ନୀଳଗିରି : ନୀରିହ ଆଦିବାସୀଙ୍କୁ ଅଭିନବ ଉପାୟରେ ସାଇବର ଠକେଇ କରିଛନ୍ତି ଦୁଇ ଠକ । କାଳିଆଟଙ୍କା ଦେବେ କହି ପାସବହି ଖାଲି କରି ଦେଲେ ଦୁଇ ଠକ । ରାଜ୍ୟ ସରକାର କାଳିଆ ଯୋଜନାରେ ଟଙ୍କା ବାଣ୍ଟିବାକୁ କହିଛନ୍ତି । ସବୁ ହିତାଧୂକାରୀ ପାସବହି ଓ ଆଧାର କାର୍ଡ଼ ନେଇ ଏଠାକୁ ଆସନ୍ତୁ । ଏହା ମାତ୍ର ସୀମିତ ସମୟ ପାଇଁ, ନଚେତ ଟଙ୍କା ସରକାରଙ୍କ ଖାତାକୁ ଫେରିଯିବ ବୋଲି କହି ୨ ଜଣ ଯୁବକ ବଣ ପାହାଡ଼ ଘେରା ଆଦିବାସୀ ଗ୍ରାମାଞ୍ଚଳରୁ ଆଦିବାସୀଙ୍କୁ ଅଭିନବ ଉପାୟରେ ଠକେଇ କରିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି ।
ହାତରେ ଲାପ୍ଟପ ଓ ବାୟୋ ମେଟ୍ରିକ୍ସ ଧରି ୨ ଜଣ ଅଜଣା ଯୁବକ ଏକ ମୋଟର ସାଇକଲରେ ପହଞ୍ଚି ଥିଲେ ନୀଳଗିରି ବ୍ଲକର ପିଠାହତା ପଞ୍ଚାୟତରେ । ଓଡି ୨୨ୟୁ ୭୩୩୬ ନମ୍ବର ଲେଖାଥିବା ଏକ ଲାଲ ରଙ୍ଗର ମୋଟର ସାଇକଲରେ ଆସି ଉକ୍ତ ପଞ୍ଚାୟତ ଅଧୀନ ଚାପଲସାହି ଗାଁରେ ପହଞ୍ଚିଥିବା ପରେ ଲୋକଙ୍କୁ ଡକାଇଥିଲେ । ସମସ୍ତ ହିତାଧ୍ୟାକାରୀ ସେମାନଙ୍କର ଆଧାର କାର୍ଡ଼ ଓ ପାସବହି ଧରି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଯୁବକ ଜଣକ ଲାପଟପ ବାହାର କରି ହିତାଧ୍ୟାକାରୀଙ୍କ ଠାରୁ ବାୟ ମେଟ୍ରିକ୍ସରେ ଟିପ ଚିହ୍ନ ନେଇ ୨ ହଜାର ଟଙ୍କା ହାତାହାତି ଦେଇଥିଲେ ।
ଉକ୍ତ ଗାଁର ହୀରା ମୁର୍ମୁ (୪୫) ନାମକ ମହିଳାଙ୍କ ଆକାଉଣ୍ଟରେ ମୋଟ ୧୯୪୭୦ ଟଙ୍କା ଥିଲା । କିନ୍ତୁ ଏହି ଠକମାନେ ପ୍ରଥମେ ୨ ହଜାର ଓ କିଛି ସମୟ ପରେ ୧୭ ହଜାର ଟଙ୍କା ଅନ୍ୟ ଆକାଉଣ୍ଟକୁ ଉଠାଣ କରିଥିଲେ । ତେବେ କେବଳ ହୀରା ମୁର୍ମୁ ନୁହଁ, ବରଂ ଉକ୍ତ ଗାଁର ରାଣୀ ଟୁଡୁ, ଦୁଲି ମାଝୀ, ବାସନ୍ତୀ ମାରାଣ୍ଡି, ଚମ୍ପା ଟୁଡୁ, ବାଙ୍ଗିରି ଟୁଡୁ, ଫୁଲମଣି ମୁର୍ମୁ, ଜାମୁନା ଟୁଡୁ, ଘନଶ୍ୟାମ କିନ୍ତୁ, ମାଳତୀ ଟୁଡୁ, ମଙ୍ଗଳି ହାଁସଦା ପ୍ରମୁଖଙ୍କ ପାସବହିରୁ ଲକ୍ଷାଧିକ ଟଙ୍କା ଖାଲି କରି ଦେଇଥିବା ଅଭିଯୋଗ ହୋଇଛି ।
ଗାଁର ଜଣେ ଯୁବକଙ୍କ ସନ୍ଦେହ ହେବାରୁ ସମ୍ପୃକ୍ତ ଠକମାନଙ୍କ କେତେକ ଫଟୋ ଉତ୍ତୋଳନ କରିଥିଲେ । ତେବେ କାଳିଆ ଟଙ୍କା ନାଁରେ ଏହି ଠକମାନେ ଗ୍ରାମାଞ୍ଚଳର ଗରିବଙ୍କୁ ଠକେଇ କରିଥିବା ଯୋଗୁ ଅଞ୍ଚଳବାସୀ ସେମାନଙ୍କୁ ଧରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ବରହମପୁର ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ଜଣାପଡିଛି ।
