ଜୟପୁର : ବିଶ୍ବାସ ନ ହେଲେ ବି ସତ । ଦୀପ ତଳ ଅନ୍ଦାର ପରି ସହର ମଧ୍ୟରେ ରହିଥିବା କୁନ୍ଦାରୀଗୁଡାର ରାସ୍ତା ଗତ ୧୫ ବର୍ଷ ହେବ ପୁନଃରୁଦ୍ଦାର କିମ୍ବା ପ୍ରଶସ୍ତିକରଣ ହୋଇପାରିନଥିଲା । ଦୀର୍ଘ ୧୫ ବର୍ଷ ପରେ ଏହି ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ କାମ ୧୬ ଲକ୍ଷ ଟଙ୍କାରେ ହୋଇପାରିଛି । ଏହାରି ମଧ୍ୟରେ ୪ ଥର ଟେଣ୍ଡର ହୋଇଥିଲେ ସୁଦ୍ଧା କେହି ଏଥିରେ ଭାଗ ନେଇଥିଲେ । ୫ମ ଥର ପୁଣି ହୋଇଥିବା ଟେଣ୍ଡର ସଫଳ ହୋଇଛି । ଜୈନେକ ଠିକାଦାର କାମ ନେବା ସହ ପୁନଃରୁଦ୍ଧାର ପିଚୁ ରାସ୍ତା କାମ ବି ଶେଷ ପର୍ଯ୍ୟାୟରେ ରହିଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓ ପୌର ଯନ୍ତ୍ରୀ ଆଦି ପାଖରେ ରହି ନିର୍ମାଣ କାମ କରାଉଥିବା ଦେଖିବାକୁ ମିଳିଛି ।
ସହର ଦେଇଯାଇଥିବା ଏନଏଚ ୨୬କୁ ସଂଯୋଗ ହୋଇଥିବା ପିଚୁ ରାସ୍ତା ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ବାରମ୍ବାର ଟେଣ୍ଡର ଆହ୍ବାନ କରାଯାଉଥିଲେ ହେଁ କୌଣସି ଠିକାଦାର ଏଥିରେ ଭାଗ ନେଉ ନଥିଲେ । କୁନ୍ଦାରୀଗୁଡା ମଧ୍ୟରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହା ସହ ଏହି ରାସ୍ତା ଦେଇ ଆଉ କିଛି ନୂଆ ନୂଆରେ ନିର୍ମାଣ ହୋଇଥିବା ସାହି ବାସିନ୍ଦା ବି ଯିବା ଆସିବା କରି ଆସୁଥିଲେ । ବାରମ୍ବାର ସାହି ବାସିନ୍ଦା ବି ରାସ୍ତା ନିର୍ମାଣର ଦାବି କରି ଆସୁଥିଲେ । ୫ମ ଥର ଟେଣ୍ଡରରେ ଆମେ ସଫଳ ହୋଇଛୁ । ୧୬ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତାର ନିର୍ମାଣ କାମ କରାଯାଉଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।
