ଜୀବିକା ପାଇଁ ବାଜିରେ ଲାଗୁଛି ଶହ ଶହ ଜୀବନ

ବାଲେଶ୍ୱର : ଜୀବିକା ପାଇଁ ବାଜିରେ ଲାଗୁଛି ଶହ ଶହ ଜୀବନ । ବେପୁରୁଆ ଓ ଖାମଖିଆଲ ଭାବରେ ମାଲ ପରିବହନ ପରି ବୁହା ହେଉଛନ୍ତି ଶ୍ରମିକ । ଆରଟିଓ ନିୟମକୁ ଖୁଲମଖୋଲା ବେଖାତିର କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରିରେ । ପରିସ୍ଥିତିରେ ପଡି ନିଜର ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଧାନ କାଟିବା ପାଇଁ ଶ୍ରମିକମାନେ ପିକଅପ, ଟାଟାଏସି ଓ ଓଟୋରେ ଲଦାଲଦି ହୋଇ ଅତି ବିପଦଜନକ ଭାବେ ବୁହା ହେଉଛନ୍ତି । ଗୋଟିଏ ଗୋଟିଏ ପିକଅପରେ ୬୦ ରୁ ଉର୍ଦ୍ଧ୍ବ ଶ୍ରମିକ ଆଗ ପଛ ହୋଇ ଓହଳିକି ଯାଉଥିବାର ଦେଖାଦେଇଛି ।

ଶ୍ରମିକ ନେଇ ଯାଉଥିବା ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବେପରୁଆ ଓ ବେଆଇନ ଭାବେ ବିଭିନ୍ନ ଗ୍ରାମରୁ ଧାନ କାଟିବା ପାଇଁ ନୀଳଗିରି ଅଭିମୁଖେ ୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ନେଇ ଯାଉଥିବା ଟାଟା ଏସି ଗାଡିଟି ଚକ ଫାଟି ଯିବାରୁ ଡ୍ରେନକୁ ଗଳି ପଡ଼ିଥିଲା । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଦେଖିବାକୁ ମିଳିଛି । ଏଭଳି ପରିବହନକୁ ନା ଆରଟିଓ, ନା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉଛି, ନା ଲାଗୁଛି କଟକଣା । ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ଶ୍ରମିକମାନଙ୍କ ପାଇଁ ବିକଳ୍ପ ପନ୍ଥା ବାହାର କରି ତୁରନ୍ତ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହୋଇଛି । ଅଭିଯୋଗ ପରେ ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ଓ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନିର୍ଦ୍ଦେଶରେ ଏଏସଆଇ ଅନନ୍ତ ମୁର୍ମୁ ଓ ଏଏସଆଇ ଉତ୍ତମ କୁମାର ସିଂଙ୍କ ନେତୃତ୍ୱରେ ଧରପଗଡ଼ କରି ୪ଟି ଶ୍ରମିକ ଭର୍ତ୍ତି ଗାଡି ଜବଦ କରିଛନ୍ତି ।

Leave a Reply

Your email address will not be published. Required fields are marked *