କାମରେ ଆସୁନି ସ୍ମାର୍ଟସିଟିର ପାର୍କିଂ ସ୍ଥଳ : ରାସ୍ତା ଉପରେ ଛିଡା ହେଉଛି ଗାଡ଼ି, ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ରାଉରକେଲା : ସହର ବିକାଶ ପାଇଁ ସ୍ମାର୍ଟସିଟି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ରିଂ ରୋଡ ସ‌ୌନ୍ଦର୍ଯ୍ୟକରଣ ହେଉ ଅବା ରାସ୍ତା ସମ୍ପ୍ରସାରଣ ଆଦି ଅନେକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୦୨୩ ହକି ବିଶ୍ବ କପ୍‌ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ସ୍ମାର୍ଟସିଟିର ଟ୍ରାଫିକ ସମସ୍ୟାକୁ ପ୍ରଶାସନିକ ଅଧିକାରୀ ଯେମିତି ଭୁଲି ଯାଇଛନ୍ତି । କୋଟି କୋଟି ଟଙ୍କାରେ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି । କାମରେ ଆସୁନି । ପୁଣି କେଉଁଠି ପାର୍କିଂସ୍ଥଳରେ ଉଠାଦୋକାନୀଙ୍କୁ ଥାଇଥାନ କରାଯାଇଛି । ଅନ୍ୟ ସ୍ଥାନରେ ରହିଥିବା ପାର୍କିଂସ୍ଥଳଗୁଡ଼ିକ ମଧ୍ୟରୁ କିଛି ବିନା ଟେଣ୍ଡରରେ ଚାଲିଛି । ତାହା ପୁଣି ପୂର୍ବରୁ ନେଇଥିବା ଠିକା ସଂସ୍ଥା ଓ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଭିତିରି ସଲାସୁତୁରାରେ । ଏ ବାବଦରେ ଆର୍‌ଏମ୍‌ସି ପାଣ୍ଠିକୁ ଟଙ୍କା ରାଜସ୍ବ ଆସୁନାହିଁ । ପାର୍କିଂ ସ୍ଥଳ ଖାଲି ପଡିଛି । ରାସ୍ତା ଉପରେ ଶହ ଶହ ଗାଡ଼ି ଛିଡା ହେଉଛି । ପ୍ରମୁଖ ରାସ୍ତା ଠାରୁ ଆରମ୍ଭ କରି ଗଳି କନ୍ଦିରେ ଦୈନନ୍ଦିନ ଏଭଳି ଟ୍ରାଫିକ ସମସ୍ୟା ଉପୁଜିଛି । ଯାତାୟତରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ଛୋଟ ବଡ ଦୁର୍ଘଟଣା ଘଟୁଛି । ତଥାପି ବିଭାଗୀୟ ଅଧିକାରୀଙ୍କ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ ।

ରାଉରକେଲା ଓରାମପଡାସ୍ଥ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳ ନିର୍ମାଣ ହେଲା । ଆଲୋକୀକରଣ ସହ ପାନୀୟ ଜଳ ସୁବିଧା ମଧ୍ୟ କରାଗଲା । ଉଦିତନଗର ପ୍ରମୁଖ ମାର୍କେଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବାରୁ ପାର୍କିଂସ୍ଥଳ ସହରବାସୀଙ୍କ କୌଣସି କାମରେ ଆସିଲାନି । ବର୍ଷେରୁ ଅଧିକ ସମୟ ଧରି ସେମିତି ତାଲା ଝୁଲିଲା । ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସ୍ମାର୍ଟସିଟି ଓ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା । ପାର୍କିଂ ସ୍ଥଳକୁ ଖୋଲି ଦିଆଗଲା । କିନ୍ତୁ ଦୁଇ, ତିନି ଓ ଚାରି ଚକିଆ ଗାଡି ବଦଳରେ ପାର୍କିଂ ସ୍ଥଳ ପାଲଟିଗଲା ଉଠାଦୋକାନୀଙ୍କ ଥଇଥାନ କେନ୍ଦ୍ର । ୩୦ ରୁ ୪୦ ଉଠାଦୋକାନୀ ସେଠାରେ ଦୋକାନ ଖୋଲିଲେ । ଆଉ କିଛି ସେ ଜାଗାକୁ ଦୋକାନ କରିବା ନାଁରେ ମାଡ଼ି ବସିଛନ୍ତି । ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ଅଛି । ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦ୍ବିତୀୟ ପାର୍କିଂସ୍ଥଳ ସିଭିଲଟାଉନସିପ ଶନି ମନ୍ଦିର ପାର୍ଶ୍ବରେ ନିର୍ମାଣ ହେଲା । ଏଠି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ବର୍ଷରୁ ଅଧିକ ସମୟ ଧରି ସେମିତି ଖାଲି ପଡିଛି । ପାର୍କିଂସ୍ଥଳ ସମ୍ମୁଖ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଛିଡା ହେଉଛି । ଏଥିସହ ଶନି ମନ୍ଦିର ପାର୍ଶ୍ବ ସହରର ପ୍ରମୁଖ ରାସ୍ତାରେ ଟ୍ରାଫିକ ସମସ୍ୟା ଆହୁରି ଜଟିଳ । କାରଣ ରାସ୍ତା ପାର୍ଶ୍ବରେ ରହିଛି କିଛି ପୁରୁଣା ଦୁଇ ଚକିଆ ଗାଡ଼ି ବିକ୍ରି ଦୋକାନ । ପୁରୁଣା ଦୁଇ ଚକିଆ ଗାଡ଼ି ବିକୁଥିବା ଏହି ଦୋକାନ ମାଲିକମାନେ ଫୁଟ୍‌ପାଟ୍‌ ସହ ସହରର ପ୍ରମୁଖ ରାସ୍ତାକୁ ମାଡ଼ି ବସିଛନ୍ତି । ଯେଉଁଠି ସେମାନେ ପ୍ରତ୍ୟେକ ଦିନ ଗାଡ଼ି ରଖି ବିକୁଛନ୍ତି । ଏମାନଙ୍କ ବିରୋଧରେ ଆର୍‌ଏମ୍‌ସି ନା ଟ୍ରାଫିକ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ । ଯାହାକୁ ନେଇ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତେବେ ପାର୍କିଂ ସ୍ଥଳ ନିର୍ମାଣ କରି କାମ ସାରି ଦେଇଥିବା ଉଭୟ ସ୍ମାର୍ଟସିଟି ଓ ଆର୍‌ଏମ୍‌ସି କାର୍ଯ୍ୟଶୈଳୀଙ୍କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ହକି ବିଶ୍ବକପ୍‌ ପୂର୍ବରୁ ସହରର ଟ୍ରାଫିକ ସମସ୍ୟାର ସୁଧାରକୁ ପ୍ରାଥମିକତା ସହରର ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *