ଭୂତ ନାଁରେ ଉଠୁଛି ଭତ୍ତା !

ସିମୁଳିଆ : ସିମୁଳିଆ ବ୍ଲକ୍‌ର ଅଣ୍ଡରାଇ ପଞ୍ଚାୟତରେ ଭତ୍ତା ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଛି । ପାଞ୍ଚବର୍ଷ ଧରି ନିଖୋଜ ଥିବା ଜଣେ ମହିଳାଙ୍କ ଭତ୍ତା ହଡ଼ପ କରାଯାଉଥିବା ବେଳେ ମୃତ୍ୟୁର ପାଞ୍ଚମାସ ପରେ ବି ଜଣେ  ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଅଣ୍ଡରାଇର ସ୍ବର୍ଗତ ଭାଗିରଥୀ ଜେନାଙ୍କ ପତ୍ନୀ ମୀନତି ଜେନା ୫ ବର୍ଷରୁ ଊର୍ଦ୍ଧ୍ବ ହେବ ନିଖୋଜ ଥିବା ବେଳେ ତାଙ୍କ ଭତ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କିଏ ନେଇଛି, ସେ ବିଷୟରେ ଅଣ୍ଡରାଇ ପଞ୍ଚାୟତର ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିପରି ରସୁଣ ଛକର ମଧୁସୂଦନ ବେହେରାଙ୍କ ପତ୍ନୀ କୌଶଲ୍ୟା ବେହେରାଙ୍କ ଗତ ନଭେମ୍ବର ମାସରେ ମୃତ୍ୟୁ ହୋଇ ଯାଇଥିଲା । ତେବେ ମାର୍ଚ୍ଚ ମାସରେ ତାଙ୍କ ଆକାଉଣ୍ଟଙ୍କୁ ଭତ୍ତା ଯାଇଥିବା ଅଭିଯୋଗ ହୋଇଛି । ସେହିପରି ମାନସ ରଞ୍ଜନ ଦାସଙ୍କ ଭତ୍ତା ଜାନୁଆରି ମାସରେ ମଞ୍ଜୁର ହୋଇଛି ଓ ଭତ୍ତା ଖାତାରେ ଟିପ ଚି଼ହ୍ନ ଦେଇ ୫ ଶହ ଟଙ୍କା ଉଠାଯାଇଛି । ପଞ୍ଚାୟତର ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ଏପ୍ରିଲ ମାସରେ ଭତ୍ତା ବଣ୍ଟନ ବେଳେ ସେଠାରେ ଉପସ୍ଥିତ ରହିବାରୁ ଏପ୍ରିଲରେ ମାନସଙ୍କୁ ୨ ହଜାର ଟଙ୍କା ଦିଆଗଲା । ସେପଟେ ଦିବ୍ୟାଙ୍ଗ ପ୍ରମିଳା ନାୟକ ଓ ବିଧବା ହେମଲତା ଜେନାଙ୍କ ଭତ୍ତା ଟଙ୍କା ହଡ଼ପ ହେଉଥିବା ବେଳେ ଧରପଗଡ଼ ହେବାରୁ ତାଙ୍କୁ ମଧ୍ୟ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଅଣ୍ଡରାଇ ପଞ୍ଚାୟତରେ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର ହେବା ସହିତ ମୃତ ଲୋକଙ୍କ ଭତ୍ତା ହଡ଼ପ ନେଇ ପଞ୍ଚାୟତର ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ଅଭୟ ରଞ୍ଜନ ସାହୁ, ସଂଜୟ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ସାମନ୍ତ ମହାପାତ୍ର, ଶରତ ନାୟକ ପ୍ରମୁଖ ବିଡିଓ ସୁଧୀର ସିଂ ଓ ବ୍ଲକ ଅଧ୍ୟକ୍ଷ ବାବାଜୀ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ମଲ୍ଲିକ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଭତ୍ତା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *