ବିକାଶର ବହୁ ଦୂରରେ ତେତିଲିଆବାହାଲ : ଏବେ ବି ଡିବିରି ଆଲୁଅ ଭରସା

ବ୍ରଜରାଜନଗର : ନିର୍ବାଚନ ପରେ ନିର୍ବାଚନ ଯାଉଛି ହେଲେ ଦେଶରେ ଏମିତି ଗାଁ ଅଛି ତାହାର ସ୍ଥିତି ଏବେ ବି ଅପରିବର୍ତ୍ତିତ ରହିଛି । ଲୋକ ଯେଉଁଠି ଇଣ୍ଟରନେଟ୍‌ର ମଜା ନେଉଛି ସେହି ଦେଶରେ ଲୋକ ବିଦ୍ୟୁତ୍‌ ଆଲୋକ କ’ଣ ଦେଖିବାକୁ ପାଉ ନାହାନ୍ତି । ରାସ୍ତା, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ସେମାନଙ୍କ ଲାଗି ସ୍ବପ୍ନ ପାଲଟିଛି । ବର୍ଷ ବର୍ଷ ଧରି ସବୁ ପ୍ରକାର ମୌଳିକ ସୁବିଧାର ବଞ୍ଚିତ ରହୁଛନ୍ତି । ଏମିତି ଏକ ଗାଁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ତେତଲିଆବାହାଲ । ବେଲପାହାଡ଼ ପୌରାଞ୍ଚଳରୁ ମାତ୍ର ୮ କିମି ଓ ଲଖନପୁର ବ୍ଲକରୁ ୯ କିମି ଦୂରରେ ଏହି ଗ୍ରାମର ଅବସ୍ଥିତି । ଏଠାରେ ରହୁଛନ୍ତି ୨୫ଟି ପରିବାର । ଗ୍ରାମର ଜନସଂଖ୍ୟା ୧୫୦ ରୁ ଅଧିକ । ଗ୍ରାମ ଚାରିଆଡ଼େ ଘେରି ରହିଛି ଘଞ୍ଚ ଜଙ୍ଗଲ । ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନଥିବାରୁ ପିଲାମାନେ ୪ କିଲୋମିଟର ଦୂର ଗ୍ରିନଡୋଲା ଯାଆନ୍ତି । ଗ୍ରାମକୁ ବିଜୁଳି ଯାଇନି ।  ଏବେ ରାତିରେ ଡିବିରି ଆଲୁଅ ହିଁ ଭରସା । ଟିଭି, ଫ୍ୟାନ ଆଦି ଉପକରଣ କ’ଣ ଜଣାନାହିଁ ବୋଲି କୁହନ୍ତି ଗ୍ରାମର ଦୈତ୍ୟାରି ରୋହି ଦାସ ।

ତେତିଲିଆବାହାଲର ସମସ୍ତ ପରିବାର ବିପିଏଲ୍ ଅନ୍ତର୍ଭୁକ୍ତ । ବିପିଏଲ୍ ପରିବାରକୁ ବିଦ୍ୟୁତ୍ ଯୋଗାଇବାଠାରୁ ଅନେକ ସୁବିଧା ଦେବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଯୋଜନା କରିଛନ୍ତି, ହେଲେ ତେତିଲିଆବାହାଲ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରୁ ମୁକୁଳି ପାରି ନାହାନ୍ତି । ଗାଁରେ ସରକାରୀ ସୁବିଧା କହିଲେ ମିଳିଛି କେବଳ ୨ଟି ନଳକୂପ । ନଳକୂପ ମଧ୍ୟ ଖରାଦିନେ ପାନୀୟ ଜଳ ଯୋଗାଣରେ ଅକ୍ଷମ । ଲୋକେ ସ୍ନାନ, ଶୌଚ ଲାଗି ୨ କିଲୋମିଟର ବିକ୍ରମ ଖୋଲ ନିକଟ ନାଳ ଉପରେ ନିର୍ଭର କରନ୍ତି । ପିଇବା ପାଣି ଗାଁ ଠାରୁ ଗୋଟିଏ କିଲୋମିଟ ଦୂରରେ ଥିବା ନାଳକୂପରୁ ଆଣନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମ କିଛି ଲୋକଙ୍କୁ ଘର ମିଳିଥିବା କୁହାଯାଉଛି । ଏଠାକାର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ସୁନ୍ଦରଗଡ ଜିଲ୍ଲା ଉପରେ ନିର୍ଭର କରନ୍ତି । ଗ୍ରାମକୁ ଯିବା ଆସିବା କରିବା ପାଇଁ ପକ୍କା ରାସ୍ତା ନାହିଁ । ଖରାପ ରାସ୍ତାରେ ଗ୍ରାମବାସୀ ସାତ କିଲୋମିଟର ବଣପାହାଡ଼ ରାସ୍ତାରେ ବଞ୍ଜାରୀକୁ ଯାଇ ମାସକୁ ମାସ ଭତ୍ତା, ଚାଉଳ ଆଣିଥା’ନ୍ତି । ଏହି ଗ୍ରାମର ଅଧିକାଂଶ ଲୋକ ନିରକ୍ଷର ।

ସମସ୍ୟାର ସମାଧାନ କରିବାକୁ କେବଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ମିଳେ ବୋଲି ଗ୍ରାମର ମଙ୍ଗୁଲୁ ଭୁଏ କହିଛନ୍ତି । ବହୁବର୍ଷ  ଧରି ସେମାନେ ବିକାଶକୁ ଅନେଇ ବସିଛନ୍ତି  ହେଲେ ବିକାଶ ତାଙ୍କ ଗାଁ ଲାଗି ନିଖୋଜ ବୋଲି କ୍ଷୋଭର ସହିତ କୁହନ୍ତି ଗ୍ରାମବାସୀ । ୨ ବର୍ଷ ତଳେ ଏନେଇ ଏକ ଖବର  ପ୍ରକାଶ ପାଇଥିଲା । ବେଲପାହାଡ଼ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରତି ଘରକୁ ସୌରାଲୋକ ଯୋଗାଇ ଦିଆଯାଇଥିଲା । ଏବେ ଅଧିକାଂଶ ଅଚଳ । ମରାମତି ହେଉ ନଥିବାରୁ ଗ୍ରାମବାସୀ ପୁଣି ପୂର୍ବ ଅବସ୍ଥାକୁ ଫେରି ଯାଇଛନ୍ତି । ଗ୍ରାମକୁ ଯାଇଥିବା ରାସ୍ତା ବର୍ଷା ଦିନେ ବିପର୍ଯ୍ୟସ୍ତ ହୋଇପଡ଼େ ।

ସୌରଶକ୍ତିରେ ଚାଳିତ ପାନୀୟ ଜଳ ପକଳ୍ପ ମଧ୍ୟ ଅଚଳ । ତେବେ ଗତ ନିର୍ବାଚନ ପୂର୍ବରୁ ନଳକୂପ, ଗଭୀର ନଳକୂପ ମରାମତି ହୋଇଛି । ଜଙ୍ଗଲ ବିଭଗ ପକ୍ଷରୁ ଘରକୁ ଯୋଗାଇ ଦିଆଯାଇଥିବା ସୌର ଲଣ୍ଠନଟି ବେଶୀ ସମୟ ଚାର୍ଜ ରାହୁ ନଥିବାରୁ ଡିବିରି ଆଲୁଅ ଲୋକଙ୍କ ଭରସା। ଗ୍ରାମକୁ ଉଜ୍ଜ୍ବଳା ଯୋଜନାରେ ସମିଲି କରାଯାଇ ନଥିବାରୁ ଗ୍ୟାସ୍‌ ମିଳିନି । ଏନେଇ ଗ୍ରାମର ମଙ୍ଗୁଳ ଭୋଏ କୁହନ୍ତି ଏଇ ଗାଁରେ ଛୋଟରୁ ବୁଢା ହେଲୁଣି, ବିଜୁଳି ଆଲୁଅ ଦେଖି ପାରିବୁ କି ନାହିଁ ସନ୍ଦେହ । ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ପଚାରିବାରୁ ଗ୍ରାମଟି ସଂରକ୍ଷିତ ଜଙ୍ଗଲ ଭିତରେ ଏକ ଛୋଟ ଗାଁ ବୋଲି ପ୍ରକାଶ କରିଥିଲେ ।

ଗ୍ରାମକୁ ରାସ୍ତା ନଥିଲା । ନିକଟରେ ଏମଜିଏନଆରଏସ ପକ୍ଷରୁ ଗ୍ରାମକୁ ରାସ୍ତା କରାଯାଇଛି । ବିଦ୍ୟୁତ୍‌ ସଂଯୋଗ ପାଇଁ ଟାଟା ପାୱାରର ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟରଙ୍କ ସହିତ ଯୋଗାଯୋଗ କରାଯାଇଛି । ଗ୍ରାମକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ସଂକ୍ରାନ୍ତରେ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ କହିଥିଲେ । ତେବେ ମିନି ଅଙ୍ଗନବାଡ଼ି କେନ୍ଦ୍ର କରିବା ବ୍ୟବସ୍ଥା କରାଯାଇପାରେ । ଏହା ଉପରେ ପରୀକ୍ଷା ନିରୀକ୍ଷା ପରେ ପଦକ୍ଷେପ ନେବୁ ବୋଲି ସୂଚନା ଦେଇଥିଲେ । ଗ୍ରାମବାସୀଙ୍କ ଯେଉଁ ୩/୪ଟି ମୁଖ୍ୟ ସମସ୍ୟା ଅଛି ସେଥିରୁ ଗୋଟିଏ ଦୁଇଟି ସମସ୍ୟାର ସମାଧାନ ହେବାକୁ ଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

ତେତିଲିଆବାହାଲ ଗ୍ରାମବାସୀ ହୀରାକୁଦ ନଦୀବନ୍ଧ ପୂର୍ବରୁ ସାଗରପାଲି ଗ୍ରାମରେ ରହୁଥିଲେ । ହୀରାକୁଦ ବନ୍ଧ ନିର୍ମାଣ ଶେଷ ହେବା ପରେ ୧୯୫୭ ମସିହାରେ ଏହି ଗ୍ରାମର କେତେକ ଭୂମିହୀନଙ୍କୁ ପୁଲିସ୍ ଲଗାଇ ତଡ଼ି ଦିଆଯାଇଥିଲା । ପୁଲିସ ଭୟରେ ଏହି ନୀରିହ ଲୋକମାନେ ବିକ୍ରମଖୋଲ ଜଙ୍ଗଳ ଭିତରେ ଏକ ତେନ୍ତୁଳି ଗଛ ତଳେ ଆସି ରହିବାକୁ ବାଧ୍ୟ ହୋଇଥିଲେ । ସେହିଦିନଠାରୁ ଏହି ସ୍ଥାନକୁ ଲୋକେ ତେତଲିଆବାହାଲ କହୁଛନ୍ତି ବୋଲି ନୃପ ରୋହିଦାସ କହିଛନ୍ତି । ହୀରାକୁଦ ବନ୍ଧ ଉଦ୍‌ଘାଟନ ହେବାର ଇତି ମଧ୍ୟରେ ୬୪ ବର୍ଷ ଅତିକ୍ରମ କରିସାରିଛି । ହେଲେ ହୀରାକୁଦ ବିସ୍ଥାପିତ ଲୋକେ ଏବେ ମଧ୍ୟ ଜଙ୍ଗଲ ଭିତରେ ପଡ଼ି ରହିଛନ୍ତି । ଏବେ ବି ଏଠାକାର ଲୋକେ ସରକାରୀ ସାହାଯ୍ୟ ପାଇଁ ଆଶା ବାନ୍ଧି ବସି ରହିଛନ୍ତି । ହୀରାକୁଦ ନଦୀ ବନ୍ଧ ଯୋଜନାର ବିସ୍ଥାପିତ ଲୋକଙ୍କ ଦୁଃଖ କାହା ପାଖରେ ଅଛପା ନାହିଁ । ନିଜର ଭିଟାମାଟି ହରାଇଥିବା ଏହି ବିସ୍ଥାପିତ ଆଜି ପର୍ଯ୍ୟନ୍ତ ତାହାର ଉଚିତ କ୍ଷତିପୂରଣ ମଧ୍ୟ ପାଇନାହାନ୍ତି ।

Leave a Reply

Your email address will not be published. Required fields are marked *