ବସ୍ତା ବ୍ଲକ ବାଖରାବାଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଉକ୍ତ ବିଦ୍ୟାଳୟରେ କରୋନା ସମୟରେ ସରକାରଙ୍କ ତରଫରୁ ଆସିଥିବା ବିଭିନ୍ନ ଅନୁଦାନକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନୀତି ପରିଡ଼ା ଆତ୍ମସାତ କରିଥିବା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ବସ୍ତା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା ବିଭାଗ ତରଫରୁ ଅଡିଟର କୁବେର ପତି, ମଣ୍ତଳ ସିଆରସିସି ଅରବିନ୍ଦ ପାଣିଗ୍ରାହୀ ଓ ସିଆରସିସି ଉମେଶ ଚନ୍ଦ୍ର ବାଡି ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।

ପ୍ରଥମ ପର୍ଯ୍ୟାୟ ତଦନ୍ତରେ ବିଦ୍ୟାଳୟକୁ ଆସିଥିବା ସରକାରୀ ଅର୍ଥ ହେରଫେର ହୋଇଥିବା ସାମ୍ନାକୁ ଆସିବା ପରେ ବସ୍ତା ବିଇଓ ଲଲଟେନ୍ଦୁ ଜେନା ଶ୍ରୀମତୀ ପରିଡ଼ାଙ୍କୁ ନିଲମ୍ବନ କରିବା ସହିତ ଅଧିକ ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ କେତେଦିନ ପାଇଁ ନିଲମ୍ବନ କରାଯିବ ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ତଦନ୍ତ ସମୟରେ ପ୍ରଧାନଶିକ୍ଷୟିତ୍ରୀ ସମସ୍ତ ରେକର୍ଡପତ୍ର ଦେଖାଇ ପାରିନଥିବା ବେଳେ ଭାଉଚର ଗୁଡ଼ିକ ଫଲ୍ସ ବୋଲି ଜଣାପଡ଼ିଥିଲା । ବିଦ୍ୟାଳୟକୁ ଆସିଥିବା  କମ୍ପୋଜିଟ ଗ୍ରାଣ୍ଟ, ଇକୋ କ୍ଲବ, ଇଲେକ୍ଟ୍ରି ବାବଦ ଅର୍ଥ, ୟୁନିଫର୍ମ ଡ୍ରେସ୍, ସ୍ପଟ ଲାଇବ୍ରେରି ଓ ଶୌଚାଳୟ ଇତ୍ୟାଦି ପାଇଁ ଆସିଥିବା ଟଙ୍କାକୁ ଜାଲ ଦସ୍ତଖସ୍ତ କରି ବ୍ୟାଙ୍କରୁ ଉଠାଇ ଥିବା ଓ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ନ କରି ଫଲ୍ସ ଭାଉଚର୍ ଦେଖାଇ ଲକ୍ଷାଧିକ ଟଙ୍କା ପ୍ରଧାନଶିକ୍ଷୟିତ୍ରୀ ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡ଼ିଥିଲା ।

Leave a Reply

Your email address will not be published. Required fields are marked *