ନର୍ଲା : କୋଳକୁ ସନ୍ତାନଟିଏ ପାଇଁ ବାପ-ମାଆ ବାର ବ୍ରତ ତେର ଓଷା କରନ୍ତି । ସନ୍ତାନଟିଏ କୋଳକୁ ଆସିଲେ ତାର ଲାଳନ ପାଳନରେ ନିଜକୁ ସମର୍ପି ଦିଅନ୍ତି । ପେଟରୁ କାଟି ମୁହଁରେ ଆହାର ଦିଅନ୍ତି । ତା’ ଅଳି ଅଝଟ ହସି ହସି ସହନ୍ତି । ଛୁଆ ମୁହଁରେ ହସ ଦେବା ପାଇଁ ନିଜ ଜୀବନର ସବୁ ସୁଖକୁ ଜଳାଞ୍ଜଳି ଦେଇ ଦିଅନ୍ତି । ମନରେ ଯେତିକି ସ୍ନେହ, ସେତିକି ଆଶା । ପୁଅ ବଡ଼ ହେବ, ଭଲ ମଣିଷଟିଏ ହେବ, ବୁଦ୍ଧ କାଳେ ସାହାରା ହେବ । କିନ୍ତୁ ବାପା-ମାଆଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇଯାଏ ଯେତେବେଳେ ସନ୍ତାନଟି ବାହା ହେଲା ପରେ ଜନ୍ମଦାତା ପିତାମାତାଙ୍କୁ ହତାଦର କରେ । ଧିକ୍କାର କରି ଘରୁ ତଡ଼ିଦିଏ । ଏମିତି ଏକ ଦୁଃଖଭରା ଘଟଣା ଘଟିଛି ସିନ୍ଧେକେଲାରେ । ସିନ୍ଧେକେଲାର ବୈକୁଣ୍ଠ ପୁଟେଲଙ୍କୁ ଏବେ ବୟସ ୮୦ । ପତ୍ନୀ ଆଉ ଇହଧାମରେ ନାହାନ୍ତି । ଅନେକ ବର୍ଷ ତଳୁ ଛାଡ଼ି ଚାଲିଗଲେଣି । ବୈକୁଣ୍ଠଙ୍କ ୮ଟି ସନ୍ତାନ, ତଥାପି ଆଜି ସେ ଅସହାୟ । ୪ ପୁଅ, ୪ ଝିଅଙ୍କୁ ମଣିଷ କରିବା ପାଇଁ ସାରା ଜୀବନ ଏକ କରି ଦେଇଥିବା ବୈକୁଣ୍ଠଙ୍କୁ ଆଜି ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳୁନି । ତାଙ୍କ ନିଜ ଘରେ ତାଙ୍କ ପାଇଁ ଜାଗା ନାହିଁ । ଆଦର ନାହିଁ କି ଆହାର ନାହିଁ । ୮ ପୁଅ ଝିଅ ତାଙ୍କୁ ଆଶ୍ରୟ ଦେବାକୁ ନାରାଜ । ସେ ନିଜ ଘରୁ ବେଘର ହେଲା ପରେ କିଛି ଦିନ ବାରଦ୍ବାର ହେଲେ । ତା’ ପରେ ଭୀମକେଲା ଗାଁରେ ଘର କରି ରହୁଥିବା ପୁଅ ପାଖରେ ରହିଥିଲେ; କିନ୍ତୁ ଶେଷରେ ସେ ମଧ୍ୟ ତାଙ୍କୁ ଘରୁ ତଡ଼ିଦେଲା । ପୁଅଝିଅଙ୍କ ଠାରୁ ହତାଶ ହୋଇ ସେ ଏବେ ପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ । ବୈକୁଣ୍ଠ ସବୁଆଡ଼ୁ ହତାଶ ହୋଇ ଏବେ ରୁପ୍ରାରୋଡ଼ ଜଗନ୍ନାଥ ମନ୍ଦିରରେ ଆଶ୍ରୟ ନେଇଛନ୍ତି । ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ଖାଇ ବଞ୍ଚିଛନ୍ତି । ସେ ନିଜର ଏହି ଦୁଃଖକାହାଣୀ ଆଜି ଏହି ପ୍ରତିନିଧିଙ୍କ ଆଗରେ ଛଳଛଳ ଆଖିରେ ବର୍ଣ୍ଣନା କରିଥିଲେ ।
